ଓଡ଼ିଶା କଂଗ୍ରେସର ଦୁର୍ଗତିକୁ ବିଷୟରେ ଆଲୋଚନା ହେଉଛି । ବିଜେଡି ଓ ବିଜେପି ମଧ୍ୟରେ ହଜିଗଲାଣି ଏହି ପୁରୁଣା ଦଳ । ଓଡ଼ିଶାର ରାଜନୀତିରେ ଏକଦା ଶାସନର କେନ୍ଦ୍ରବିନ୍ଦୁ ଥିବା ଭାରତୀୟ ଜାତୀୟ କଂଗ୍ରେସ ଆଜି ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି। ଗତ ଦୁଇ ଦଶନ୍ଧି ଧରି ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଭିତରେ କଂଗ୍ରେସ ଧୀରେ ଧୀରେ ଦୁର୍ଗତିର ଶିକାର ହେଉଛି । କଂଗ୍ରେସର ସବୁଠାରୁ ବଡ଼ ଶତ୍ରୁ ହେଉଛି ନିଜର ଗୋଷ୍ଠୀ କନ୍ଦଳ। ପିସିସି ସଭାପତିଙ୍କ ଚେୟାରକୁ ନେଇ ଏଠି ମାଙ୍କଡ଼ଙ୍କ ପିଠା କଳି ଚାଲିଛି । ବରିଷ୍ଠ ନେତାମାନଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଓ ଛକାପଞ୍ଝା ଯୋଗୁଁ କର୍ମୀମାନେ ଦଶନ୍ଧି ଦଶନ୍ଧି ଧରି ନୈରାଶ୍ୟରେ ବୁଡ଼ି ରହୁଛନ୍ତି। ନିକଟରେ ମହମ୍ମଦ ମୋକିମ୍ଙ୍କ ଭଳି ବରିଷ୍ଠ ନେତାଙ୍କ ଅସନ୍ତୋଷ ପ୍ରକାଶ ଏହି ଆଭ୍ୟନ୍ତରୀଣ ଦୁର୍ବଳତାକୁ ସାମ୍ନାକୁ ଆଣିଛି।
ରାଜ୍ୟସ୍ତରରେ କଂଗ୍ରେସ ଏବେ ସର୍ବଜନଗ୍ରାହ୍ୟ ଓ ଦୃଢ଼ ନେତୃତ୍ୱ ସ୍ଥାପିତ କରିପାରି ନାହିଁ। ଯେତେବେଳେ ବିରୋଧୀ ଦଳ ଭାବରେ ବିଜେପି ଏକ ସ୍ପଷ୍ଟ ଚେହେରା ଓ ଆଭିମୁଖ୍ୟ ନେଇ ଆଗକୁ ଆସିପାରୁଛି, ସେତେବେଳେ କଂଗ୍ରେସ କାହା ନେତୃତ୍ୱରେ ନିର୍ବାଚନ ଲଢ଼ିବ, ସେ ନିଷ୍ପତ୍ତି ନେବାରେ ବିଫଳ ହୋଇଛି। ହାଇକମାଣ୍ଡଙ୍କ ଅତ୍ୟଧିକ ହସ୍ତକ୍ଷେପ ମଧ୍ୟ ସ୍ଥାନୀୟ ନେତାଙ୍କୁ ଏଠି ଦୁର୍ବଳ କରୁଛି।
ଅତୀତରେ ଦେଖାଯାଇଛି କଂଗ୍ରେସ ଗତ ସରକାରରେ ଥିବା ବିଜେଡି ବିରୋଧରେ କୌଣସି ଏକ ସ୍ପଷ୍ଟ ଓ ପ୍ରଭାବଶାଳୀ ବିକଳ୍ପ ରାଜନୀତି ଉପସ୍ଥାପନ କରିପାରିନଥିଲା । 25 ବର୍ଷ ଧରି ଏହି ଦଳରେ ନେତା ସଙ୍କଟ ଲାଗି ରହିଥିଲା । ଜାନକୀ ବଲ୍ଲଭଙ୍କ ପରେ ଏହି ଦଳରେ କୈାଣସି ନେତା ଗ୍ରହଣୀୟ ହୋଇପାରିଲେ ନାହିଁ। କେବଳ ଦୁର୍ନୀତି ଅଭିଯୋଗ ଗଣମାଧ୍ୟମରେ କରିଚାଲିଥିଲା ଦଳ । ଓଡ଼ିଶାର ଖଟିଖିଆ, ମେହନତି ଲୋକଙ୍କୁ ଆକୃଷ୍ଟ କରିବା ଭଳି କୌଣସି ନୂତନ ବିକାଶମୂଳକ ମୁଦ୍ଦା , ଯୋଜନା କିମ୍ବା ଆଭିମୁଖ୍ୟ ପ୍ରଦର୍ଶନ କରିବାରେ ଏହା ବିଫଳ ହୋଇଥିଲା । ଫଳରେ, ବିରୋଧୀ ଭୋଟ୍ ମୁଖ୍ୟତଃ ବିଜେପି ଆଡ଼କୁ ଢଳିଲା । ଗତ ନିର୍ବାଚନରେ ତାହାର ଫାଇଦା ନେଇ ବିଜେପି ଏବେ ରାଜ୍ୟରେ ସରକାର ଗଠନ କରୁଛି । ଓଡ଼ିଶା କଂଗ୍ରେସ ରସାତଳ ହୋଇଛି । ପୂର୍ବରୁ ପଶ୍ଚିମ କଂଗ୍ରେସର ସବୁ ଦୁର୍ଗ ମାଟିରେ ମିଶିଛି ।
ଓଡ଼ିଶା କଂଗ୍ରେସକୁ ଏହି ଦୁର୍ଗତିରୁ ବାହାରିବାକୁ ହେଲେ ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଭ୍ୟନ୍ତରୀଣ ବିବାଦର ସମାଧାନ କରି ଏକଜୁଟ ହେବାର ଥିଲା । କିନ୍ତୁ ତାହାର ଓଲଟା ଫଳ ଦେଖାଯାଉଛି । ଲୋକଙ୍କ ସହିତ ସିଧାସଳଖ ଯୋଡ଼ି ହେବା ଭଳି ଏକ ରଣନୀତି ଆପଣେଇପାରୁନାହିଁ କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ତଥା ବାରବାଟୀ-କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳର ପରିଚାଳନା ଶୈଳୀ ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ଓଡ଼ିଶା କଂଗ୍ରେସରେ ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି। ଏହି ଘଟଣାକୁ ନେଇ ଦଳ ଭିତରେ କଳି ତେଜିବାରେ ଲାଗିଛି। ଏହି ପିଠା କଳି ଅନ୍ୟ ଦଳକୁ ସୁହାଉଛି ।
ମୋକିମ୍ଙ୍କ ଅଭିଯୋଗ ମୁଖ୍ୟତଃ ଦଳର ବର୍ତ୍ତମାନର ପରିଚାଳନା ଶୈଳୀ କୁ ନେଇ କରାଯାଇଛି । ସେ କହିଛନ୍ତି ଯେ ଓଡ଼ିଶାରେ ଯେଉଁ ଯୁବ ନେତୃତ୍ୱକୁ କଂଗ୍ରେସ ଗଢ଼ିଥିଲା, ସେମାନେ ଦଳ ଛାଡ଼ି ଚାଲିଯାଉଛନ୍ତି। ସେ ଚାହୁଁଛନ୍ତି ଯେ କଂଗ୍ରେସ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲୁ ଏବଂ ଦଳର ଦୁର୍ଗତି କାହିଁକି ହେଉଛି, ସେଥିପାଇଁ ସେ ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ଚାହୁଁଛନ୍ତି। ତାଙ୍କର ବ୍ୟକ୍ତିଗତ ଆକ୍ଷେପ ନଥିଲେ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ରାହୁଲ ଗାନ୍ଧୀ ତାଙ୍କୁ ଭେଟିବାକୁ ସମୟ ଦେଉନାହାଁନ୍ତି । ସଭାପତି ଖଡ଼ଗେ ଭେଟିବାକୁ ସମୟ ଦେଉନାହାଁନ୍ତି । ସେ ରାଜ୍ୟ କଂଗ୍ରେସର ଦୁର୍ଗତି ବିଷୟରେ ଦିଲ୍ଲୀରେ କାହାକୁ ଜଣାଇପାରୁନାହାଁନ୍ତି । ଦଳର ରାଜ୍ୟ ସଭାପତି ଭକ୍ତ ଦାସଙ୍କ ଅପାରଗତାକୁ ନେଇ ସେ ରୋକଠୋକ କହିଛନ୍ତି । ଯାହାକୁ ନେଇ ଦଳୀୟ ନେତାଙ୍କ ତୀବ୍ର ପ୍ରତିକ୍ରିୟା ଆସୁଛି । କିଛି ନେତା