ଭାରତୀୟ ଗଣତନ୍ତ୍ରର ମୂଳଦୁଆ ହେଉଛି ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଏବଂ ନିରପେକ୍ଷତା। ଲୋକସଭାରେ ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (Special Integrated Revision ବା SIR) ଉପରେ ତୀବ୍ର ବିତର୍କ ଚାଲିଥିବାବେଳେ, SIR ର ଆବଶ୍ୟକତାକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ। SIR ହେଉଛି ଏକ ବୈଧାନିକ ପ୍ରକ୍ରିୟା, ଯାହା ନିର୍ବାଚନ କମିସନ ଦ୍ୱାରା ପ୍ରତି ବର୍ଷ କାର୍ଯ୍ୟକାରୀ କରାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି: ମୃତ ବ୍ୟକ୍ତି, ସ୍ଥାନାନ୍ତରିତ ବ୍ୟକ୍ତି, ଏବଂ ଗୋଟିଏ ସ୍ଥାନରେ ଏକାଧିକ ଥର ପଞ୍ଜୀକୃତ ହୋଇଥିବା ନକଲି ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦେବା। ଏହା ନିର୍ବାଚନ ପ୍ରକ୍ରିୟାରେ ହେଉଥିବା ଧାନ୍ଦୁଲି ଏବଂ ଅପବ୍ୟବହାରକୁ ରୋକିଥାଏ। ୧୮ ବର୍ଷ ବୟସ ପୂରଣ କରିଥିବା ଯୁବ ଭୋଟରମାନଙ୍କୁ ସମୟୋଚିତ ଭାବେ ତାଲିକାରେ ଅନ୍ତର୍ଭୁକ୍ତ କରିବା। ଏହାଦ୍ୱାରା ଦେଶର ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟ୍ ଦେବାର ଅଧିକାର ମିଳିଥାଏ।
SIR କେବଳ ଏକ ପ୍ରଶାସନିକ କାର୍ଯ୍ୟ ନୁହେଁ, ବରଂ ଗଣତନ୍ତ୍ରର ମୂଲ୍ୟବୋଧକୁ ସୁରକ୍ଷା ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଆଜି ଲୋକସଭାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (SIR) ଏବଂ ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ସରଗରମ ବିତର୍କ ଦେଖିବାକୁ ମିଳିଛି। ଏହି ବିତର୍କରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କଡ଼ା ମନ୍ତବ୍ୟ ଦେଇ ଶାସକ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି।
ସାମ୍ବିଧାନିକ ସଂସ୍ଥା ଉପରେ ଆକ୍ଷେପ
ତେବେ ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ‘SIR’ ପ୍ରକ୍ରିୟାକୁ ‘ଭୋଟ୍ ଚୋରି’ର ଅସ୍ତ୍ର ବୋଲି ଅଭିହିତ କରି ବିଜେପି ଏବଂ ଆର୍ଏସ୍ଏସ୍କୁ ଟାର୍ଗେଟ୍ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଯୋଜନାବଦ୍ଧ ଭାବେ ବିଭିନ୍ନ ସାମ୍ବିଧାନିକ ସଂସ୍ଥାକୁ କବ୍ଜା କରିବା ପ୍ରକ୍ରିୟା ଜାରି ରଖିଛି। “ଭୋଟ୍ ଚୋରି ସବୁଠାରୁ ବଡ଼ ଦେଶଦ୍ରୋହ। ଯଦି ଭୋଟ୍ ଚୋରି ହେବ, ତା’ହେଲେ ଲୋକସଭା, ରାଜ୍ୟସଭା, ବିଧାନସଭା କି ପଞ୍ଚାୟତ, କିଛି ବି ବଞ୍ଚିବ ନାହିଁ,” ବୋଲି ରାହୁଲ ଚେତାବନୀ ଦେଇଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିସନ ହେଉଛି ଆର୍ଏସ୍ଏସ୍-ବିଜେପିର ପ୍ରଥମ ଶିକାର ଏବଂ ଆଜି ଅନେକ ସଂସ୍ଥା ଏମାନଙ୍କ ହାତରେ ବନ୍ଦୀ। ରାହୁଲ ଗାନ୍ଧୀଙ୍କ ଏହି ଆକ୍ଷେପମୂଳକ ବୟାନକୁ ନେଇ ଲୋକସଭାରେ ତୀବ୍ର ବାଦାନୁବାଦ ସୃଷ୍ଟି ହୋଇଛି। ଜୋର୍ଦାର ବିତର୍କ ମଧ୍ୟରେ ଶାସକ ଓ ବିରୋଧୀ ମେଣ୍ଟର ସଦସ୍ୟମାନେ ପରସ୍ପରକୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଯାହା କହୁଛନ୍ତି ତାହାର କିଛି ପ୍ରମାଣ ନାହିଁ । ଅନେକ ସମୟରେ ରାହୁଲ ଯେଉଁ ଅଭିଯୋଗ ଆଣୁଛନ୍ତି ତାହାକୁ ପ୍ରମାଣ କଲେ ଗଣତନ୍ତ୍ର ପାଇଁ ସୁୁଫଳ ଆଣନ୍ତା । ଯଦି ତାଲିକାରେ ଅନିୟମିତତା ରହେ, ତେବେ ତାହା ଗଣତାନ୍ତ୍ରିକ ନିଷ୍ପତ୍ତିର ପରିଣାମକୁ ପ୍ରଭାବିତ କରିବ ଏବଂ ଭୋଟ୍ ଚୋରିର ଅଭିଯୋଗକୁ ସହଜ କରିବ।ନିର୍ବାଚନ କମିସନ ପ୍ରତିବର୍ଷ SIR ମାଧ୍ୟମରେ ଭୋଟର ତାଲିକାକୁ Update କରିବାର ଲକ୍ଷ୍ୟ ରଖିଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ସଂସ୍ଥାଗତ ଅବକ୍ଷୟର ଅଭିଯୋଗକୁ ଦୂର କରାଯାଇ ନିର୍ବାଚନ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖାଯାଇପାରିବ। ସମସ୍ତ ରାଜନୈତିକ ଦଳ ଦେଶରେ ସ୍ୱଚ୍ଛ ଏବଂ ସଠିକ୍ ଭୋଟର ତାଲିକା ଚାହିଁବା ଆବଶ୍ୟକ। ତେଣୁ, SIR ପ୍ରକ୍ରିୟା ହିଁ ଏକମାତ୍ର ମାଧ୍ୟମ ଯାହା ମାଧ୍ୟମରେ ଦେଶର ଗଣତନ୍ତ୍ରକୁ ନକଲି ଭୋଟରମାନଙ୍କ କବଳରୁ ମୁକ୍ତ କରାଯାଇପାରିବ। ଏହାକୁ ସମୟର ଆବଶ୍ୟକତା କୁହାଯାଇପାରେ ।
