ଭଜନ ସମ୍ରାଟ ଭିକାରୀ ବଳଙ୍କ କାଳଜୟୀ ସାଧନା ଓ ପଞ୍ଚଦଶ ଶ୍ରାଦ୍ଧ ଦିବସ

ଭଜନ ସମ୍ରାଟ ଭିକାରୀ ବଳଙ୍କ କାଳଜୟୀ ସାଧନା ଓ ପଞ୍ଚଦଶ ଶ୍ରାଦ୍ଧ ଦିବସ

ଆଜି, କାର୍ତ୍ତିକ ମାସର ଏହି ଶୁଭ ସମୟରେ, ଓଡ଼ିଆ ଜାତିର ଆଧ୍ୟାତ୍ମିକ ଚେତନାକୁ ସମୃଦ୍ଧ କରିଥିବା ମହାନ ଗାୟକ,ଭଜନ ସମ୍ରାଟ ଶ୍ରୀ ଭିକାରୀ ବଳଙ୍କ ପଞ୍ଚଦଶ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି। ତାଙ୍କୁ ସମସ୍ତେ ଅମୃତ କଣ୍ଠ, କୈବଲ୍ୟ କଣ୍ଠ ଓ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପିତ ଭକ୍ତ ଶିରୋମଣି ଭାବରେ ଜାଣନ୍ତି। ଭିକାରୀ ବଳ କେବଳ ଜଣେ କଣ୍ଠଶିଳ୍ପୀ ନଥିଲେ; ସେ ଥିଲେ ବିଭୁପ୍ରଦତ୍ତ ଅମୃତ ବର୍ଷୀ ସ୍ୱରର ଏକ ସାଧନା, ଯିଏ ନିଜର ସମଗ୍ର ଜୀବନକୁ ‘ଶ୍ରୀଛାମୁ ଚାରଣ ସେବକ’ ରୂପେ ଉତ୍ସର୍ଗ କରିଥିଲେ।

ଅନ୍ତୁଡିଶାଳ ସୋବଳା,କେନ୍ଦ୍ରାପଡ଼ା ଜିଲ୍ଲା ରୁ ଆରମ୍ଭ ହୋଇଥିଲା ତାଙ୍କର ଯାତ୍ରା  ।  ଭାବଭକ୍ତିର ବିଭୋର କାଳଜୟୀ ଅନୁଷ୍ଠାନରେ ପରିବର୍ତ୍ତିତ ହେବା ଥିଲା ତାଙ୍କ ସାଧନାର ପରିଚୟ। ନିଜର ଭଜନ ଓ ଜଣାଣ ମାଧ୍ୟମରେ ସେ ଯେଉଁ ଭାବ ସୃଷ୍ଟି କରୁଥିଲେ, ତାହା ଓଡ଼ିଶାର କୋଣ ଅନୁକୋଣରେ ଏକ ଅଧ୍ୟାତ୍ମିକ ସେତୁ ବାନ୍ଧିଥିଲା। ତାଙ୍କର ପ୍ରାଣସ୍ପର୍ଶୀ ଗାୟନ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଆ ଲୋକଙ୍କ ଆହୁରି ନିକଟତର କରିପାରିଥିଲା।

ଭିକାରୀ ବଳଙ୍କ ସମର୍ପଣ ଭାବ କେବଳ ତାଙ୍କର ଗୀତରେ ସୀମିତ ନଥିଲା। ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ କଣ୍ଠରେ ନିଷ୍କପଟ ଭକ୍ତିର ଯେଉଁ ଧାରା ପ୍ରବାହିତ ହେଉଥିଲା, ତାହା ଆଜି ବି ଶ୍ରୋତାମାନଙ୍କୁ ଶାନ୍ତି ଓ ଆନନ୍ଦ ପ୍ରଦାନ କରେ। ତାଙ୍କର ଗୀତଗୁଡ଼ିକ କେବଳ ଭଜନ ନଥିଲା, ସେଗୁଡ଼ିକ ଥିଲା ମାଟି ଓ ମଣିଷର ଆତ୍ମାର ବାଣୀ।

