
ଆଜି ପବିତ୍ର ଅକ୍ଷୟ ତୃତୀୟା ତଥା ଓଡ଼ିଆ ଜାତିର ଗର୍ବ ଗୈାରବ , ମେଧା ପତାକା ଉତ୍ତୋଳକ କବିରାଜ ଜୟଦେବଙ୍କ ପବିତ୍ର ଜୟନ୍ତୀ । ବିଶେଷ କରି ବ୍ୟକ୍ତିଗତ ଭାବେ ଆମ ପାଇଁ ମଧ୍ୟ ଏକ ସ୍ମରଣୀୟ ତିଥି । ଆଜି ର ତିଥି ରେ ଆମ ଜନ୍ମଦାତ୍ରୀ ଜନ୍ମ ଗ୍ରହଣ କରିଥିଲା । ବୋଉ ବଞ୍ଚିଥିଲେ ଆଜି ଆମେ ତା’ର ଜନ୍ମ ଶତବାର୍ଷିକୀ ପାଳନ କରିବାର ସୌଭାଗ୍ୟ ଲାଭ କରିଥାନ୍ତୁ । ପ୍ରଭୁ ଆମକୁ ସେ ସୁଯୋଗ ଦେଲେ ନାହିଁ । ଦଶ ମାସ ହେଲାଣି ବୋଉ ଯିବାର ସତ୍ୟ ମାତ୍ର, ଦଶ ଘଡ଼ି ମଧ୍ୟ ଆମେ ତା’ର ଅମୃତ ଅମ୍ଲାନ ସ୍ମୃତି ଠାରୁ ଦୂରେଇ ଯାଇ ନାହୁଁ । ପ୍ରତି ମୁହୂର୍ତ୍ତରେ ତା’ର ଅଭାବ ଅନୁଭୂତ ହୋଇଛି । ବୋଉ ! ତୋତେ ତୋ ଜନ୍ମଦିନର ଅଭିନନ୍ଦନ ଜଣାଉଛି, ଆଶୀର୍ବାଦ କାମନା କରୁଛି । ଅପରପକ୍ଷରେ ଏଠାରେ ଆଜିର ପବିତ୍ର ତିଥି ସମ୍ପର୍କରେ ଅର୍ଥାତ୍ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତି ହୁଏ ବୋଲି ଛୋଟ ପିଲା ଦିନେ ଜେଜେ ମା ରେବତୀ ଦେବୀ ଙ୍କ ଠାରୁ ଜାଣିବାକୁ ପାଇଥିଲୁ । ଏହାକୁ ବ୍ରତ ରୂପେ ମଧ୍ୟ ପାଳନ କରାଯାଏ । ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦ୍ଯାପନ କରନ୍ତି । ଏହିଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ । ଏ ସଂପର୍କରେ ଚମତ୍କାର ଉପାଖ୍ୟାନଟି ନିମ୍ନ ରେ ଏହିପରି- “ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲେ । ସେ ତାଙ୍କ ଜୀବନରେ କିଛି ଦାନ ଧର୍ମକାର୍ଯ୍ୟ କରି ନଥିଲେ । ଥରେ ତାଙ୍କ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲେ । ପାପୀ ବ୍ରାହ୍ମଣ ତାଙ୍କୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତାଙ୍କ ସ୍ତ୍ରୀ ଆସି ସ୍ୱାମୀକୁ ସେ କାର୍ଯ୍ୟରୁ ନିବୃତ୍ତ କଲେ ଓ ତୃଷାର୍ତ୍ତକୁ ଜଳଦାନ କଲେ । କିଛି ବର୍ଷ ପରେ ପାପୀ ବ୍ରାହ୍ମଣଙ୍କର ମୃତ୍ୟୁ ହେଲା । ଯମଦୂତମାନେ ଆସି ତାଙ୍କୁ ବାନ୍ଧି ନେଇଗଲେ । ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲେ। ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି, ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ । ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା । ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ । ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି ।ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥ ନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହି କାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ । ବୈଶାଖ, ଶୁକ୍ଳ ତୃତୀୟା କୁ ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଆମର ମନେ ଅଛି ବାବା( ପୋଷ୍ୟପିତା) ଙ୍କ ସହ ଆମେ ଗାଧୋଇ, ନୂଆ ଗାମୁଛା ପିନ୍ଧି ପାଣି ଢାଳ ଧରି ମହାବିଦ୍ୟାଳୟ ର ଛାତ୍ର ହେବା ପର୍ଯ୍ୟନ୍ତ ଯାଉଥିଲୁ । ସେହିପରି ଏହାକୁ ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।

ଏହି ଦିନ ଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହେଵା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପାଇଁ ଉଦ୍ଧିଷ୍ଟ ରଥ ନିର୍ମାଣ ଆରମ୍ଭ ହୁଏ ।
