କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଲୋକସଭାରେ ନିର୍ବାଚନ ସଂସ୍କାର ଉପରେ କହିଥିଲେ ଯେ ଯେକୌଣସି ପ୍ରସଙ୍ଗ ହେଉନା କାହିଁକି, ସଂସଦର ନିୟମ ଅନୁଯାୟୀ ଆମେ ସର୍ବଦା ଆଲୋଚନା ପାଇଁ ପ୍ରସ୍ତୁତ। ଅମିତ ଶାହ କହିଥିଲେ ଯେ SIR ଉପରେ ଗତ ଚାରି ମାସ ହେଲା ଏକତରଫା ମିଥ୍ୟା ପ୍ରଚାର କରାଯାଉଛି ଏବଂ ଦେଶର ଜନତାଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି। ସେ କହିଥିଲେ ଯେ ଦେଶର ସମ୍ବିଧାନରରେ ନିର୍ବାଚନ ଆୟୋଗର ଅଧିକାର ସ୍ଥିର କରାଯାଇଛି । ନିର୍ବାଚନ ଆୟୋଗ ଏକ ପ୍ରକାରର ସାମ୍ବିଧାନିକ ସଂସ୍ଥା । ସମ୍ବିଧାନ ସ୍ୱାଧୀନ ଏବଂ ନିରପେକ୍ଷ ନିର୍ବାଚନ କରିବାର ଦାୟିତ୍ୱ ନିର୍ବାଚନ ଆୟୋଗକୁ ଦେଇଛି, ମତଦାତା ସୂଚୀ ପ୍ରସ୍ତୁତ କରିବା ଏବଂ ଏଥିରେ ସୁଧାର ଆଣିବାର ଦାୟିତ୍ୱ ମଧ୍ୟ ନିର୍ବାଚନ ଆୟୋଗର।
ଶାହ କହିଥିଲେ ଯେ ସମ୍ବିଧାନର ଭାଗ ୧୫ ର ଅନୁଚ୍ଛେଦ ୩୨୪ରେ ନିର୍ବାଚନ ଆୟୋଗର ଗଠନ, ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି, ଲୋକସଭା, ରାଜ୍ୟସଭା, ବିଧାନସଭା, ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତିଙ୍କ ନିର୍ବାଚନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସମ୍ବିଧାନ ନିର୍ବାଚନ ଆୟୁକ୍ତଙ୍କୁ ଦେଇଛି। ଶ୍ରୀ ଶାହ କହିଥିଲେ ଯେ ଅନୁଚ୍ଛେଦ ୩୨୫ ଏହି ବ୍ୟବସ୍ଥା କରେ ଯେ କୌଣସି ଯୋଗ୍ୟ ମତଦାତାଙ୍କୁ ମତଦାତା ସୂଚୀରୁ ବାହାର କରାଯାଇପାରିବ ନାହିଁ, କିନ୍ତୁ ଅନୁଚ୍ଛେଦ ୩୨୬ ଗଭୀର ପୁନରୀକ୍ଷଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଅନୁଚ୍ଛେଦ ୩୨୬ରେ ମତଦାତାଙ୍କର ଯୋଗ୍ୟତା, ପ୍ରାପ୍ତତା ଏବଂ ସର୍ତ୍ତ ନିର୍ଦ୍ଧାରଣ କରାଯାଇଛି। ସେ କହିଥିଲେ ଯେ ପ୍ରଥମ ସର୍ତ୍ତ ହେଉଛି ମତଦାତା ଭାରତର ନାଗରିକ ହୋଇଥିବା ଦରକାର, ବିଦେଶୀ ନୁହେଁ। ଦ୍ୱିତୀୟ ସର୍ତ୍ତ ହେଉଛି, ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ମତଦାତା ହୋଇପାରିବେ ଏବଂ ତୃତୀୟ ସର୍ତ୍ତ ହେଉଛି ମତଦାତାଙ୍କର ମାନସିକ ଅସମର୍ଥତା, ଅପରାଧ ଏବଂ ଦୁର୍ନୀତିରେ ଜଡ଼ିତ ନଥିବେ । ଏହି ତିନୋଟି ଯୋଗ୍ୟତା ଆଧାରରେ ଭାରତର ମତଦାତା ହେବାର କଥା ସ୍ଥିର ହୁଏ ଏବଂ ଏହି ତିନୋଟି ଜିନିଷ ନିର୍ବାଚନ ଆୟୁକ୍ତଙ୍କୁ ଦେଖିବାକୁ ପଡ଼ିଥାଏ ।
