ଉପସାଗରୀୟ କ୍ଷେତ୍ରରେ ଜାରି ଉତ୍ତେଜନା ମଧ୍ୟରେ ଶୁକ୍ରବାର ରାତିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଯାଇଛି। ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ ହୋଇଛି। ବର୍ଷା ଓ ଝଡତୋଫାନ ମଧ୍ୟରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ଶୁକ୍ରବାର ୟୁଏଇର ଅନେକ ଅଞ୍ଚଳରେ ପାଗ ବଦଳି ଯାଇଛି। ଆବୁଧାବୀ, ସାରଜାହ ଓ ଦୁବାଇରେ ଭୀଷଣ ବର୍ଷା ସହ ଝଡ଼ତୋଫାନ ହୋଇଛି। ଏଥିରେ ବୁର୍ଜ ଖଲିଫା ଉପରେ ବଜ୍ରପାତ ହେଉଥିବା ଦୃଶ୍ୟକୁ ବେଶ୍ ଦୂରରୁ ରେକର୍ଡ କରାଯାଇଛି।
ଅନ୍ଧାର ଆକାଶରେ ଝଟକୁଥିବା ବିଜୁଳି ବୁର୍ଜ ଖଲିଫାକୁ ଛୁଉଁଥିବା ଦେଖା ଯାଇଛି। ଦୁବାଇ କ୍ରାଉନ ପ୍ରିନ୍ସ ଶେଖ୍ ହମଦାନ ବିନ୍ ମହମଦ ମଧ୍ୟ ଏହି ଦୃଶ୍ୟର ଭିଡିଓକୁ ସେୟାର କରିଛନ୍ତି। ଏହା ପରେ ଭିଡିଓ ଆହୁରି ଅଧିକ ଭାଇରାଲ ହୋଇଯାଇଛି। ଏଥିରେ ଅନେକ ୟୁଜର ଅନେକ ପ୍ରକାରର କମେଣ୍ଟ କରୁଛନ୍ତି। ଜନୈକ ୟୁଜର ଏହାକୁ ସେୟାର କରି ଲେଖିଛନ୍ତି ଯେ ପ୍ରକୃତିର ଶକ୍ତି ମାନବ ଇଞ୍ଜିନିୟରିଂଠାରୁ ମଧ୍ୟ ବେଶ୍ ଆଗରେ। ତେବେ ସବୁଠୁ ଯାହା ଆଶ୍ୱସ୍ତିକର ଖବର ତାହା ହେଉଛି ବଜ୍ରପାତ ଯୋଗୁ କେହି ମୃତାହତ ହେବା ନେଇ ସୂଚନା ମିଳି ନାହିଁ।
ଏହି ବଜ୍ରପାତ ଯୋଗୁ ବିଲ୍ଡିଂକୁ ମଧ୍ୟ କୌଣସି ପ୍ରକାରର ଆଘାତ ଲାଗି ନାହିଁ। ବୁର୍ଜ ଖଲିଫା ନିର୍ମାଣରେ ସବୁଠୁ ଅତ୍ୟାଧୁନିକ ଲାଇଟନିଂ ରଡ ଲଗାଯାଇଛି। ୮୨୮ ମିଟର ଉଚ୍ଚା ଏହି ବିଲ୍ଡିଂର ବିନ୍ଦୁ ଆକାଶରେ ସବୁଠୁ ଉଚ୍ଚାରେ ରହୁଥିବାରୁ ଏହା ଉପରେ ପ୍ରାୟତଃ ବଜ୍ରପାତ ହୋଇଥାଏ। ହେଲେ ବିଲ୍ଡିଂର ମଜଭୁତ ସୁରକ୍ଷା ବ୍ୟବସ୍ଥା ଥିବା ଯୋଗୁ ବଜ୍ରପାତରେ ଏହାର କୌଣସି ଅସୁବିଧା ହୁଏନି। ତେବେ ଏହି ଘଟଣାର କିଛି ଦିନ ପୂର୍ବରୁ ଇରାନ ଦୁବାଇ ଉପରେ ଡ୍ରୋନ ଓ ମିଜାଇଲ ଆକ୍ରମଣ କରିଥିଲା। ବୁର୍ଜ ଖଲିଫା ନିକଟରେ ବିସ୍ଫୋରଣ ଓ ଧୂଆଁ ଫଟୋ ଭାଇରାଲ ହୋଇଥିଲା। ଏଥି ପାଇଁ ଦୁବାଇ ଏୟାରପୋର୍ଟକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା। ଏଥିରେ ଆଜିର ଝଡତୋଫାନ ଓ ବଜ୍ରପାତର ଦୃଶ୍ୟ ବାସ୍ତବିକ ଡରାଇବା ଭଳି। ଲୋକେ ଏହାକୁ ‘ଅପୋକ୍ୟାଲିପ୍ଟିକ୍ ସିନ୍’ ବୋଲି କହୁଛନ୍ତି।
ସୋସିଆଲ ମିଡିଆରେ ଏହି ବଜ୍ରପାତର ଭିଡିଓ ଲୋକଙ୍କୁ ଚକିତ କରିଛି। ଇରାନୀ ଆକ୍ରମଣ ମଧ୍ୟରେ ପ୍ରକୃତି ନିଜର ପ୍ରକୋପ ଦଖାଉଥିବା ଲୋକେ କହୁଛନ୍ତି। ଏହି ଭିଡିଓକୁ ଅନେକ ଦୂରରୁ ସୁଟିଂ କରାଯାଇଛି। ଏଣୁ କଳା ବାଦଲ ଆଢୁଆଳରେ ବିଜୁଳିର ଚମକ୍ ବୁର୍ଜ ଖଲିଫାକୁ ଆହୁରି ଭବ୍ୟ କରିତୋଳିଛି। ପାଣିପାଗ ବିଭାଗ ଦୁବାଇରେ ଏବେ ବର୍ଷା ଓ ଝଡତୋଫାନ ଚେତାବନୀ ଜାରି କରିଛି। ଏଣୁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