ମହନୀୟ ମହାବିଷୁବ ପଣା ସଂକ୍ରାନ୍ତି ତଥା ନବବର୍ଷ ମହୋତ୍ସବ ପରେ କୃଷି ଭିତ୍ତିକ ରାଜ୍ୟ ଓଡ଼ିଶାର ପ୍ରଥମ ପର୍ବ,କୃଷି ପର୍ବ ଅକ୍ଷୟ ତୃତୀୟା । ପୁରାଣ ଶାସ୍ତ୍ର ଅନୁଯାୟୀ ଆଜି ର ତିଥି ରେ ଗଙ୍ଗାମାତାଙ୍କର ଧରାବତରଣ ହୋଇଥିଲା। ଆଜି ମଧ୍ୟ ମହର୍ଷି ପରଶୁରାମଙ୍କର ଜନ୍ମ ଦିବସ ଅଟେ। ମା’ ଅନ୍ନପୂର୍ଣ୍ଣା ମଧ୍ୟ ଏହିଦିନ ପ୍ରକଟ ହୋଇଥିଲେ। କୁରୁସଭା ସ୍ଥଳରେ ଦ୍ରୌପଦୀଙ୍କୁ କୋଟିବସ୍ତ୍ର ପ୍ରଦାନ କରି ଲଜ୍ଜା ନିବାରଣ କରିଥିଲେ ଶ୍ରୀକୃଷ୍ଣ ଆଜି ର ତିଥିରେ । ସେହିପରି ଆଜି ମଧ୍ୟ ଶ୍ରେଷ୍ଠ ବନ୍ଧୁତ୍ବର ପ୍ରତୀକ, କୃଷ୍ଣ ସୁଦାମାଙ୍କର ବହୁ ବର୍ଷ ପରେ ମିଳନ ହୋଇଥିଲା । ଦେବ କୃପା ଲଭି, କୁବେରଙ୍କୁ ମଧ୍ୟ ସମସ୍ତ ଧନ ଦୌଲତର ଚାବି ପ୍ରାପ୍ତ ହୋଇଥିଲା ଆଜିର ତିଥିରେ ।ସତ୍ୟ ଏବଂ ତ୍ରେତୟା ଯୁଗର ପ୍ରାରମ୍ଭ ହୋଇଥିଲା ଏହି ପବିତ୍ର ତିଥିରେ । ବ୍ରହ୍ମାଙ୍କର ପୁତ୍ର ଅକ୍ଷୟ କୁମାରଙ୍କ ଜନ୍ମ ଆଜି ର ତିଥିରେ ହୋଇଥିଲା। ପୂର୍ବରୁ ବନ୍ଦ ରହିଥିବା ପ୍ରସିଦ୍ଧ ବଦ୍ରିନାଥ ଧାମର ଦ୍ବାରଫିଟା ବା ଫାଟକ ଆଜି ହିଁ ଖୋଲିଥାଏ। ବୃନ୍ଦାବନ ଧାମର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର, ବର୍ଷର କେବଳ ଏହିଦିନ ଶ୍ରୀ ବିଗ୍ରହ ଚରଣର ଦର୍ଶନ ହୋଇଥାଏ, ଅନ୍ୟଥା ବର୍ଷସାରା ତାଙ୍କୁ ବସ୍ତୁ ରେ ଢ଼ାଙ୍କି ରଖାଯାଏ। ଆଜି ର ତିଥି ରେ ମହାଭାରତ ଯୁଦ୍ଧ ସମାପ୍ତ ହୋଇଥିଲା। ଠିକ୍ ସେହିପରି ଆଜି ର ତିଥିରେ ପିଢ଼ି ପରେ ପିଢ଼ି ଓଡ଼ିଆ ଙ୍କ ଚିର ବନ୍ଦନୀୟ ମହାତ୍ମା , କବିରାଜ ଜୟଦେବ ଙ୍କ ଜନ୍ମ ଦିନ । ଅତଏବ ଅକ୍ଷୟ ତୃତୀୟା ସ୍ବୟଂ ସିଦ୍ଧ ପୂଣ୍ୟ ତିଥି ଟିଏ,ଯେଉଁ ଦିନ ଯେକୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଇ ପାରେ। ଠିକ ସେହିପରି ଇସଲାମୀୟ ଦିନ ପଞ୍ଜିକା ଅନୁସାରେ ନବମ ମାସ, ଯାହା ଆଦର୍ଶ ମାସ ଭାବେ ବିବେଚନା କରାଯାଏ, ନୂଆ ଚାନ୍ଦ ଦର୍ଶନ ସହିତ ଏହି ପବିତ୍ର ମାସ ପାଳନ କରାଯାଏ, ରାମଜାନ୍ ବା ଇଂରାଜୀ ରେ ରାମଦାନ୍ ର ଶେଷ ଦିବସ ବା ପବିତ୍ର ‘ଇଦ ଉଲ-ଫିତର’ ଦିନ । ଏହି ଅବସରରେ ଆମେ ପ୍ରତ୍ୟେକ ଙ୍କୁ ଶୁଭାଭିନନ୍ଦନ ସହ ଶୁଭକାମନା ଜଣାଉଛୁ ।

ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ । ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି ।ଆଜି ଓଡ଼ିଆ ଜାତିର ଗର୍ବ ଓ ଗୌରବ କବିରାଜ ଜୟଦେବଙ୍କ ପବିତ୍ର ଜୟନ୍ତୀ । ଜୟଦେବ ଓଡ଼ିଶାର ଅବିଭକ୍ତ ପୁରୀ ଜିଲାର ପିପିଲି ପ୍ରଗଣାର ୨୪ ତହସିଲ ଅର୍ଥାତ୍ ଏବର ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀ ନଦୀ କୂଳରେ ଥିବା କେନ୍ଦୁଲି ଶାସନରେ ୧୨୦୦ ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଥିଲା “ଭୋଜଦେବ” ଓ ମାତାଙ୍କର ନାମ ଥିଲା “ବାମାଦେବୀ”, ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା କୋଣାର୍କ ନିକଟରେ ଥିବା “କୂର୍ମପଟକ”ଠାରେ ହୋଇଥିଲା ।ଜୟଦେବ ହରିଙ୍କର ଦଶାବତାର, ଦଶକୃତିକୃତେ ଆଦିର ବର୍ଣ୍ଣନା କରିଛନ୍ତି । ଆହୁରି ମଧ୍ୟ ଓଡ଼ିଶୀରେ ବ୍ୟବହାର କରାଯାଉଥିବା ତ୍ରିଭଙ୍ଗୀ ଠାଣିର ବର୍ଣ୍ଣନା ମଧ୍ୟ ତାଙ୍କ ଲେଖାରେ ଦେଖିବାକୁ ମିଳିଥାଏ ।