‘ରାଜନୀତିରେ ବାପ-ପୁଅ ସମ୍ପର୍କ ନାହିଁ’ :ପ୍ରଫୁଲ୍ଲ ସାମଲ

‘ରାଜନୀତିରେ ବାପ-ପୁଅ ସମ୍ପର୍କ ନାହିଁ’ :ପ୍ରଫୁଲ୍ଲ ସାମଲ

ପୁଅମାନଙ୍କର ଦଳ ପରିବର୍ତ୍ତନ ଘଟଣା ଉପରେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି:”ପାରିବାରିକ ଜୀବନ ଓ ରାଜନୈତିକ ଜୀବନ ସମାନ କଥା ନୁହେଁ। ରାଜନୀତିରେ ବାପ-ପୁଅର ସମ୍ପର୍କ ନାହିଁ। ପୁଅ ଦଳ ବଦଳାଇଲେ ଏଥିରେ ମୋର କିଛି କରିବାର ନାହିଁ। ମୁଁ ବିଜେଡି ଦଳରେ ଅଛି। ଆମ ନେତା ନବୀନ ପଟ୍ଟନାୟକ। ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ବିଜେଡି ପାଇଁ କାମ କରୁଛୁ।”ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଭଦ୍ରକରେ ବିଜେଡି ଭାଙ୍ଗି ଯାଉଥିବା କଥା ଠିକ୍ ନୁହେଁ, ବରଂ ଦଳ ସୁଦୃଢ଼ ଅଛି ଏବଂ ଆଗକୁ ଆହୁରି ସୁଦୃଢ଼ କରାଯିବ। ଓଡ଼ିଶା ରାଜନୀତିରେ ସମ୍ପର୍କ ଏବଂ ବିଶ୍ୱାସର ସୂତ୍ର କେତେ ଦୁର୍ବଳ, ତାହା ପୁଣି ଥରେ ପ୍ରମାଣିତ ହୋଇଛି ଭଦ୍ରକ ଜିଲ୍ଲାରେ। ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁତ୍ର – ପୂର୍ବତନ ଭଦ୍ରକ ପୌରାଧ୍ୟକ୍ଷ ପ୍ରୟାସକାନ୍ତି ‘ଲୁଲୁ’ ସାମଲ ଏବଂ ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତି ‘ଜୁଲୁ’ ସାମଲ – ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ପରେ ଭଦ୍ରକ ଜିଲ୍ଲାରେ ବିଜେଡି ସଂଗଠନ ଏକ ବଡ଼ ଝଟକା ଖାଇଛି ଏବଂ ଜିଲ୍ଲା ରାଜନୀତି ଏବେ ଉଷ୍ଣ ଓ ଦୁଇଫାଳ ହୋଇଯାଇଛି।

ଗତ ଡିସେମ୍ବର ୬ ତାରିଖରେ ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକ ଜିଲ୍ଲାର ୪ ଜଣ ବ୍ଲକ ଅଧ୍ୟକ୍ଷ ଏବଂ ୫୦ରୁ ଅଧିକ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଏକ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ସାମଲ ପରିବାରର ଦୁଇ ପୁଅଙ୍କ ଯୋଗଦାନ ଏହି ଘଟଣାକୁ ଜିଲ୍ଲା ରାଜନୀତିରେ ସର୍ବାଧିକ ଚର୍ଚ୍ଚିତ କରିଛି। ତେବେ ଏହି ମିଶ୍ରଣ ପର୍ବକୁ ନେଇ ଭଦ୍ରକ ରାଜନୀତିର ତାପମାତ୍ରା ବଢ଼ିବାରେ ଲାଗିଛି। ବିଜେଡି ଏବଂ କଂଗ୍ରେସ ଉଭୟ ଦଳର ନେତାମାନେ ଲୁଲୁ ସାମଲଙ୍କୁ ଟାର୍ଗେଟ କରୁଛନ୍ତି। ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ଏହି ନେତାଙ୍କ ଦଳ ପରିବର୍ତ୍ତନ ପଛରେ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ପ୍ରସଙ୍ଗ ଏବଂ ED ଯାଞ୍ଚର ଭୟ ରହିଛି। କଂଗ୍ରେସ ନେତା ବୁଲୁ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଲୁଲୁଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ ତାଙ୍କର ବିଜେପିରେ ମିଶ୍ରଣ ପାଇଁ କୌଣସି ‘ଡିଲ୍’ ହୋଇଛି କି? ପିତାଙ୍କର ବିଜେଡି ପ୍ରତି ଅଟଳ ଆସ୍ଥା ଏବଂ ପୁଅମାନଙ୍କର ବିଜେପିରେ ଯୋଗଦାନ ଘଟଣା ଆଗାମୀ ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ବିଜେଡିର ଗଡ଼କୁ କେତେ ପ୍ରଭାବିତ କରୁଛି, ତାହା ଦେଖିବାକୁ ବାକି ରହିଲା।

Posted in ରାଜ୍ୟ, ରାଜନୀତି.