ଆଜି ହେଉଛି ଭାରତର ସୀମା ସୁରକ୍ଷା ବଳ (Border Security Force – BSF)ର ପ୍ରତିଷ୍ଠା ଦିବସ। ଡିସେମ୍ବର ୧, ୧୯୬୫ ମସିହାରେ ସ୍ଥାପିତ ହୋଇଥିଲା BSF । ଯାହାକୁ ‘ଭାରତର ପ୍ରଥମ ପ୍ରତିରକ୍ଷା ଧାଡ଼ି’ (First Line of Defence) କୁହାଯାଏ । ବର୍ଷ ବର୍ଷ ଧରି ବିଏସଏଫ ପାକିସ୍ତାନ ଓ ବାଂଲାଦେଶ ସୀମାରେ ନିୟୋଜିତ ହୋଇଛି । ଦେଶକୁ ବାହ୍ୟ ଆକ୍ରମଣ, ଅନୁପ୍ରବେଶ, ଚୋରା ଚାଲାଣ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
BSFର ମୂଳ ଲକ୍ଷ୍ୟ ହେଉଛି ସୀମାରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା। ବିଶେଷ କରି ଆତଙ୍କବାଦ ନିରୋଧୀ କାର୍ଯ୍ୟରେ BSF ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଆତଙ୍କବାଦୀ ଓ ବିଦ୍ରୋହୀମାନଙ୍କୁ ସୀମା ଅତିକ୍ରମ କରିବାରୁ ରୋକିବା। ପାକିସ୍ତାନର ଆତଙ୍କବାଦୀଙ୍କୁ ସୀମା ଭିତରକୁ ରୋକିବାରେ ବଡ଼ କାର୍ଯ୍ୟ କରୁଛି ବିଏସଏଫ । ବିଶେଷ କରି ଜମ୍ମୁ-କାଶ୍ମୀର ଏବଂ ପଞ୍ଜାବ ସୀମା ଦେଇ ଅନୁପ୍ରବେଶ ଚେଷ୍ଟା କରୁଥିବା ଆତଙ୍କବାଦୀ ଗୋଷ୍ଠୀଙ୍କୁ BSF ନିୟମିତ ପାଟ୍ରୋଲିଂ, ଲୁଚାଛପା ତଲାସୀ (Ambush) ଏବଂ ନିରୀକ୍ଷଣ କେନ୍ଦ୍ର (Observation Posts) ଜରିଆରେ ପ୍ରତିହତ କରିଥାଏ। ସୀମା ସୁରକ୍ଷାକୁ ଅଧିକ ଦୃଢ଼ କରିବା ପାଇଁ BSF ଆଧୁନିକ ରାଡାର୍, ଥର୍ମାଲ ଇମେଜର୍ସ ଏବଂ ଫେନ୍ସିଂ (ବାଡ଼) ଆଦି ଟେକ୍ନୋଲୋଜିର ବ୍ୟବହାର କରି ଅନ୍ଧାର ରାତିରେ ମଧ୍ୟ ପାକିସ୍ତାନ ପଟୁ ଅନୁପ୍ରବେଶକାରୀଙ୍କ ଗତିବିଧିକୁ ଚିହ୍ନଟ କରିଥାଏ।
ଆଭ୍ୟନ୍ତରୀଣ ସୁରକ୍ଷା ଅପରେସନ୍ରେ ମଧ୍ୟ BSFର ସହଯୋଗ ରହିଥାଏ। କାଶ୍ମୀର ଭଳି ସ୍ଥାନରେ ଏହା ଭାରତୀୟ ସେନା ଓ CRPF ସହିତ ମିଶି ଆତଙ୍କବାଦୀଙ୍କ ବିରୁଦ୍ଧରେ ମିଳିତ ଅପରେସନ୍ ପରିଚାଳନା କରିଥାଏ। ସୀମା ପାର୍ଶ୍ୱରୁ ମିଳୁଥିବା ଗୁଇନ୍ଦା ତଥ୍ୟକୁ ଅନ୍ୟ ସୁରକ୍ଷା ଏଜେନ୍ସିମାନଙ୍କ ସହିତ ବାଣ୍ଟିବା ଦ୍ୱାରା ଆତଙ୍କବାଦୀଙ୍କୁ ଠାବ କରିବାରେ ସହଜ ହୁଏ। ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଡ୍ରଗ୍ସ ଚାଲାଣକୁ ରୋକି BSF ଆତଙ୍କବାଦୀଙ୍କୁ ମିଳୁଥିବା ଆର୍ଥିକ ଯୋଗାଣକୁ ମଧ୍ୟ ବନ୍ଦ କରିବାରେ ମୁଖ୍ୟ ଭୂମିକା ନେଇଥାଏ। ଏହି ପ୍ରତିଷ୍ଠା ଦିବସ ଅବସରରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓ ଗୃହମନ୍ତ୍ରୀ BSFର ଯବାନମାନଙ୍କର ତ୍ୟାଗ ଓ ସାହସକୁ ସ୍ମରଣ କରି ଶୁଭେଚ୍ଛା ଜଣାଇଛନ୍ତି। ଆଜି ବିଭିନ୍ନ ସ୍ଥାନରେ ସ୍ମୃତିଚାରଣ କାର୍ଯ୍ୟକ୍ରମ ଏବଂ ପ୍ୟାରେଡ୍ ଆୟୋଜନ କରାଯାଇ ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଯାଉଛି।