ଜୟଦେବଙ୍କ ରଚିତ ପଦାବଳୀ ଶିଖ ଧର୍ମର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ ଗୁରୁ ନାନକଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦ୍ବାରା “ଗୁରୁ ଗ୍ରନ୍ଥ ସାହେବ”ରେ ରଖାଯାଇଅଛି । ଆଜି ସ୍ମୃତି ରେ ଉଜ୍ଜୀବିତ ହୁଏ ଠିକ୍ ୧୬୦ ବର୍ଷ ତଳେ, ପବିତ୍ର ଅକ୍ଷୟ ତୃତୀୟା ଦିନର ଏକ ରୋମାଞ୍ଚିତ ଘଟଣା ,ଯାହା ଆପଣ ମାନଙ୍କ ଅବଗତି ନିମନ୍ତେ ଅବତାରଣା କରୁଛୁ । ବୟସର ପ୍ରଭାବରେ ବୋଧେ ସ୍ମୃତି ଶକ୍ତି ହ୍ରାସ ପାଇଲାଣି , ଯାହା ଫଳରେ କିଏ ଆମକୁ ଏହି ତଥ୍ୟ ଦେଇଥିଲେ ଅବା କୋଉଠୁ ପଢିଥିଲୁ କିମ୍ବା ବୈଷୟିକ ବାର୍ତ୍ତା ପେଟିକାରେ ପ୍ରାପ୍ତ ହୋଇଥିଲୁ, ତାହା ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ କରିପାରୁ ନାହୁଁ , ମାତ୍ର ଯେହେତୁ ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା,ସେହେତୁ ଏହି ତଥ୍ୟ ସମୂହକୁ ସଂରକ୍ଷିତ କରିରଖିଥିଲୁ । ଓଡ଼ିଶା ଇତିହାସରେ ସର୍ବାଧିକ, ଭୟଙ୍କର, ଅଭାବନୀୟ ଏବଂ ସର୍ବକାଳୀନ ରୋମାଞ୍ଚିତ ଇତିହାସ ହେଉଛି ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ , ଅର୍ଥାତ୍ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନଅ ଅଙ୍କ ରେ ପଡ଼ିଥିବା ଦୁର୍ଭିକ୍ଷ । ଜହ୍ନ ଵିମସ୍ ଙ୍କ “ଓଡ଼ିଶା ଇତିହାସ” ରେ ଉଲ୍ଲେଖିତ ତଥ୍ୟାଧାରରେ ସେହି ଦୁର୍ଭିକ୍ଷରେ ଓଡିଶା ଜନସଂଖ୍ୟାର ଅର୍ଦ୍ଧେକଙ୍କୁ ଗ୍ରାସ କରିଥିଲା , ଅର୍ଥାତ୍ ପଚାଶ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥିଲା, ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା ।
ଏବଂ ଏଭଳି ସ୍ଥିତି ସୃଷ୍ଟି କରିଥିଲା ଏହି ମଡ଼କ ଯେ ତା’ର ବିଷ କ୍ରିୟା ପ୍ରକୋପ ଏବେ ବି ପ୍ରତିଫଳିତ ହେଉଛି । ସେ ସମୟରେ ଓଡିଶାର ଗାଁ ଗଣ୍ଡାରେ ଭୋକିଲା କଙ୍କାଳ ମାନଙ୍କ ପଟୁଆର। ଚାରି ଆଡ଼େ” ଅନ୍ନଂ ଦେହୀ “ଅନ୍ନଂ ଦେହୀ” ର ଚିତ୍କାର ।ନଈ ରେ ପାଣି ନାହିଁ,କ୍ଷେତ ରେ ଫସଲ ନାହିଁ,ଭୋକ ବିକଳ କାଙ୍ଗାଳୀ ମଣିଷ ର ଆଉ ଗୋଟିଏ କାଙ୍ଗାଳୀ କୁ ବିକଳ ପ୍ରଶ୍ନ-ଆମ ଆଡେ ଗଛ ରେ ପତ୍ର ନାହିଁ, ତୁମ ଆଡେ ଅଛି ନା ଭାଇ? ବିଚରା ସାମ୍ନା ଲୋକ ର ବି ସେଇ ଛାତିଫଟା ଉତ୍ତର-ପତ୍ର କଥା ଛାଡ ,ଗଛ ବୁର୍ଚ୍ଛ ରେ କୋଉଠି ନେଳି ଟିକେ ପରା ନାହିଁ। ଯାଜପୁର କଇଁଆଗୋଲା ରେ ଗୋଟେ ମାଇପି ଲୋକ ହାତରେ ଶୀଳ ପୁଆ ଟେ ଧରି ଘଡ଼ିଏ ଛେଚିଲା ତା ଥନକୁ।ଲହୁ ଲୁହାଣ ହେଉଥାଏ।ତଥାପି ଛେଚି ଚାଲୁଥାଏ।ରକତ ମାଉଁସ ସବୁ ପିଚିକି ପଡୁଥାଏ ଶୀଳ ପୁଆ ର ଚାରି ପଟକୁ।ଆତ୍ମହତ୍ୟା ର ଏ ଅଭିନବ ତରିକା କଥା ବ୍ରିଟିଶ କେବେ ଭାବିନଥିଲା।ଆଉ ଶେଷରେ ବ୍ରିଟିଶ ସରକାର ଏହାର ଯୋଉ କାରଣ ପାଖରେ ପହଞ୍ଚିଥିଲା, ତାହା ଛାତି ଥରେଇଦେଇଥିଲା ସଭିଙ୍କର।ମା ଟା ପ୍ରକୃତ ରେ ଆତ୍ମହତ୍ୟା କରୁନଥିଲା ,ବରଂ କ୍ଷୀର ଖୋଜୁଥିଲା ।ଶୁକୁ ଶୁକୁ ହଉଥିବା ଛ’ମାସ ର ପିଲା ର ଶୋଷ ମାରିବାକୁ କାଳେ ଏ ଶୁଖିଲା ଥନ ର କୋଉ କୋଣ ରେ ବିନ୍ଦୁଏ କ୍ଷୀର ବଳିଥିବ।ଢୋକେ ପଡିଗଲେ ଧନ ଟା ମୋର ବଞ୍ଚିଯିବ ।କିନ୍ତୁ ମାସ ମାସ ଧରି ଖାଇ ନଥିବା ମା ‘ଟି ର ଛାତିରୁ ଶୁଖିଲା ରକ୍ତ ବିନ୍ଦୁ ଛାଡି ଦେଲେ ସେଦିନ ଆଉ କିଛି ବି ଝରି ନଥିଲା। ଯୋବ୍ରା ଖୁଣ୍ଟି ପାଖରେ ହୁକା ଟାଣୁ ଟାଣୁ ନିଜ ଜାମାତାଙ୍କୁ ଜହ୍ନ ଵିମସ୍ ପଚାରିଲେ-ଏଇଟା କଣ ସତ?ସୈତାନ ଜାମାତା ଜଣକ ଉତ୍ତର ଦେଲେ-ମିଲଟନ ସାହେବ ନାମକ ଜଣେ ବାଜେ ଇଂରାଜୀ ସାମ୍ବାଦିକ ର ଖବର ଏଇଟା,ignore it । (ସେତେ ବେଳକୁ john beams ନେପାଳ ସୀମାନ୍ତ ର ଚମ୍ପାରଣ ଜିଲ୍ଲା ର ମାଜିଷ୍ଟ୍ରେଟ, କିନ୍ତୁ ଦୁର୍ଭିକ୍ଷ ର ସ୍ଥିତି ଅନୁଧ୍ୟାନ କରିବାକୁ ବ୍ରିଟିଶ କାଉନସିଲ ତରଫରୁ କଟକ କୁ ନିମନ୍ତ୍ରିତ,ପରେ ସେ ୧୮୭୩ ରେ କଟକ ର ମାଜିଷ୍ଟ୍ରେଟ ହୋଇ ଯୋଗ ଦେଇଥିଲେ । ( memoirs of a Bengal civilian ଓ history of odisha)
