ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା କ୍ଷେତ୍ରରେ ରବିବାର ଦିନ ଘଟିଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଶାସକ ବିଜେପି ଓ ବିରୋଧୀ ବିଜେଡି ପରସ୍ପର ଉପରେ କାଦୁଅ ଫିଙ୍ଗି ରାଜନୈତିକ ବାତାବରଣକୁ ସରଗରମ କରିଛନ୍ତି।
ବିଜେଡିର ବିକ୍ଷୋଭ, ବିଧାୟକଙ୍କ ଗିରଫ ଦାବି
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗିରଫ ଦାବି କରି ଡିଜି କ୍ୟାମ୍ପ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ରବିବାର ଦିନ ଧର୍ମଶାଳାର ଏକ ଫାର୍ମହାଉସରେ ବଳବନ୍ତରାୟଙ୍କ ଫାର୍ମହାଉସରେ ଦଳୀୟ ବୈଠକ କରୁଥିବା ମହିଳାଙ୍କ ସମେତ ବିଜେଡି କର୍ମୀଙ୍କୁ ବିଧାୟକ ସାହୁଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ। ବିଜେଡି ପକ୍ଷରୁ ୧୦୦ରୁ ଅଧିକ ସାହୁ ସମର୍ଥକଙ୍କ ନାମରେ ନୋଟିସ ଦିଆଯାଇଛି ଏବଂ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି।
ବଳବନ୍ତରାୟ ଓ ତାଙ୍କ ସମର୍ଥକମାନେ ରାତିସାରା ପ୍ରତିବାଦ ଜାରି ରଖି ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରଣବ କହିଛନ୍ତି, “ଆମେ ଜିଲ୍ଲା ପୁଲିସ ଉପରେ ବିଶ୍ୱାସ କରୁନାହୁଁ। ଅଭିଯୁକ୍ତମାନଙ୍କୁ ଗିରଫ ନହେବା ପର୍ଯ୍ୟନ୍ତ ଆମେ ପ୍ରତିବାଦ ଜାରି ରଖିବୁ।”
ବିଧାୟକ ହିମାଂଶୁ ସାହୁଙ୍କ ପାଲଟା ଜବାବ
ଅପରପକ୍ଷରେ, ବିଧାୟକ ହିମାଂଶୁ ଶେଖର ସାହୁ ପ୍ରଣବ ବଳବନ୍ତରାୟଙ୍କ ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି, “ପ୍ରଣବ ବଳବନ୍ତରାୟ ମିଥ୍ୟା ଅଭିଯୋଗ କରିଛନ୍ତି। ମୋ ସହ ମିଶି ଧର୍ମଶାଳାର ଉନ୍ନତି ପାଇଁ ସେ କାମ କରନ୍ତୁ, ଏହାକୁ ମୁଁ ସ୍ୱାଗତ କରୁଛି। କିନ୍ତୁ ସେ ମତେ ବଦନାମ କରିବାକୁ ଉଦ୍ୟମ କରିବା କେତେ ଦୂର ଠିକ୍?” ସେ ଦୋଷୀଙ୍କୁ ଦଣ୍ଡ ମିଳିବା ଉଚିତ ବୋଲି ମଧ୍ୟ କହିଛନ୍ତି। ତାଙ୍କ ସମର୍ଥକମାନେ ମଧ୍ୟ ଜୋପୁର ପୁଲିସ ଷ୍ଟେସନ ସମ୍ମୁଖରେ ପ୍ରତିବାଦ କରି ବଳବନ୍ତରାୟଙ୍କ ସମର୍ଥକମାନେ ପ୍ରଥମେ ହିଂସା ଆରମ୍ଭ କରିଥିବା ଦାବି କରିଛନ୍ତି।
ନବୀନ ଓ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଧର୍ମଶାଳାରେ ଘଟିଥିବା ଘଟଣାରେ ପୁଲିସ ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାକୁ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଦୁର୍ବୃତ୍ତମାନେ ବଳପୂର୍ବକ ବଳବନ୍ତରାୟଙ୍କ ଘରେ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ଆକ୍ରମଣ କରିଥିଲେ। ପୁଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନୀରବତାକୁ ସେ ସମାଲୋଚନା କରି କହିଛନ୍ତି ଯେ ଏହା ହିଂସା ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି ଏବଂ ଓଡ଼ିଶାର ଆଇନ ଶୃଙ୍ଖଳା ଉପରେ ସନ୍ଦେହ ସୃଷ୍ଟି କରୁଛି।
ବିବାଦୀୟ ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବାବେଳେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।
