କଟକ, ଡିସେମ୍ବର ୯: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ପୁଣି ଥରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ର ମାହୋଲ୍ ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ T20I ସିରିଜ୍ର ପ୍ରଥମ ମୁକାବିଲା ଖେଳାଯିବ। ଟେଷ୍ଟ ସିରିଜ୍ ହାରିବା ପରେ ଭାରତ ଦିନିକିଆ ସିରିଜ୍ରେ ବିଜୟୀ ହୋଇ ପ୍ରତିଶୋଧ ନେଇଥିଲା ଏବଂ ଏବେ T20 ସିରିଜ୍ ଅଭିଯାନ ବାରବାଟୀ ବିଜୟରୁ ଆରମ୍ଭ କରିବାକୁ ଟିମ୍ ଇଣ୍ଡିଆ ଜୋରଦାର ପ୍ରସ୍ତୁତି କରିଛି।
ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆତ୍ମବିଶ୍ୱାସ
ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଶା ପ୍ରକାଶ କରିଛନ୍ତି ଯେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବ। ଅନ୍ୟପକ୍ଷରେ, ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ମଧ୍ୟ ଭାରତକୁ କଡ଼ା ଟକ୍କର ଦେବା ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି।
ବାରବାଟୀରେ ପୁରୁଣା ରେକର୍ଡ଼
ବାରବାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପୂର୍ବ ପ୍ରଦର୍ଶନ ଭଲ ନାହିଁ। ପୂର୍ବରୁ ଏଠାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦୁଇଟି ଯାକ T20 ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସପକ୍ଷରେ ଯାଇଛି। ଭାରତ ଏଠାରେ କେବଳ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ T20 ମ୍ୟାଚ୍ ଜିତି ପାରିଛି। ତେବେ, ବର୍ତ୍ତମାନର T20 ଟିମ୍ ଇଣ୍ଡିଆ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବାରୁ ଏହି ଖରାପ ରେକର୍ଡ଼କୁ ଭାଙ୍ଗିବାର ସୁଯୋଗ ରହିଛି।
ଟସ୍ ଓ ପିଚ୍ ହେବ ନିର୍ଣ୍ଣାୟକ
ଆଜିର ମ୍ୟାଚ୍ରେ ବାରବାଟୀର ‘ନାଲିମାଟି ପିଚ୍’ ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏହି ପିଚ୍ରେ ଟସ୍ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ରାତିରେ କାକରର ପ୍ରଭାବ କାରଣରୁ ଦ୍ୱିତୀୟରେ ବୋଲିଂ କରୁଥିବା ଦଳ ପାଇଁ ଅସୁବିଧା ସୃଷ୍ଟି ହୋଇପାରେ। ତେଣୁ, ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିପାରେ।
ଆଜି ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଘଣ୍ଟି ବଜାଇ ମ୍ୟାଚ୍ର ଶୁଭାରମ୍ଭ କରିବେ। ସମୟ ଯେତିକି ପାଖେଇ ଆସୁଛି, ଷ୍ଟାଡିୟମ୍ ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଏବଂ ପ୍ରଶଂସକଙ୍କ ଉତ୍କଣ୍ଠା ଚରମରେ ପହଞ୍ଚିଛି। ଫ୍ୟାନ୍ମାନେ ଏକ ଜୋରଦାର ଫାଇଟ୍ ଦେଖିବାକୁ ଆଶା ରଖିଛନ୍ତି।