ଏଣେ ଓଡିଶା ର ପରିସ୍ଥିତି ବିପନ୍ନ ହେବାକୁ ଲାଗିଥିଲା।ତେଣେ ଶବ ବୁହାଇ ବୁହାଇ ଲୋକଙ୍କ କାନ୍ଧରୁ ଚୋପା ଛାଡି ଯାଉଥିଲା।ପୁଣି ଶବ ବୁହାଉଥିବା ମଣିଷଟିଏ ଅଧ ଘଣ୍ଟା ପରେ ନିଜେ ଶବ ହେଇ ଯାଉଥିଲା।
ଏମିତି ବି ହେଉଥିଲା,ଯେତେବେଳେ ଘରର ପୁଅ ଘର ଲୋକଙ୍କ ଆହାର ପାଇଁ ବାଉଁଶ ବଣକୁ ବାଉଁଶ ପତ୍ର ପାଇଁ ଧାଉଁ ଥିଲା,ସେତେବେଳେ ବାପା ପୁଅକୁ ଡାକି କହୁଥିଲେ-ବୋହୁ ନାତିଙ୍କ ପାଇଁ ବାଉଁଶ ପତ୍ର ଆଣିବାକୁ ଯାଉଛୁ ଟି?ତା ଆଗରୁ ମୋତେ ଟିକେ ଘୋଷାରି ଘୋଷାରି ମଶାଣି ଯାଏଁ ନେଇଯା।ସେଇବାଟେ ଫୋପାଡ଼ି ଦେଇ ଚାଲିଯିବୁ।ତୁ ଘରେ ନଥିବୁ, ମୁଁ ମଲେ ମୋତେ ମଶାଣି ଯାଏଁ କିଏ ନେଇକି ଯିବ?ହଁ, ଆଟୁ ଉପରେ ଲୁଚେଇକି ଏତିକି ଜଇନ୍ତା ପତ୍ର ଥୋଇଛି, ସାନ ନାତିକୁ ଦେଇଦେବୁ ,ହେଲା?ଧ’ଧ’ଏ ବାଁ ପଟ ଗୋଡ ଟାକୁ ଧରି ଘୋଷାର।ହେ ମହାପ୍ରଭୁ !କି ଅସମୟ ଦେଇଥିଲ ଏ ଜାତିକୁ?ଭଦ୍ରକର ଗୋହିରୀ ଟିକରାରୁ ଏ ରିପୋର୍ଟ ଦେଇଥିବା ମିଲଟନ ସାହେବ ଙ୍କୁ ଥଟ୍ଟା କରିଥିଲା ବ୍ରିଟିଶ କାଉନସିଲ।ଓଡିଶାରେ ରହି ଥିଏଟର କରନି।କଲିକତା ଯାଅ, ବେଶି ବ୍ରିଟିଶ ବାବୁ ବାବୁଆ ଦର୍ଶକ ପାଇବ।ଚତୁର୍ଥ ସ୍ତମ୍ଭ ର କି କଣ୍ଠ ରୋଧ ୧୮୬୬ ରେ ? କ୍ରମଶଃ ମୃତ୍ୟୁ ସହିତ ଗୋଟେ କମ୍ବଳ ତଳେ ଶୋଇବାକୁ ପ୍ରସ୍ତୁତ ହେଉଥିଲା ଜାତି।ପୁରୁଣା ଜଗନ୍ନାଥ ସଡକ ର ଦୁଇପାଖରେ ମାଳ ମାଳ ଶବର ରୋଷଣୀ।ଭୋକିଲା ମଣିଷ ଆଉ କୁଢ଼ କୁଢ଼ ଶବ ଙ୍କ ସଢା ଗନ୍ଧ ରେ ସତେ ଅବା ନର୍କ ଏ ଭୂମି। ଧୂଳି ଧୁସରିତ, ଅଶିକ୍ଷା ଅନ୍ଧାର ରେ ଆର୍ଦ୍ର ଏ ଭୂମି କେବଳ ଚାରି ଆଡ଼େ ମୃତ୍ୟୁ ର ତାଣ୍ଡବ ହିଁ ଦେଖୁଥିଲା।
ଠିକ ଏତିକି ବେଳେ ମରି ମରି ଜୀବନ ଜିଉଁଥିବା ଦଳେ ଲୋକ ଭାବିଲେ-ମରିଗଲେଣି ଆମ ପୁଅ ପାତି, ମରିଗଲେଣି ସାଙ୍ଗ ସାଥୀ ,କାଲି ସକାଳେ ଆମେ ବି ମରିବା।ଯଦି ମରିବା ସତ, ତାହେଲେ ଆଉ ଏଠି କାହିଁକି?ଚାଲ ରେ ଭୋକିଲା ଦଳ, ସଭିଏଁ ଧାଇଁବା ଶ୍ରୀକ୍ଷେତ୍ର ଆଡକୁ।ପେଡି ପୁଟୁଳି ଚୁଡା ଚାଉଳ ତ ନେବାର ନାହିଁ, ଏ ଦେହ ଉପରେ ଜୀବନର ବୋଝ ମୁଣ୍ଡେଇ ଧାଇଁ ଯିବା ବଡ ଦାଣ୍ଡକୁ।ସୁଖା ହାଡ, ସୁକୁଟା ରକ୍ତ, ଆଉ ପୋଡା ମନକୁ ଏକାଠି କରି ଚାହିଁବା ନୀଳ ଚକ୍ରକୁ।ଡାକିବା -‘ଦାନା କନା ପଛେ ମନା ହେଉ ମୋତେ ନୀଳଚକ୍ର ବାନା ଚାହିଁ ହେ”।ଏ କଥା ବ୍ୟାପି ଗଲା ଗାଁ ଗଣ୍ଡା।ସବୁ ଗାଁର କଙ୍କାଳ ଦଳ ଓହ୍ଲେଇ ପଡିଲେ ପୁରୁଣା ଜଗନ୍ନାଥ ସଡକକୁ।ମରିବା ଆଗରୁ ଆସ, ଦେଖିନେବା ଆମ ସାତ ଗଣ୍ଠି ସାଇତା ସମ୍ପତ୍ତିକୁ। ପେଟରେ ପେଟେ ଭୋକ ଧରି ଚାହିଁବା ତା ପତିତ ପାବନ ନେତକୁ। ହୁସିଆର, କେହି ଚାହିଁବନି ତା ପେଜନଳା ଆଡକୁ।ହାତ ପାତି ମାଗିବାନି ଅବଢ଼ା ମୁଠାଏ। ମାଗିଲେ ମାଗିବା ଏ ଶବ ଦଳଙ୍କୁ ମୁକ୍ତି ଦେ ,ତୋ ପତିତ ପାବନକୁ ଚାହିଁବାର ଭାଗ୍ୟ ଦେ,ଲକ୍ଷ ଲକ୍ଷ ଜନତାର ପଟୁଆର, ଜନତା ନୁହଁ, କାଙ୍ଗାଳୀଙ୍କ ପଟୁଆର,କାଙ୍ଗାଳୀ ନୁହଁ ଶବ ମାନଙ୍କ ପଟୁଆର। ମେଦିନୀ ପୁରରୁ ଚନ୍ଦନ ପୁର,ବାଟରେ ମା ହାତରେ ଛୁଆ ମଲାଣି,ସ୍ତ୍ରୀ କୋଳରେ ସ୍ୱାମୀ,ତଥାପି ଅପରାହତ ଏ ଯାତ୍ରା।ତତ୍କାଳୀନ ପୁରୀର ପ୍ରଶାସକ ବାଲ୍ଟିଅର ସାହେବ ଚିନ୍ତିତ।ଜନ୍ଦା ପିମ୍ପୁଡି ଙ୍କ ପରି ଭୋକିଲା ଙ୍କ ଭିଡ ହେଲା ବଡ଼ ଦାଣ୍ଡରେ। ଲକ୍ଷଲକ୍ଷ ବୁଭୁକ୍ଷିତ ଙ୍କ ଏ ପଟୁଆର ର ଉଦ୍ଦେଶ୍ୟ କ’ଣ , କାହିଁକି ଆସିଛନ୍ତି ଏମାନେ ? କଣ ପାଇଁ??- ବ୍ରିଟିଶ ପୋଲିସ ପୋଷାକରେ ଥିବା ଜଣେ ବ୍ରିଟିଶ ଗୋଲାମ ଓଡ଼ିଆ ର ପ୍ରଶ୍ନ – ଆରେ ତମେ ମାନେ ଖାଇବାକୁ ଆସିଛ?
-ନାଁ ନାଁ ଖାଇବାକୁ ଆସିନୁ, ମରିବା ଆଗରୁ ଦେଖିବାକୁ ଆସିଛୁ ସେଇ କାଠଗଡ଼କୁ ,ଦେଖିଦେବୁ ତା ନୀଳ ଚକ୍ରକୁ , ସେହି ନେତ କୁ ଚାହିଁ ଆଖି ବୁଜି ଦେବୁ। ବାସ, ଭୋକିଲା ଓଡ଼ିଆଙ୍କର ରୋକ ଠୋକ ଉତ୍ତର।
-କି ପାଗଳ ଏଗୁଡା, ଗଜପତି କୁଆଡେ ଗଲେ??ଡାକ, ଡାକ ତାଙ୍କୁ। ଓ୍ବାଲ୍ଟିଅର ର ନିର୍ଦ୍ଧେଶ। ଦେଖାଗଲା ଗଜପତି ଦିବ୍ୟସିଂହ ଦେବ ନିରୁପାୟ ହେଇ ଠିଆ ହେଇଛନ୍ତି।-ଓ୍ବାଲ୍ଟିଅର ସାହେବ ର ନିର୍ଦେଶ-ମନ୍ଦିର ଆଗରେ ଭୋକିଲା ମାନଙ୍କ ସାଧାରଣ ସଭା କର।ସେଇଠି ଘୋଷଣା କରି ଦେବା ,ଆଜିଠୁ କେହି ଭୋକିଲା ମରିବେନି।ମନ୍ଦିରରେ କାଠ ଖଣ୍ଡ ଖାଉଥିବା କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ବଡ଼ଦାଣ୍ଡରେ ଏ କାଙ୍ଗାଳୀ ମାନଙ୍କୁ ଦାନ ହେବ।ଲକ୍ଷେ ଲକ୍ଷେ ଭୋକିଲା ଙ୍କ ଉପସ୍ଥିତି ରେ ଘୋଷଣା କଲେ ଓ୍ବାଲ୍ଟିଅର-ଆଜିଠୁ କାଠଗଡ଼ର ଖାଇବା ତୁମକୁ ଦିଆଯିବ।ଖୁସୀ ହୁଅ, ଖୁସୀ ହୁଅରେ ଭୋକିଲା।ସଭା ଚୁପ।ଗଜପତି ଚୁପ।କାଙ୍ଗାଳୀ ଦଳ ବି ଚୁପ।-ଆରେ କଣ ହେଇଛି?ଖୁସି ହୁଅ, ମାସ ମାସ ଧରି ଖାଇନ ପରା,ନାଚ, ଗାଅ,ଆତସବାଜି କର,ବଞ୍ଚି ଗଲ, ତୁମକୁ ଜୀବନ ମିଳିଗଲା ରେ।
-ରହିଯାଆ ରେ ଫିରିଙ୍ଗି। ବୀର ଦର୍ପ ରେ ପଛ ପଟୁ ଠିଆ ହେଲା ଗୋଟେ ବୁଢ଼ୀ।କହିଲା -ଭାତ ନପାଇ ମୋ ବଡ଼ ପୁତା ପଛୁ ମରୁ ରେ,ମୁଁ ଆଣ୍ଠୁକୁଡି ହେବି,ମୋ ଘଇତା ମରୁ, ମୁଁ ଏଇଠୁ ରାଣ୍ଡ ହେଇ ଗାଁକୁ ଲେଉଟିବି,ମୋ ନାତି ନାତୁଣୀ ମରନ୍ତୁ, ହେଲେ ମୋ କାଳିଆ ଧନକୁ ଉପାସ ରଖିବା କଥା କହନି ,ତାକୁ ଯଦି କେହି ଉପାସ ରଖିବ, ତା ଛାତିରୁ କଳା କଳିଜା ଛିଣ୍ଡେଇ ଆଣିବି ମୁଁ।ତା ତଣ୍ଟିରେ ଦାନ୍ତ ବସେଇ ଦେବି।ଏବେ ବୁଢ଼ୀ ସହିତ ସ୍ୱର ମିଳେଇଲେ ଲକ୍ଷେ ଲକ୍ଷେ କାଙ୍ଗାଳୀ- ଯାଅ ତମେ ।ଆମ ବଞ୍ଚିବା ମରିବା ଦାୟିତ୍ୱ ତାର। ଜନମ ସିଏ ଦେଇଛି,ମରିବାକୁ ଶ୍ରୀକ୍ଷେତ୍ରର ଭୂମି ଦେଇଛି। ଆମେ ମଲେ ଆମର ଦୁଃଖ ନାହିଁ।ଆମ କାଳିଆ ଧନ, ସେମିତି ବସିଥାଉ ରତ୍ନ ସିଂହାସନ ଉପରେ।ଖାଉଥାଉ ଷାଠିଏ ପଉଟି,ଆମ ମୁହଁରେ ହସ ନଥିଲେ ନଥାଉ, ତା କାଳିଆ ମୁହଁ ରେ ସେମିତି ଫୁଟୁଥାଉ ହସର ଫୁଲ କଢି।ଧନ ରେ ! ପୁଅ ମଲା, ପୁତୁରା ଗଲାଣି, ବୁଢା ଟା ଶୁକୁ ଶୁକୁ ହେଉଛି,ଆଲୋ ଛୁଆ କୁ ଝୁରି ଝୁରି ସେପଟେ ପରିଡା ଘର ନୂଆ ବୋହୁ ମଲା ନା କଣ?କିଏ ଅଛ ଲୋ?ଅହ୍ୟରାଣୀ ସିଏ।