ଗୃହମନ୍ତ୍ରୀ କହିଥିଲେ ଯେ ଅନୁଚ୍ଛେଦ ୩୨୭ରେ ମତଦାତା ସୂଚୀ, ସୀମା ନିର୍ଦ୍ଧାରଣ, ନିର୍ବାଚନ ପରିଚାଳନା ଏବଂ ସେଥିପାଇଁ ଆଇନ ପ୍ରଣୟନ କରିବାର ଶକ୍ତି ନିର୍ବାଚନ ଆୟୋଗକୁ ଦିଆଯାଇଛି। ଅନୁଚ୍ଛେଦ ୩୨୭ ଏହି ବ୍ୟାଖ୍ୟା ଆଧାରରେ ମତଦାତା ସୂଚୀ ପ୍ରସ୍ତୁତ କରିବାର ସମ୍ପୂର୍ଣ୍ଣ ଅଧିକାର ନିର୍ବାଚନ ଆୟୋଗକୁ ଦେଇଛି।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଆମର ଗଣତାନ୍ତ୍ରିକ ଇତିହାସ ୧୯୫୨ ରେ ଆରମ୍ଭ ହୋଇଥିଲା ଏବଂ ସବୁଠାରୁ ପ୍ରଥମ ମତଦାତା ପୁନନିରୀକ୍ଷଣ ୧୯୫୨ ରେ ହୋଇଥିଲା, ଦ୍ୱିତୀୟଟି ୧୯୫୭ ରେ ଏବଂ ତୃତୀୟଟି ୧୯୬୧ ରେ ହୋଇଥିଲା, ସେତେବେଳେ ଆମେ ସରକାରରେ ନଥିଲୁ, ବିପକ୍ଷ ଦଳର ପ୍ରଧାନମନ୍ତ୍ରୀ ଥିଲେ। ୧୯୬୫ ଓ ୧୯୬୬ ରେ ମଧ୍ୟ ପୁନନିରୀକ୍ଷଣ ହୋଇଥିଲା, ସେହି ସମୟରେ ମଧ୍ୟ ବିପକ୍ଷ ଦଳର ପ୍ରଧାନମନ୍ତ୍ରୀ ଥିଲେ। ପୁଣି ୧୯୮୩-୮୪, ୧୯୮୭-୮୯ ଏବଂ ୧୯୯୨-୯୩-୯୫ ରେ ହୋଇଥିଲା, ସେତେବେଳେ ମଧ୍ୟ ମୁଖ୍ୟ ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ଥିଲେ। ଶ୍ରୀ ଶାହ କହିଥିଲେ ଯେ ଯେତେବେଳେ ୨୦୦୨-୦୩ ରେ ପୁନରୀକ୍ଷଣ ହେଲା, ସେତେବେଳେ ଆମ ଦଳର ନେତା ପ୍ରଧାନମନ୍ତ୍ରୀ ଥିଲେ। ସେ କହିଥିଲେ ଯେ ୨୦୦୪ ରେ ଏହି ପୁନନିରୀକ୍ଷଣ ଶେଷ ହେଲା।
୨୦୦୪ ପରେ ସିଧା ୨୦୨୫ ରେ ଗଭୀର ପୁନରୀକ୍ଷଣ ହେଉଛି ଏବଂ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଆଜି ପର୍ଯ୍ୟନ୍ତ କୌଣସି ଦଳ ବିରୋଧ କରିନାହିଁ, କାରଣ ଏହା ନିର୍ବାଚନକୁ ସ୍ବଚ୍ଛ ରଖିବା, ନିର୍ବାଚନର ଉଦ୍ଦେଶ୍ୟ ଓ ଗଣତନ୍ତ୍ରକୁ ସ୍ପଚ୍ଛ ରଖିବାର ଏକ ପ୍ରକ୍ରିୟା। ଶ୍ରୀ ଶାହ କହିଥିଲେ ଯେ ଗଣତନ୍ତ୍ରରେ ଯେଉଁ ଆଧାରରେ ନିର୍ବାଚନ ହୁଏ, ସେହି ମତଦାତା ସୂଚୀ ଯଦି ପ୍ରଦୂଷିତ, ତେବେ ନିର୍ବାଚନ କିପରି ସ୍ୱଚ୍ଛ ହୋଇପାରିବ? ସେ କହିଥିଲେ ଯେ ସମୟ ସମୟରେ ମତଦାତା ସୂଚୀର ଗଭୀର ପୁନନିରୀକ୍ଷଣ ଜରୁରୀ, ସେଥିପାଇଁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛି ଯେ ୨୦୨୫ ରେ ଏହା କରାଯିବ।
