ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମଣ୍ଡିରେ ଚାଷୀଙ୍କୁ ହଇରାଣ କରିବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶୃତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ସଂପର୍କରେ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ ।ନବୀନ ପଟ୍ଟନାୟକ ନିଜ ଚିଠିରେ ଲେଖିଛନ୍ତି ଯେ, ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣ ଓ ତତ୍ଜନିତ କଷଣର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଦୁଃଖର ସହ ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି। କୃଷି ହେଉଛି ଓଡିଶାର ଜୀବନ ରେଖା। ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀଙ୍କ ପାଇଁ ଏକ ସଂଘର୍ଷମୟ ପରିସ୍ଥିତି ସୃଷ୍ଟି କରିଛି ।
୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୁର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବାସ୍ତବ ସ୍ଥିତି ହେଉଛି ଯେ, ରାଜ୍ୟରେ ଥିବା ମଣ୍ଡି ଗୁଡିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଛି। ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକରେ ଧ୍ୟାନ ଦିଅନ୍ତୁ।