ତା ପାଇଁ ହୁଳ ହୁଳି ଦିଅ। ଇଲୋ ତା ପାଦରେ ଟିକେ ଅଳତା ବୋଳ ବା କିଏ ଅଛ ବୋଳ।ଏମିତି ଅନେକ ଶବ୍ଦ ମିଳେଇ ଯାଉଥିଲା ଶ୍ରୀକ୍ଷେତ୍ର ର ପବନ ରେ। ଫେରି ଯାଇଥିଲେ ଗଜପତି ଆଉ ଓ୍ବାଲ୍ଟିଅର। ଭୋକିଲା ଆଉ ଶବ ମାନଙ୍କ ଗହଣ ରେ କୁହୁଳୁ ଥିଲା ଶ୍ରୀକ୍ଷେତ୍ରର ରାତି।ମଲା ନାତିକୁ ଧରି ନାହାକ ବୁଢ଼ୀ ବାହୁନୁ ଥିଲା ସେଇ ଗୁଣ୍ଡିଚା ରାଣୀ ର ଗୀତ
“ଯେତେ ଦଉଥିବି ସେତେ ଖାଉଥିବୁ
ନ ଶୁଖିବ ତୋର ହାତ
ଲୋକେ କହୁଥିବେ ଖାଇବା ଠାକୁର
ନୀଳା ଚଳେ ଜଗନ୍ନାଥ’।
ସତେ ଅବା ସେମାନେ ଖତେଇ ହେଉଥିଲେ ମହାପ୍ରଭୁଙ୍କୁ ।ଭୋକିଲା ଦଳଙ୍କ ଆଖିକୁ ନିଦ ଘାରି ଆସୁଥିଲା।କେହି କେହି ମରଣର ଭୟରେ କାନ୍ଦୁଥିଲେ ଗୁମୁରି ଗୁମୁରି।ଓଡ଼ିଆ ଜାତିର ଏ ଜଗନ୍ନାଥ ପ୍ରୀତି ଦେଖି ମହାପ୍ରଭୁଙ୍କୁ ଭାରି ଦୋଷୀ ଲାଗିଲା ବୋଧେ।ସେ ରାତିର ଆକାଶ ରେ ଏକାଠି ହେଲେ ଚାରିମେଘ ।ମେଘର ପଟୁଆରରେ ତୁରୀ ଫୁଙ୍କିଲା ଘଡଘଡି, ଆଲୋକର ଛତ୍ରୀ ଧରିଲା ବିଜୁଳୀ।ସତେ ଅବା ଶହେ ଜନ୍ମାଷ୍ଟମୀ ଏକାଠି ହେଇଗଲେ ଗୋଟିଏ ତିଥିରେ।ବର୍ଷେ କାଳ ବର୍ଷା ଦେଖି ନଥିବା ଓଡ଼ିଆ ଜାତି,ଚାତକ ହେଇ ଭିଜିଲା ବଡ ଦାଣ୍ଡରେ।ଗଗନ ପବନ ମୁଖରିତ ହେଲା ଜୟ ଜଗନ୍ନାଥ ଧ୍ୱନୀ ରେ।ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।କହିବା ବାହୁଲ୍ୟ ସେଦିନ ର ତିଥି ଏଇ ଅକ୍ଷିତୃତୀୟା ହିଁ ଥିଲା।ଗୋଟିଏ ରାତି ବଦଳେଇଥିଲା ଗୋଟିଏ ଜାତିର ଭାଗ୍ୟ।
୧୬୨ ବର୍ଷ ପରେ ଆଜି ଆଉ ଗୋଟେ ଅକ୍ଷିତୃତୀୟା।
କରୋନାର କାଳଛାୟା ତଳେ ଭୟଭୀତ ସଭିଏଁ।ଗୃହବନ୍ଦୀ ଅଖିଳ ବିଶ୍ୱ।କିନ୍ତୁ ଓଡ଼ିଆ ଡରିନି।ସେ ଜାଣିଚି ତା ମହାପ୍ରଭୁ ତା ସାଙ୍ଗରେ ଅଛନ୍ତି। ସେଦିନ ଭଳି ଆଜି କୃପା ବର୍ଷା କରିଦେବେ।ରଖିବେ ଏ ଜାତିର ଅଖଣ୍ଡ ବିଶ୍ୱାସ।ଆଜି ରଥକାଠ ଅନୁକୂଳ କରି ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ରଥ ଚଢ଼ିବେ।ଛାତି ରେ ହାତ ବାଡେଇ କହି କହି ଯିବେ, ଏମିତି କେତେ ଅସମୟ ମୁଁ ଦେଖିଚି।ସକଳ ଅସମୟରୁ ଉଦ୍ଧାର କରିଛି ଏ ଜାତିକୁ।
ଏବେ ଏ ଘନ ବିପତ୍ତି ରୁ ଉଦ୍ଧାର କରହେ ଘନଶ୍ୟାମ, ପ୍ରସାରିତ କରିଦିଅ ତୁମର ବିପୁଳ ବଳିଆର ଭୁଜ।
ଗାଁ ବରଗଛ ପରି ଦି’ଟା ଏଡ଼େ ଏଡ଼େ ବାହାରେ କୋଳପୋଛା ପୁଅ ପରି କୋଳେଇ ନିଅ କୋଟି କୋଟି ଓଡ଼ିଆଙ୍କୁ।
ସାଆନ୍ତେ!
ଓ ସାଆନ୍ତେ!!
ମଣିମା…..!!!