ତାଙ୍କୁ ସମର୍ଥନ କରୁଥିବା ବେଳେ କିଛି ନେତା ତାଙ୍କୁ ବିରୋଧ କରୁଛନ୍ତି । ମୋକିମ୍ଙ୍କ ଚିଠିକୁ ନେଇ ଅଧିକାଂଶ ନେତା ମୁହଁ ଖୋଲୁନଥିବା ବେଳେ, କିଛି ବରିଷ୍ଠ ନେତା ତାଙ୍କ ପଦକ୍ଷେପକୁ ଠିକ୍ ନୁହେଁ ବୋଲି ମତ ଦେଇଛନ୍ତି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବୟସ ଓ ରାହୁଲ ଗାନ୍ଧୀ ସାକ୍ଷାତ ନଦେବା ଅଭିଯୋଗକୁ ସେ ଅଗ୍ରାହ୍ୟ କରିଛନ୍ତି। ସେ କହିଛନ୍ତି ଯେ ଖଡ୍ଗେ ଜଣେ ବିଜ୍ଞ ତଥା ଯୋଗ୍ୟ ବ୍ୟକ୍ତି। ରାହୁଲ ଗାନ୍ଧୀ ଦରିଦ୍ରତମ ଲୋକଙ୍କ କାନ୍ଧରେ ହାତ ପକାଇ ବୁଲନ୍ତି, ତେଣୁ ସେ ଭେଟୁନାହାନ୍ତି ବୋଲି ଅଭିଯୋଗ କରିବା ଠିକ୍ ନୁହେଁ। କିଛି ନେତା କହିଛନ୍ତି ମୋକିମ୍ ସର୍ବୋଚ୍ଚ ନେତ୍ରୀଙ୍କୁ ଚିଠି ଲେଖିବା ପରେ ଅପେକ୍ଷା କରିବା ଉଚିତ ଥିଲା। ଗଣମାଧ୍ୟମରେ ଦଳର ଆଭ୍ୟନ୍ତରୀଣ କଥା ଚର୍ଚ୍ଚା କରିବା ଠିକ୍ ହେଲା ନାହିଁ। ସୁରେଶ ରାଉତରାୟ କହିଛନ୍ତି କଂଗ୍ରେସକୁ ଶସ୍ତା କରିବା ଠିକ୍ ନୁହେଁ ଏବଂ ଧୈର୍ଯ୍ୟ ଧରିବା ଉଚିତ। ମୋକିମ୍ ବାବୁଙ୍କୁ କଂଗ୍ରେସ କେବେ ଧୋକା ଦେଇନି। ସେ ଚିଠି ଲେଖିଲେ ମଧ୍ୟ ତାହା ବାହାରକୁ ଆସିବା କଥା ନୁହେଁ। ମୋକିମ୍ଙ୍କ ଝିଅ ବି ଦଳରୁ ବିଧାୟକ ହୋଇ ଭଲ ପ୍ରଦର୍ଶନ କରୁଥିବା ବେଳେ, ଏମିତି ବୟାନବାଜି କରି ସେ ତା’ର କ୍ୟାରିୟରକୁ କାହିଁକି ନଷ୍ଟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ପିସିସି ସଭାପତି ଭକ୍ତଚରଣ ଦାସ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ତେବେ ଓଡ଼ିଶାରେ କଂଗ୍ରେସ ଦଳ ବର୍ତ୍ତମାନ ଯେଉଁ ଗଭୀର ସଙ୍କଟ ଦେଇ ଗତି କରୁଛି, ତାହାକୁ ଅସ୍ୱୀକାର କରିହେବ ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ପୁରୁଣା ଦଳ ପାଇଁ ଆଶା ସମ୍ପୂର୍ଣ୍ଣ ରୂପେ ମରିଯାଇଛି। କଂଗ୍ରେସ ନିକଟରେ ଏବେବି ରାଜ୍ୟରେ ଏକ ବଡ଼ ଭୋଟ୍ ବ୍ୟାଙ୍କ୍ ଏବଂ ତୃଣମୂଳ ସ୍ତରରେ କିଛି ଦୃଢ଼ କର୍ମୀ ଶକ୍ତି ଅଛି। ସର୍ବପ୍ରଥମେ, ସମସ୍ତ ବରିଷ୍ଠ ନେତାମାନେ ବ୍ୟକ୍ତିଗତ ମତାନ୍ତରକୁ ଭୁଲି ଦଳର ସ୍ୱାର୍ଥ ପାଇଁ ଏକଜୁଟ୍ ହେବାକୁ ପଡ଼ିବ। ଆଭ୍ୟନ୍ତରୀଣ କଳିକୁ ବନ୍ଦ କରି ସଂଗଠନରେ ଶୃଙ୍ଖଳା ଫେରାଇ ଆଣିବା ନିତ୍ୟାନ୍ତ ଆବଶ୍ୟକ।