ଭଜନ ସମ୍ରାଟ ଭିକାରୀ ଚରଣ ବଳ ଓଡ଼ିଶାର ସଙ୍ଗୀତ ଜଗତରେ ଏକ ଅମର ଓ ଅପ୍ରତିଦ୍ୱନ୍ଦ୍ୱୀ ନାମ। ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମଗ୍ରହଣ କରିଥିବା ଏହି ମହାନ ଗାୟକ, ନିଜର ଦିବ୍ୟ କଣ୍ଠ ମାଧ୍ୟମରେ କେବଳ ଭଜନ ଓ ଜଣାଣ ନୁହେଁ, ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ପ୍ରତ୍ୟେକ ବିଭାଗକୁ ସମୃଦ୍ଧ କରିଥିଲେ।

ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ, ନିଜ ପିତାମାତାଙ୍କୁ ଶୈଶବରେ ହରାଇଥିଲେ। ତାଙ୍କ ବାପାଙ୍କ ପ୍ରଥମ  ପୁଅ ଧନେଶ୍ୱର ଓ ତାଙ୍କ ପତ୍ନୀଙ୍କ ତତ୍ତ୍ୱାବଧାନରେ ସେ ବଢ଼ିଥିଲେ। କେବଳ ଭିକାରି ହିଁ ଜୀଇଁ ରହିଥିବାରୁ ତାଙ୍କ ନାମ ‘ଭିକାରି’ ରଖାଯାଇଥିଲା, ଯାହା ଜଗନ୍ନାଥଙ୍କ କୃପାକୁ ସୂଚାଉଥିଲା।

କଦଳୀବଣ ହାଇସ୍କୁଲରେ ନବମ ଶ୍ରେଣୀ ଯାଏଁ ପାଠ ପଢ଼ିବା ପରେ ସେ ନିଜ ଗାଁ ସୋବଳାରେ ଯାତ୍ରା ଦଳରେ ଯୋଗ ଦେଇଥିଲେ। ଏଠାରେ ସେ ଗୀତ ଗାନ, ହାରମୋନିଅମ ବଜାଇବା ଏବଂ ଗୋଟିପୁଅ ବେଶରେ ଅଭିନୟର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପରେ ଗୋକୁଳାନନ୍ଦ ସଙ୍ଗୀତ ସଦନରେ ସଙ୍ଗୀତ ଶିକ୍ଷକ ଭାବରେ କାର୍ଯ୍ୟ କରିବା ତାଙ୍କ ସଙ୍ଗୀତ ଯାତ୍ରାର ମୂଳଦୁଆ ପକାଇଥିଲା। ୨୦ ବର୍ଷ ବୟସରେ ଉଷାରାଣୀ ଦେବୀଙ୍କୁ ବିବାହ କରିବା ପରେ କାମ ପାଇଁ ସେ କଟକ ଆସିଥିଲେ।

ଗୁରୁ ଖିତିଜ ମିତ୍ରଙ୍କ ସହାୟତାରେ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଉଚ୍ଚ ଶିକ୍ଷାଲାଭ କରିବା ପରେ ୧୯୬୩ ମସିହାରେ ସେ ଆକାଶବାଣୀରେ ଜଣେ ‘ଏ-ଶ୍ରେଣୀର ଗାୟକ’ ଭାବରେ ଯୋଗ ଦେଇଥିଲେ। ‘ପ୍ରାଣ ମିତଣି ବାରେ ଚାହାଁରେ’ ଗୀତ ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇଥିଲା।  ୭୦ ଦଶକରେ ‘କୋଠ ଭୋଗଖିଆ’ ଗୀତ ତାଙ୍କୁ ଓଡ଼ିଆ ଜନମାନସରେ ଏକ ଅତୁଳନୀୟ ସ୍ଥାନ ଦେଇଥିଲା  ।