ଓଡ଼ିଆ ଜାତିର ଅଖଣ୍ଡ ବିଶ୍ୱାସର ମୂଲ୍ୟ ଦିଅ ହେ ମଣିମା।
ମହାପ୍ରଭୁ…. ମହାପ୍ରଭୁ…. ମହାପ୍ରଭୁ ……. । ଅପର ପକ୍ଷରେ
ଆଜି ର ତିଥି ଓ କବିରାଜ ଜୟଦେବଙ୍କ ସ୍ମୃତି ହିଁ ଆମ ଜୀବନ ର ଗତିପଥକୁ ଏକ ଭିନ୍ନ ମୋଡ଼ ଦେଇଥିଲା । ୩୧ ବର୍ଷ ତଳର ସ୍ମୃତି ହୋଇ ଉଠୁଛି ଉଜ୍ଜୀବିତ । ଏହା ନିର୍ଵିବାଦୀୟ ସତ୍ୟ ଯେ ୧୮୦୩ ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ପ୍ରତିଷ୍ଠା ହେବା ସମୟରେ ସେମାନେ ବଙ୍ଗଳା ରୁ କିରାଣୀ କର୍ମଚାରୀ, ତଳିଆ ଅଧିକାରୀ ଆଣି ଆସିଥିଲେ । ଏହି ମାନଙ୍କ ସଂକୀର୍ଣ୍ଣ ମାନସିକତା ହିଁ ଓଡ଼ିଶାରେ ଅନେକ ବିପର୍ଯ୍ୟୟ, ବିଦ୍ରୋହ, ଅବିଚାର, ଓଡ଼ିଆ କୃତି ହତ୍ୟା, ଓଡ଼ିଆତ୍ୱ ର ମସିଲିପ୍ତ ଚକ୍ରାନ୍ତ, ଯାହାର ଇତିହାସ ବ୍ୟାପକ । ୧୮୧୭ ର ପାଇକ ଆନ୍ଦୋଳନ( ଅପମାନିତ ଭାବେ ବିଦ୍ରୋହ ବୋଲି ବଙ୍ଗୀୟ ଐତିହାସିକ ମାନେ ଉଲ୍ଲେଖ କରିଛନ୍ତି, ଯେପରି ଶହୀଦ ଭଗତ୍ ସିଂ ବ୍ରିଟିଶ ମାନଙ୍କ ଭାଷାରେ ସନ୍ତ୍ରାସବାଦୀ, ଆମ ମାନଙ୍କ ଭାଷାରେ ଦେଶପ୍ରେମୀ,ଦେଶପ୍ରାଣ ଶହୀଦ) , ଯାହା ଭାରତ ର ପ୍ରଥମ ମୁକ୍ତି ଆନ୍ଦୋଳନ ବୋଲି ସତ୍ୟ ତଥ୍ୟ ଟି ଵହୁ ଵୈ।ଦ୍ଧିକ ସଂଘର୍ଷ, ଆନ୍ଦୋଳନ, ବିଶେଷକରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଐକାନ୍ତିକ ପ୍ରଚେଷ୍ଟା ଫଳରେ ଦୁଇ ଶହ ବର୍ଷ ପରେ ପୂର୍ବତନ ରାଷ୍ଟ୍ରପତି ନିଜର କାର୍ଯ୍ୟକାଳ ର ଶେଷ ଦିବସ ର ଶେଷ କାର୍ଯ୍ୟକ୍ରମ ର ଶେଷ ଘୋଷଣା ଦିଲ୍ଲୀ ର ବିଜ୍ଞାନ ଭବନରେ କରିଥିଲେ ଓ ପ୍ରଧାନମନ୍ତ୍ରୀ ପାଇକବୀର ମାନଙ୍କ ଦାୟାଦ ମାନଙ୍କୁ ଓଡ଼ିଶା ରାଜଭବନ ରେ ସମ୍ବର୍ଦ୍ଧିତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଗତ ବର୍ଷ ପାଠ୍ୟପୁସ୍ତକ ରେ ସଂଶୋଧିତ ହୋଇଛି, ସେହି ଆନ୍ଦୋଳନର ପୃଷ୍ଠଭୂମି ଠାରୁ ହଜାର ହଜାର ବର୍ଷ ଧରି କଳିଙ୍ଗ ମହାସାଗର ଟି ବଙ୍ଗୋପସାଗର ରେ ପରିବର୍ତ୍ତନ ହେବାର ଇତିହାସ ସହ ଓଡ଼ିଆ ଗୋଟିଏ ଭାଷା ନୁହେଁ ମନ୍ତବ୍ୟ ପ୍ରତିବାଦ ଜନିତ ଆନ୍ଦୋଳନ ରୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରଭୃତିର ଇତିହାସ ବ୍ୟାପକ, ଯାହା ଏ ଯାବତ୍ ମଧ୍ୟ ଲେଖା ଯାଇ ପାରିବ ନାହିଁ । ଏଭଳି ଏକ ସମୟ ସହ ପରିବେଶ ସୃଷ୍ଟି କରାଗଲା ଯେ ଯାହା ସବୁ ଓଡ଼ିଆ ଙ୍କ ଭଲ, ତାହା ବଙ୍ଗଳା ର, ଯାହା ବଙ୍ଗଳା ର ଖରାପ, ତାହା ଓଡ଼ିଆ ଙ୍କ ର ବୋଲି ସାବ୍ୟସ୍ତ କରାଯାଇଥିଲା । ଗୋଟିଏ ଜାତିକୁ ଅପମାନିତ କରିବାକୁ ଯାଇ ସମସ୍ତ ଶାଳିନତା ଓ ସୀମାରେଖା ଉଲ୍ଲଂଘନ କରାଯାଇ ଭାଷାକୋଷ ରେ ଓଡ଼ିଆ ଶବ୍ଦ ର ଅର୍ଥ ଭାର ବାହକ ବା କୁଲି ବୋଲି ଉଲ୍ଲେଖ କରିଥିଲେ । ଏହି ମାନସିକତା ଆଧାର ରେ ଓଡ଼ିଆ ମାନଙ୍କ ଚିର ବନ୍ଦନୀୟ କବି ଜୟଦେବ ବଙ୍ଗାଳୀ ବୋଲି ସାବ୍ୟସ୍ତ କରିବାକୁ ଧାରାବାହିକ ଭାବରେ କେବଳ ଵୈ।ଦ୍ଧିକ ଅପଚେଷ୍ଟା କରି ନଥିଲେ, ଅଧିକନ୍ତୁ ପ୍ରମାଣ ସାବ୍ୟସ୍ତ କରିବା ପାଇଁ କୃତ୍ରିମ ପୀଠ, ତିଥି ପ୍ରସବ କରାଇଥିଲେ । ୧୯୯୨ ମସିହା, ଫେବୃଆରୀ ୩ ତାରିଖ, ଶନିବାର,ରାତି ୮ ଘଣ୍ଟା ସମୟରେ ଦୂରଦର୍ଶନ ର ଦ୍ବିତୀୟ ସରବରାହ ଅର୍ଥାତ୍ ଡିଡି-୨ ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସାରଣ ହୋଇଥିଲା, ଯାହାର ଶୀର୍ଷକ ଥିଲା ” ତାନାଵାନା” ।