ଶ୍ରୀ ଅମିତ ଶାହ କହିଥିଲେ ଯେ ୨୦୧୦ ରେ ଏକ ବ୍ୟବସ୍ଥା କରାଯାଇଥିଲା ଯେ କାହାର ନାମ ମତଦାତା ସୂଚୀରୁ କଟାଯାଇ ପାରିବ । ସେହି ସମୟରେ ମଧ୍ୟ ମୁଖ୍ୟ ବିରୋଧୀ ଦଳର ସରକାର ଥିଲା। ମୃତ୍ୟୁ ହେଲେ କିମ୍ବା ଦୁଇଟି ସ୍ଥାନରେ ମତଦାତା ଥିଲେ ନାମ କାଟିବ । ୧୮ ବର୍ଷ ବୟସ ହେଲେ ନାମ ଯୋଡ଼ିବ । ଯେଉଁମାନେ ବିଦେଶୀ ନାଗରିକ ଅଛନ୍ତି, ସେମାନଙ୍କୁ ବାଛି ବାଛି ଡିଲିଟ୍ କରିବା ହିଁ ଏସଆଇଆର । ସେ କହିଥିଲେ ଯେ ଯଦି ଦେଶର ପ୍ରଧାନମନ୍ତ୍ରୀ ବା ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଅନୁପ୍ରବେଶକାରୀମାନେ ସ୍ଥିର କରିବେ, ତେବେ କୌଣସି ଦେଶର ଗଣତନ୍ତ୍ର କ’ଣ ସୁରକ୍ଷିତ ରହିପାରିବ? ଶ୍ରୀ ଶାହ କହିଥିଲେ ଯେ SIR କେବଳ ମତଦାତା ସୂଚୀର ଶୁଦ୍ଧିକରଣ, କିନ୍ତୁ ଏହା ଦ୍ୱାରା କିଛି ଦଳର ରାଜନୈତିକ ସ୍ୱାର୍ଥ ଆହତ ହେଉଛି। ସେ କହିଥିଲେ ଯେ ଏହି ଦେଶର ସଂସଦ କିମ୍ବା ରାଜ୍ୟ ବିଧାନସଭାକୁ ବାଛିବା ପାଇଁ ବିଦେଶୀଙ୍କୁ ଭୋଟ୍ ଦେବାର ଅଧିକାର ଦେବା ଉଚିତ ନୁହେଁ।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଏସଆଇଆର ମତଦାତା ସୂଚୀରେ ସୁଧାର ଆଣିବାର ପ୍ରକ୍ରିୟା ମାତ୍ର। ସେ କହିଥିଲେ ଯେ ମତଦାତା ସୂଚୀ ପୁରୁଣା ହେଉ ବା ନୂଆ, ବିରୋଧୀ ଦଳର ହାରିବା ସ୍ଥିର, ଏହା ମତଦାତା ସୂଚୀରୁ ହୁଏ ନାହିଁ। ଯେଉଁମାନେ ଜନସାଧାରଣଙ୍କ ହିତ ବିରୁଦ୍ଧରେ କାମ କରନ୍ତି, ସେମାନଙ୍କୁ ଆଣ୍ଟି-ଇନକମ୍ବେନ୍ସି ର ସାମ୍ନା କରିବାକୁ ପଡ଼େ। ଶ୍ରୀ ଶାହ କହିଥିଲେ ଯେ ଯେତେବେଳେ ଆମେ ନିର୍ବାଚନ ହାରୁ, ସେତେବେଳେ ବିରୋଧୀ ମତଦାତା ସୂଚୀର ବିରୋଧ କରନ୍ତି ନାହିଁ, କିନ୍ତୁ ଯେତେବେଳେ ସମ୍ପ୍ରତି ଘଟିଥିବା ଏକ ରାଜ୍ୟ ଭଳି ବଡ଼ ଧରଣର ପରାଜୟ ମିଳେ, ସେତେବେଳେ ମତଦାତା ସୂଚୀର ବିରୋଧ କରନ୍ତି। ସେ କହିଥିଲେ ଯେ ଯେତେବେଳେ ଆପଣ ଜିତନ୍ତି, ସେତେବେଳେ ନିର୍ବାଚନ ଆୟୋଗ ମହାନ, ଯେତେବେଳେ ହାରନ୍ତି, ସେତେବେଳେ ନିର୍ବାଚନ ଆୟୋଗ ଉପରେ ଅଭିଯୋଗ ଲଗାନ୍ତି। ଯେତେବେଳେ ଆପଣ ଜିତନ୍ତି, ମତଦାତା ସୂଚୀ ଭଲ, ଯେତେବେଳେ ହାରନ୍ତି, ମତଦାତା ସୂଚୀ ଖରାପ, କିନ୍ତୁ ଏପରି ଦୁଇଟି ମାନଦଣ୍ଡ ଗଣତନ୍ତ୍ରରେ ଚଳିବ ନାହିଁ। ଶ୍ରୀ ଶାହ କହିଥିଲେ ଯେ ଆମର କିଛି ପରିବାର ଅଛନ୍ତି ଯେଉଁମାନେ ପୁରୁଷାନୁକ୍ରମେ ଭୋଟ୍ ଚୋରି କରନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ଆମେ ମଧ୍ୟ ବିରୋଧୀ ଦଳରେ ବସିଛୁ। ସେ କହିଥିଲେ ଯେ ରାଜ୍ୟ ହେଉ ବା କେନ୍ଦ୍ର, ଆମେ କେବେହେଲେ ନିର୍ବାଚନ ଆୟୋଗ ଏବଂ ନିର୍ବାଚନ ଆୟୁକ୍ତଙ୍କ ଉପରେ ଅଭିଯୋଗ ଲଗାଇ ନାହୁଁ। ଶ୍ରୀ ଶାହ କହିଥିଲେ ଯେ ନିର୍ବାଚନ ଆୟୋଗ ହେଉଛି ନିରପେକ୍ଷତା ସହିତ ନିର୍ବାଚନ କରାଇବା ସଂସ୍ଥା ଏବଂ ଏହାକୁ କୌଣସି ରାଜନୈତିକ ପାର୍ଟି ନୁହେଁ, ବରଂ ସମ୍ବିଧାନରୁ ମାନ୍ୟତା ମିଳିଛି। ସେ କହିଥିଲେ ଯେ ମତଦାତା ପୁନରୀକ୍ଷଣ ଏକ ସାମ୍ବିଧାନିକ ପ୍ରକ୍ରିୟା, ଏବଂ ସାମ୍ବିଧାନିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଏବଂ ଅଯଥା ଅଭିଯୋଗ ଲଗାଇ ବିରୋଧୀ ଦଳ ସାରା ବିଶ୍ୱରେ ନିର୍ବାଚନ ଆୟୋଗର ଛବିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଏହା କରି ବିରୋଧୀ ଦଳ ସାରା ବିଶ୍ୱରେ ଭାରତର ଗଣତନ୍ତ୍ରର ଛବିକୁ ମଧ୍ୟ କ୍ଷୁଣ୍ଣ କରୁଛନ୍ତି। ଶ୍ରୀ ଶାହ କହିଥିଲେ ଯେ ଦେଶର ମତଦାତାଙ୍କୁ ଜଣା ଅଛି ଯେ ସେମାନେ ଆମକୁ ଭୋଟ୍ ଦେଇଛନ୍ତି, ସେଥିପାଇଁ ଆମେ ନିର୍ବାଚିତ ହୋଇ ଆସିଛୁ। ସେ କହିଥିଲେ ଯେ ଭୋଟରଙ୍କ ମନରେ କୌଣସି ସନ୍ଦେହ ନାହିଁ। ଶ୍ରୀ ଶାହ କହିଥିଲେ ଯେ ନିର୍ବାଚନରେ ଜିତି ନ ପାରିଲେ ନିର୍ବାଚନ ଆୟୋଗ, ନିର୍ବାଚନ ପ୍ରକ୍ରିୟା ଏବଂ ମତଦାତା ସୂଚୀକୁ ବଦନାମ କରିବାର ଏହି ନୂଆ ପରମ୍ପରା ଆମ ଗଣତନ୍ତ୍ରର ମଙ୍ଗଳ କରିବ ନାହିଁ।
ଶ୍ରୀ ଅମିତ ଶାହ କହିଥିଲେ ଯେ ମଇ ୨୦୧୪ ରେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ବିରୋଧୀଙ୍କର ଆପତ୍ତି ରହିଛି। ଶ୍ରୀ ଶାହ କହିଥିଲେ ଯେ ତାଙ୍କ ମେଣ୍ଟ ତିନୋଟି ଲୋକସଭା ନିର୍ବାଚନ ଏବଂ ୪୧ ଟି ରାଜ୍ୟର ବିଧାନସଭା ନିର୍ବାଚନ ଅର୍ଥାତ୍ ମୋଟ ୪୪ ଟି ନିର୍ବାଚନ ଜିତିଛି, ଏହା ସହିତ ବିରୋଧୀ ଦଳମାନେ ମଧ୍ୟ ୩୦ ଟି ବିଧାନସଭା ନିର୍ବାଚନ ଜିତିଛନ୍ତି। ଯଦି ମତଦାତା ସୂଚୀରେ ଗଡ଼ବଡ଼ ଅଛି, ତେବେ ନିର୍ବାଚନ ଜିତିବା