ଓଡ଼ିଶୀ ସଙ୍ଗୀତର ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ ସହ ପଲ୍ଲୀଗୀତ ଓ ଆଧୁନିକ ଗୀତ ଗାନକରି ସେ ମଧ୍ୟ ରେକର୍ଡ଼ କରିଛନ୍ତି। ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳି ଓ ସାଲବେଗ ଆଦି ପୁରାତନ କବିଙ୍କ ଭଜନରେ କଣ୍ଠଦାନ କରି ସେ ସେହି ପୁରାତନ ରଚନାଗୁଡ଼ିକୁ ପୁନଃ ଜୀବନ୍ତ କରିଛନ୍ତି।

ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ “ଭଜନ ସମ୍ରାଟ” ଉପାଧିରେ ଭୂଷିତ କରିଥିଲେ। ଏହା ସହିତ ତାଙ୍କୁ ଜଗନ୍ନାଥ ମନ୍ଦିରରେ ସେବା କରିବା ପାଇଁ ଅନୁମତି ମିଳିଥିଲା  ଜଗନ୍ନାଥଙ୍କର ଚାମର ସେବା ନିମନ୍ତେ ମଧ୍ୟ ସୁଯୋଗ ପାଇଥିଲେ।

ଭିକାରୀ ବଳଙ୍କ ଶେଷ ଆଲବମ ଭଜନ ଥିଲା ୨୦୦୫ର “ଚଗଲା ମନ” । ୨୦୦୬ ପରେ ସେ ପାର୍କିନ୍‌ସନ୍ ରୋଗରେ ପିଡ଼ୀତ ହୋଇ ଶଯ୍ୟାଶାୟୀ ହୋଇଥିଲେ  ।  ୨୦୧୦ ମସିହା ନଭେମ୍ବର ୨ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ଜଣେ ଗାୟକ ଭାବରେ ସେ ଚିର ଅମର।

ସେ ହୁଏତ ବୈଷ୍ଣବାଗ୍ନିସହ ସ୍ୱର୍ଗଦ୍ୱାରରେ ଲୀନ ହୋଇ ଯାଇଛନ୍ତି, ସେହି ଦିନକୁ ସ୍ମରଣ କରିବା ସମୟରେ, ଆମେ ଅନୁଭବ କରୁ ଯେ ଏହି ମହାନ ଭଜନ ସମ୍ରାଟ ଭିକାରୀ ବଳ ଆମ ପାଇଁ କେବଳ ସ୍ମୃତି ନୁହଁନ୍ତି, ସେ ଯଶୋଦେହେ ଚିର ଅମର। ତାଙ୍କର ଭାବଭକ୍ତି ଆମ ଓଡ଼ିଆ ଜାତି ପାଇଁ ଏକ ଅମୂଲ୍ୟ ସମ୍ପତ୍ତି। ଏହି ବିସ୍ମୟ ଭକ୍ତ ପ୍ରତିଭାଙ୍କ ଅମୃତ ଅମ୍ଳାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ। ବନ୍ଦେ ଉତ୍କଳ ଜନନୀ।

ଭଜନ ସମ୍ରାଟଙ୍କ ଶ୍ରେଷ୍ଠ ଭଜନ

  • କୋଠ ଭୋଗଖିଆ
  • ଜଗନ୍ନାଥ ହେ, କିଛି ମାଗୁନାହିଁ ତୋତେ
  • ଭଜୁ କି ନା ରାମ ନାମ
  • ଭକତ ବିଦୂର ଶାଗ ଭଜା ଦେଇ
  • ହାତରେ ମୋ ମୁଠା ମୁଠା ଶରଧା ବାଲି
  • ତୋର ସାଆନ୍ତପଣକୁ କିଏ ସରିକି
  • ଶ୍ରୀକ୍ଷେତ୍ରେ କରିଛି ଘର କାଳିଆ ମୋ ବନ୍ଧୁ
  • ଅଜା ଥାଉ ଥାଉ ନାତି ଯାଏ ଚାଲି
  • ତୋତେ ବାହୁଡ଼େଇ ନେବି ଆସିଛି
  • ତୋ ଦାଣ୍ଡଧୁଳି ମୁ ନହେଲେ ନାହିଁ
Posted in ସାହିତ୍ୟ, Featured.