ଟି-୨୦ ବିଶ୍ୱକପ୍ର ଗ୍ରୁପ୍-ଏ’ ମ୍ୟାଚ୍ରେ ଆଜି ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ ଅଣ୍ଡରଡଗ୍ ନାମିବ୍ୟା। ପାକିସ୍ତାନ ବିପକ୍ଷ ହାଇଭୋଲ୍ଟେଜ୍ ମ୍ୟାଚ୍ ପୂର୍ବରୁ ନିଜର ବ୍ୟାଟିଂ ଦକ୍ଷତା ପରଖିବା ଏବଂ ଆତ୍ମବଳ ବୃଦ୍ଧି କରିବା ପାଇଁ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ରାତି ୭ଟାରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ଭାରତୀୟ ବ୍ୟାଟର୍ମାନେ ପୂର୍ବ ଭୁଲ୍ ସୁଧାରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ।
ମ୍ୟାଚ୍ ପୂର୍ବରୁ ଭାରତୀୟ ଶିବିରକୁ ଏକ ଶକ୍ତ ଧକ୍କା ଲାଗିଛି। ଯୁବ ଓପନର୍ ଅଭିଷେକ ଶର୍ମା ପାକସ୍ଥଳୀ ସଂକ୍ରମଣ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କ ଅନୁପସ୍ଥିତି ସଞ୍ଜୁ ସାମସନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ଅତୀତରେ ଅନେକ ସୁଯୋଗ ହାତଛଡ଼ା କରିଥିବା ସଞ୍ଜୁ, ନାମିବ୍ୟା ବିପକ୍ଷରେ ରନ୍ ସଂଗ୍ରହ କରି ଫର୍ମକୁ ଫେରିଲେ ଭାରତର ବିଶ୍ୱକପ୍ ଅଭିଯାନ ଆହୁରି ମଜଭୁତ ହେବ।
ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ଓ ବୋଲିଂ ଦ୍ୱନ୍ଦ୍ୱ
ଶୁଭ ଖବର ହେଉଛି, ଅଭିଜ୍ଞ ଦ୍ରୁତ ବୋଲର୍ ଯଶପ୍ରୀତ୍ ବୁମ୍ରା ଜ୍ୱରରୁ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି। ତାଙ୍କ ସହ ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ମଧ୍ୟ ପୂରା ଫିଟ୍ ଅଛନ୍ତି। କିନ୍ତୁ ବୁମ୍ରାଙ୍କ ଫେରିବା ପରେ ଚୂଡ଼ାନ୍ତ ଏକାଦଶରୁ କିଏ ବାଦ୍ ପଡ଼ିବେ, ତାହା ବଡ଼ ପ୍ରଶ୍ନ। ମହମ୍ମଦ ସିରାଜ ଆମେରିକା ବିପକ୍ଷରେ ଚମତ୍କାର ବୋଲିଂ କରିଥିବାରୁ ଦଳ ଚୟନକର୍ତ୍ତାଙ୍କ ପାଇଁ ଏହା ଏକ ମୁଣ୍ଡବିନ୍ଧା ସାଜିଛି।
ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ରହସ୍ୟମୟ ବୋଲିଂକୁ ପଢ଼ିବା ନାମିବ୍ୟା ବ୍ୟାଟର୍ଙ୍କ ପାଇଁ ସହଜ ହେବନି। ୨୦୨୧ ବିଶ୍ୱକପ୍ର ଶେଷ ସାକ୍ଷାତରେ ଭାରତ ୯ ୱିକେଟ୍ରେ ବିଜୟୀ ହୋଇଥିଲା। ଅରୁଣ ଜେଟ୍ଲି ଷ୍ଟାଡିୟମ୍ର ପିଚ୍ରେ ଭାରତର ବ୍ୟାଟିଂ ଗଭୀରତା ମାପିବା ନାମିବ୍ୟା ବୋଲରଙ୍କ ପାଇଁ ଏକ କଠିନ ପରୀକ୍ଷା ସାବ୍ୟସ୍ତ ହେବ।