ପରେ ବିରୋଧୀ ଦଳମାନେ ଶପଥ କାହିଁକି ନେଲେ ଏବଂ ନିର୍ବାଚନ ହିଁ କାହିଁକି ଲଢ଼ିଲେ? ସେ କହିଥିଲେ ଯେ ମତଦାତା ସୂଚୀରେ ଯଦି ସାମାନ୍ୟ କିଛି ତ୍ରୁଟି ଅଛି, ତେବେ ପୁନନିରୀକ୍ଷଣ କରାଯାଉଛି ଏବଂ ଏହାର ଅର୍ଥ ହିଁ ମତଦାତା ସୂଚୀରେ ସୁଧାର ଆଣିବାର ପ୍ରକ୍ରିୟା, କିନ୍ତୁ ବିରୋଧୀ ଦଳମାନେ ଏହାକୁ ବର୍ଜନ କରୁଛନ୍ତି ଏବଂ ସେମାନଙ୍କ ସରକାର ଏହି ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି। ଶ୍ରୀ ଶାହ କହିଥିଲେ ଯେ ମତଦାତା ସୂଚୀର ଶୁଦ୍ଧିକରଣ ବିରୋଧୀଙ୍କ ଦାବି, ଏବଂ ନିର୍ବାଚନ ଆୟୋଗ ତାହା ହିଁ କରୁଛି।
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ଯଦି ବିରୋଧୀ ଦଳ ଏହା ଭାବେ ଯେ ଗଣତନ୍ତ୍ରରେ କେବଳ ଆପଣଙ୍କ ପସନ୍ଦର ପ୍ରଶ୍ନ ପଚରାଯିବ, ତେବେ ଏହା ହୋଇପାରିବ ନାହିଁ, କାରଣ ଏହା କୌଣସି ଜରୁରୀକାଳୀନ ପରିସ୍ଥିତି ନୁହେଁ। ସେ କହିଥିଲେ ଯେ ଯଦି କୌଣସି ସାମ୍ବାଦିକ ପ୍ରଶ୍ନ କରେ, ତେବେ ଆପଣ ତାଙ୍କୁ କ୍ଷମତାସୀନ ଦଳର ଏଜେଣ୍ଟ କହନ୍ତି, ମାମଲା ହାରିଲେ ବିଚାରପତିଙ୍କ ଉପରେ ଅଭିଯୋଗ ଲଗାନ୍ତି ଏବଂ ନିର୍ବାଚନ ହାରିଲେ ଇଭିଏମ୍ ଉପରେ ପ୍ରଶ୍ନ ଉଠାନ୍ତି। ଯେତେବେଳେ ଇଭିଏମ୍ରେ ଗଡ଼ବଡ଼ର ଯୁକ୍ତି ଲୋକଙ୍କ ଗଳାରେ ଅଟକିଲା ନାହିଁ, ତେବେ ଏବେ ଭୋଟ୍ ଚୋରିକୁ ପ୍ରସଙ୍ଗ କରି ବିରୋଧୀ ଦଳ ଯାତ୍ରା କଲେ, କିନ୍ତୁ ତଥାପି ହାରିଗଲେ। ସେ କହିଥିଲେ ଯେ ନିର୍ବାଚନ ହାରିବାର କାରଣ ବିରୋଧୀଙ୍କ ନେତୃତ୍ୱ, ଇଭିଏମ୍ କିମ୍ବା ମତଦାତା ସୂଚୀ ନୁହେଁ।
ଶ୍ରୀ ଅମିତ ଶାହ କହିଥିଲେ ଯେ ୧୫ ମାର୍ଚ୍ଚ ୧୯୮୯ ରେ ଯେତେବେଳେ ମୁଖ୍ୟ ବିରୋଧୀ ଦଳର ନେତା ଏହି ଦେଶର ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ଆଇନଗତ ପରିବର୍ତ୍ତନ କରି ଇଭିଏମ୍ (EVM) ଅଣାଯାଇଥିଲା। ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପାଞ୍ଚ ଜଣ ବିଚାରପତିଙ୍କ ବେଞ୍ଚ ଇଭିଏମ୍ ସମ୍ବନ୍ଧୀୟ ଆଇନଗତ ପରିବର୍ତ୍ତନକୁ ୨୦୦୨ ରେ ଉଚିତ ବୋଲି ଦର୍ଶାଇଥିଲେ। ସେ କହିଥିଲେ ଯେ ଇଭିଏମ୍ର ବ୍ୟବହାର ସବୁଠାରୁ ପ୍ରଥମେ ସମ୍ପୂର୍ଣ୍ଣ ଦେଶରେ ୨୦୦୪ ରେ ଆରମ୍ଭ ହେଲା ଏବଂ ସେତେବେଳେ ବିରୋଧୀ ଦଳ ଜିତି ଯାଇଥିଲା। ସେ କହିଥିଲେ ଯେ ୨୦୦୯ ନିର୍ବାଚନ ମଧ୍ୟ ଇଭିଏମ୍ ଦ୍ୱାରା ହୋଇଥିଲା, ଏବଂ ବିରୋଧୀ ଦଳ ଜିତିବା ପରେ ଚୁପ୍ ରହିଲା। ସେ ବିରୋଧୀଙ୍କୁ କହିଥିଲେ ଯେ ଇଭିଏମ୍ ସମ୍ବନ୍ଧୀୟ ଆଇନ ଆପଣ ଆଣିଲେ, ମେସିନ୍ ଆପଣ ଇଣ୍ଟ୍ରୋଡ୍ୟୁସ୍ କଲେ, ଇଭିଏମ୍ ଦ୍ୱାରା ଦେଶରେ ହୋଇଥିବା ପ୍ରଥମ ଓ ଦ୍ୱିତୀୟ ନିର୍ବାଚନ ମଧ୍ୟ ବିରୋଧୀ ହିଁ ଜିତିଲେ, ଦଶ ବର୍ଷ ରାଜ୍ କଲେ, କିନ୍ତୁ ଯେତେବେଳେ ହାରିଗଲେ, ଇଭିଏମ୍ରେ ଗଡ଼ବଡ଼ର ଅଭିଯୋଗ ଲଗାଇବାକୁ ଲାଗିଲେ। ଶ୍ରୀ ଶାହ କହିଥିଲେ ଯେ ୧୧ ବର୍ଷ ଧରି EVM ଏବଂ ଭୋଟ୍ ଚୋରି କଥା କହୁଥିବା ମୁଖ୍ୟ ବିରୋଧୀ ଦଳ ନିର୍ବାଚନ ସଂସ୍କାର ଉପରେ ଆଜି ପର୍ଯ୍ୟନ୍ତ ନିର୍ବାଚନ ଆୟୋଗକୁ ଗୋଟିଏ ବି ପରାମର୍ଶ ଦେଇ ନାହିଁ।
ଶ୍ରୀ ଅମିତ ଶାହ କହିଥିଲେ ଯେ ପାଞ୍ଚ ବର୍ଷର ଗବେଷଣା ପରେ ଭିଭିପାଟ୍ (VVPAT) ଆରମ୍ଭ ହେଲା, ଯାହା ଦ୍ୱାରା ଜଣାପଡ଼େ ଯେ ଭୋଟର ଯେଉଁ ଦଳକୁ ଭୋଟ୍ ଦେଇଛନ୍ତି, ତାହା ସେହି ଦଳର ଚିହ୍ନରେ ରେଜିଷ୍ଟର ହୋଇଛି। କିନ୍ତୁ ପୁଣି ବିରୋଧୀ ଦଳ ଭିଭିପାଟ୍ ଉପରେ ଅଭିଯୋଗ ଲଗାଇବା ଆରମ୍ଭ କଲେ। ସେ କହିଥିଲେ ଯେ ସେତେବେଳେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିଲେ ଯେ ଶତକଡ଼ା ପାଞ୍ଚ ଭାଗ ଇଭିଏମ୍ ଏବଂ ଭିଭିପାଟ୍ର ଫଳାଫଳ ମିଳାଯିବ। ଏପର୍ଯ୍ୟନ୍ତ ୧୬ ହଜାର ଇଭିଏମ୍ ଏବଂ ଭିଭିପାଟ୍ର ମିଳାନ ହୋଇଛି, କିନ୍ତୁ ଗୋଟିଏରେ ମଧ୍ୟ ଗୋଟିଏ ବି ଭୋଟର ପରିବର୍ତ୍ତନ ହୋଇ ନାହିଁ। ଯେତେବେଳେ ଭୋଟ୍ ଗଣନା ହୁଏ, ସମସ୍ତଙ୍କର ପୋଲିଂ ଏଜେଣ୍ଟ ଉପସ୍ଥିତ ଥାଆନ୍ତି, ଏବଂ ଫଳାଫଳ ଉପରେ ସେମାନଙ୍କର ଦସ୍ତଖତ ଥାଏ। ସେମାନେ ଉଭୟ ପ୍ରକାରର ଫଳାଫଳ ଅର୍ଥାତ୍ ଇଭିଏମ୍ ଏବଂ ଭିଭିପାଟ୍ର ଫଳାଫଳ ଉପରେ ମଧ୍ୟ ଦସ୍ତଖତ କରନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ନିର୍ବାଚନ ଆୟୋଗ ୨୦୦୯ ରେ ଇଭିଏମ୍ରେ ହେରଫେର୍ ଅଭିଯୋଗର ଜବାବରେ ୧୦ ଟି ରାଜ୍ୟରେ ୧୦୦ ଟି ଇଭିଏମ୍ ଲଗାଇ ଚ୍ୟାଲେଞ୍ଜ ଦେଇଥିଲେ। ସମସ୍ତେ ଚେଷ୍ଟା କଲେ, କିନ୍ତୁ କେହି ବି ଇଭିଏମ୍ରେ ହେରଫେର୍ କରିପାରିଲେ ନାହିଁ। ସେ କହିଥିଲେ ଯେ ଜୁନ୍ ୨୦୧୭ ରେ ନିର୍ବାଚନ ଆୟୋଗ ତିନି ଦିନ ପର୍ଯ୍ୟନ୍ତ ନିଜ କାର୍ଯ୍ୟାଳୟରେ ଇଭିଏମ୍ ରଖି ଘୋଷଣା କରିଥିଲେ ଯେ କୌଣସି ରାଜନୈତିକ ଦଳ, କୌଣସି ବୈଷୟିକ ବିଶେଷଜ୍ଞ କିମ୍ବା କୌଣସି ବୈଜ୍ଞାନିକ ଆସି ଇଭିଏମ୍କୁ ହ୍ୟାକ୍ କରି ଦେଖାନ୍ତୁ। କିନ୍ତୁ ବିରୋଧୀ ଦଳ ସେଠାକୁ ଗଲେ ନାହିଁ। ସେ କହିଥିଲେ ଯେ ବିରୋଧୀ ଦଳର ଲୋକେ କେବଳ ପ୍ରେସ୍ରେ ଅଭିଯୋଗ ଲଗାନ୍ତି, ନା କୋର୍ଟକୁ ଯାଆନ୍ତି ନା ନିର୍ବାଚନ ଆୟୋଗଙ୍କ ପାଖକୁ ଯାଆନ୍ତି। ୨୦୧୭ ରେ ନିର୍ବାଚନ ଆୟୋଗ ଏହି ନିଷ୍କର୍ଷରେ ପହଞ୍ଚିଥିଲେ ଯେ ଆଗାମୀ ସମସ୍ତ ନିର୍ବାଚନ ଇଭିଏମ୍ ଦ୍ୱାରା ହିଁ ହେବ। କିନ୍ତୁ ବିରୋଧୀ ଦଳ କାହିଁକି ଏତେ ବିରୋଧ କରୁଛନ୍ତି?
ଶ୍ରୀ ଅମିତ ଶାହ କହିଥିଲେ ଯେ ମୋଦୀ ଜନସମ୍ପର୍କରେ ସ୍ୱାଧୀନତା ପରେ ସବୁଠାରୁ ଅଧିକ ପ୍ରବାସ କରିଥିବା ପ୍ରଧାନମନ୍ତ୍ରୀ ଅଟନ୍ତି। ସେ କହିଥିଲେ ଯେ ମୋଦୀ ୨୦୦୧ ରୁ ଗୋଟିଏ ଦିନ ମଧ୍ୟ ଛୁଟି ନେଇ ନାହାନ୍ତି ଏବଂ ଲଗାତାର ଜନତାଙ୍କ ପାଇଁ କାମ କରୁଛନ୍ତି। ଗୃହମନ୍ତ୍ରୀ କହିଥିଲେ ଯେ ମଇ ୨୦୧୪ ରେ ନରେନ୍ଦ୍ର ମୋଦୀ ସରକାର ଗଠନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ମୁଖ୍ୟ ବିରୋଧୀ ଦଳ ଠାରୁ ନିର୍ବାଚନ ଆୟୋଗକୁ ନିର୍ବାଚନ ସଂସ୍କାରର ଗୋଟିଏ ବି ପରାମର୍ଶ ମିଳି ନାହିଁ। ସେ କହିଥିଲେ ଯେ ବିରୋଧୀ ଦଳର ନେତାଙ୍କୁ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତିରେ ସାମିଲ କରିବାର କାମ ମୋଦୀ ସରକାର କରିଛନ୍ତି, ଏହା ପୂର୍ବରୁ କେବଳ ପ୍ରଧାନମନ୍ତ୍ରୀ ହିଁ ଏହି ନିଷ୍ପତ୍ତି ନେଉଥିଲେ।
ଗୃହମନ୍ତ୍ରୀ କହିଥିଲେ ଯେ ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ର ଧାରା ୮୧ ରେ ଏକ ପ୍ରାବଧାନ ଅଛି ଯେ ପ୍ରାର୍ଥୀ ନିର୍ବାଚିତ ହେବା ପରେ ୪୫ ଦିନ ମଧ୍ୟରେ ନିର୍ବାଚନ ଆବେଦନ ଦାଖଲ କରିପାରିବେ ଏବଂ ୪୫ ଦିନ ପରେ ଏହାକୁ କେହି ଚ୍ୟାଲେଞ୍ଜ କରିପାରିବେ ନାହିଁ। ଶ୍ରୀ ଶାହ କହିଥିଲେ ଯେ RPI Act ୧୯୫୦ ରେ ECI ର ଅଧିକାରୀମାନଙ୍କୁ ଯେଉଁ ଦାୟିତ୍ବ ମିଳିଛି, ଆମେ ତାହାକୁ ଆଦୌ ବୃଦ୍ଧି କରି ନାହୁଁ। ସେ କହିଥିଲେ ଯେ ବିରୋଧୀ ଦଳର ମୂଳ ପ୍ରସଙ୍ଗ ହେଉଛି ଅବୈଧ ଅନୁପ୍ରବେଶକାରୀଙ୍କୁ ମତଦାତା ସୂଚୀରେ ରଖିବା। ସେ କହିଥିଲେ ଯେ ବିରୋଧୀ ଦଳ ୨୦୦ ଥର ବର୍ଜନ କଲେ ମଧ୍ୟ, ଗୋଟିଏ ବି ଅବୈଧ ଅନୁପ୍ରବେଶକାରୀଙ୍କୁ ଆମେ ଦେଶରେ ଭୋଟ୍ ଦେବାକୁ ଦେବୁ ନାହିଁ। ଗୃହମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ନୀତି ହେଉଛି ଡିଟେକ୍ଟ୍ (ଚିହ୍ନଟ କର), ଡିଲିଟ୍ (ବାହାର କର) ଏବଂ ଡିପୋର୍ଟ (ପଠାଇ ଦିଅ) କରିବାର ଏବଂ ଆମେ ଏହି କାମ ସାମ୍ବିଧାନିକ ପ୍ରକ୍ରିୟାରେ କରିବୁ।
ଶ୍ରୀ ଅମିତ ଶାହ କହିଥିଲେ ଯେ ବିରୋଧୀଙ୍କ ନୀତି ହେଉଛି ପ୍ରଥମେ ଅନୁପ୍ରବେଶକାରୀଙ୍କୁ ସ୍ୱାଭାବିକ କରିଦିଅ, ମାନ୍ୟତା ଦିଅ ଏବଂ ତା’ପରେ ମତଦାତା ସୂଚୀରେ ପକାଇ ଫର୍ମାଲାଇଜ୍ କରିଦିଅ। ସେ କହିଥିଲେ ଯେ ଜନସଂଖ୍ୟାରେ ଏତେ ବଡ଼ ପରିବର୍ତ୍ତନ ଦେଶ ପାଇଁ ଏକ ବଡ଼ ବିପଦ। ଏହି ଦେଶ ଥରେ ଜନସଂଖ୍ୟା ଆଧାରରେ ବିଭାଜିତ ହୋଇସାରିଛି ଏବଂ ଆମେ ଚାହୁଁନାହୁଁ ଯେ ଆଗାମୀ ପିଢ଼ି ଏହି ଦେଶର ମଧ୍ୟ ବିଭାଜନ ଦେଖୁ। ସେ କହିଥିଲେ ଯେ ବିରୋଧୀ ଦଳ ୨୦୦ ଥର ମଧ୍ୟ ସଦନ ବର୍ଜନ କଲେ ମଧ୍ୟ ଆମେ ଗୋଟିଏ ବି ଅନୁପ୍ରବେଶକାରୀଙ୍କୁ ମତଦାନର ଅଧିକାର ଦେବୁ ନାହିଁ।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଦେଶ ପାଇଁ ମରିବା, ଦେଶକୁ ସମୃଦ୍ଧିର ପରମ ଶିଖରରେ ପହଞ୍ଚାଇବା ଏବଂ ଦେଶର ସଂସ୍କୃତିର ଝଣ୍ଡା ଉଠାଇବା ହିଁ RSS ର ବିଚାରଧାରା। ସେ କହିଥିଲେ ଯେ ବିରୋଧୀ ଦଳ ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍, ଧାରା ୩୭୦ ହଟାଇବା, ରାମ ମନ୍ଦିର ନିର୍ମାଣ, ଅନୁପ୍ରବେଶକାରୀ ହଟାଇବା, CAA, ତିନି ତଲାକ୍ ହଟାଇବା ଏବଂ ୱାନ୍ ନେସନ୍ ୱାନ୍ ଇଲେକ୍ସନ ର ବିରୋଧ କରିଥିଲେ, ସେଥିପାଇଁ ଆମେ ଜିତିଛୁ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଭିତ୍ତିଭୂମିକୁ ତିନି ଗୁଣ ବୃଦ୍ଧି କରିବାର କାମ କରିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ତାମିଲନାଡୁରେ ହିନ୍ଦୁମାନଙ୍କୁ ପୂଜା କରିବାର ଅଧିକାର ଦେଇଥିବା ବିଚାରପତିଙ୍କ ବିରୁଦ୍ଧରେ ବିରୋଧୀ ମେଣ୍ଟ ମହାଭିଯୋଗ ପ୍ରସ୍ତାବ ଆଣିଛି, ଦେଶର ଜନତା ସେମାନଙ୍କୁ କେବେହେଲେ କ୍ଷମା କରିବେ ନାହିଁ।