ସେତେଵେଳେ ଆଜିର ଭଳି ଏତେ ସରବରାହ ବା ଚ୍ୟାନେଲ ନ ଥିଲା । କେବଳ ଡି ଡି -୧ ଓ ଡି ଡି-୨ ( ଦିଲ୍ଲୀ ଦୂରଦର୍ଶନ_୧ ଓ ୨) । ଏହି କାର୍ଯ୍ୟକ୍ରମ ର ଘୋଷକ ଥିଲେ ସିଦ୍ଧାର୍ଥ ବସୁ । ସେତେବେଳେ ପି ଭି ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ସୂଚନା ଓ ପ୍ରସାରଣ ବିଭାଗ ର ମନ୍ତ୍ରୀ ଥିଲେ ସ୍ବର୍ଗତ ଅଜିତ୍ ପାଞ୍ଜା ଓ ପ୍ରସାର ଭାରତୀର ନିର୍ଦ୍ଦେଶକ ଥିଲେ ଭାସ୍କର ଘୋଷ, ଅର୍ଥାତ୍ ସମସ୍ତେ ବଙ୍ଗାଳୀ । ଏହି କାର୍ଯ୍ୟକ୍ରମ ରେ ଘୋଷଣା କରାଗଲା ଯେ ଦ୍ବାଦଶ ଶତାବ୍ଦୀର କବି କବିରାଜ ଜୟଦେବ ଓଡ଼ିଆ ନୁହନ୍ତି, ସେ ବଙ୍ଗୀୟ କବି, ବୀରଭୂମି ଜିଲ୍ଲାର କେନ୍ଦୁବିଳ୍ବ ଗ୍ରାମରେ ମକର ସଂକ୍ରାନ୍ତି ଦିନ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ସ୍ମତି ରେ ପ୍ରତିବର୍ଷ ଏଠାରେ ମକର ମେଳା ହୁଏ । ସେଠାରେ ଏକ ଦେଉଳ ଅଛି , ଯାହା ନାଁ ଜୟଦେବ ଦେଉଳ । ଏହି ଘୋଷଣା କରିବା ସହ ମେଳା ର ଚିତ୍ର ବିବରଣୀ ପ୍ରଦର୍ଶିତ ହେଲା । ଆମେ ସେ ସମୟରେ ଓଡ଼ିଶା ଭବନକୁ ରାତ୍ରି ଭୋଜନ କରିବାକୁ ଯାଇଥିବା ସମୟରେ ସେଠାରେ ଥିବା କୋଣାର୍କ ଟିଭି ରୁ ଏହା ଦେଖି କ୍ରୋଧିତ ହେଲୁ । ସେତେବେଳେ ହରି ମହାନ୍ତି, ଯିଏ ପରବର୍ତ୍ତୀ ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ରୁ( ସେକ୍ସନ ଅଫିସର୍) ଅବସର ନେଇଛନ୍ତି ସେ ଓ ସଚିଦାନନ୍ଦ ଦାସ( ଅଧୁନା ସ୍ବର୍ଗତ, ସେ ପ୍ରୋଟୋକଲ ଅଧିକାରୀ) ଆମକୁ ପ୍ରତିଵାଦ କରିବାକୁ ପ୍ରୋତ୍ସାହିତ କେବଳ କରିନଥିଲେ, ଆମ ସାଙ୍ଗରେ ରବିବାର ଦିନ ସକାଳେ ଜେଏନୟୁ ଯାଇଥିଲେ । ସେତେବେଳେ ଏହି ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ଆଧାର ରେ ଏହାକୁ ଜଗନ୍ନାଥ ବିଶ୍ଵବିଦ୍ୟାଳୟ ବୋଲି କେତେକ କହୁଥାନ୍ତି । ସେଠାରେ ଓଡ଼ିଆ ଛାତ୍ର ମାନଙ୍କୁ ଏକାଠି କରି ଓଡ଼ିଆ କବି ଜୟଦେବ ଙ୍କୁ କିଭଳି ବଙ୍ଗୀୟ କରାଯାଇଛି ତାହା ବିସ୍ତୃତ ଭାବରେ ଆଲୋଚନା କରି ନିଷ୍ପତ୍ତି କଲୁ ଯେ ସୋମବାର ଦିନ ୧୦ ଘଣ୍ଟା ସମୟରେ ମଣ୍ଡି ହାଉସ ଘେରାଉ କରି ପ୍ରତିବାଦ କରାଯିବ ଓ ଯେପର୍ଯ୍ୟନ୍ତ କ୍ଷମା ଭିକ୍ଷା ସହ ସଂଶୋଧନ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଦିଆଯିବ । ତଦନୁସାରେ ଠିକ୍ ୧୦ ଟା ସମୟରେ ଏହି କାର୍ଯ୍ୟାଳୟ ର ଠିକ୍ ପଛରେ ଥିବା ୩୮- ରାକବଗଞ୍ଜ ରୋଡ଼ ରେ ବରିଷ୍ଠ ସାଂସଦ ଅନାଦି ଚରଣ ଦାସ ଙ୍କ ସରକାରୀ ବାସଭବନ ଠାରେ ଏକତ୍ରିତ ହୋଇ ଦିନ ୧୧ ଟା ବେଳେ ଗିରଫ ହୋଇ ଯନ୍ତରମନ୍ତର ଠାରେ ଅଟକ ରହି ସନ୍ଧ୍ୟା ବେଳକୁ ଖଲାସ ହେଲୁ । ସେଠାରୁ ଓଡ଼ିଶା ଭଵନ ଆସି ୮ ଟଙ୍କିଆ ଥାଳି ପେଟେ ଖାଇ ସିଧା ବାକ୍ସ ଧରି ୬୨୦ ନମ୍ବର ବସରେ ଦିଲ୍ଲୀ ଷ୍ଟେସନ ଆସି ପ୍ଲାଟଫର୍ମ ରେ ଶୋଇଲୁ, କାରଣ ସକାଳ ୬ ଟା ୩୫ ରେ ନିଳାଚଳ ରେ ସାଧାରଣ ବଗିରେ ସ୍ଥାନ ରଖି ଭୁବନେଶ୍ୱରର ଫେରିବାକୁ ପଡିବ । ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଏବଂ ମାନନୀୟ ଶରତ କୁମାର କର ଥିଲେ ସଂସ୍କୃତି ବିଭାଗ ର ମନ୍ତ୍ରୀ । ଗୁରୁବାର ଦିନ ଏକ ବୈଠକ ଡାକି ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରାଗଲା । ତଦନୁଯାୟୀ ଏକ ଦାବି ପତ୍ର ଧରି ମନ୍ତ୍ରୀ ଶରତ କର ଙ୍କୁ ଦେଖା କରି ତାଙ୍କ ସହ ଆଲୋଚନା କରାଗଲା । ଶରତ ବାବୁ କହିଲେ ଯେ ସମାଜରେ ପ୍ରକାଶିତ ପ୍ରତିବାଦ ସମ୍ପର୍କିତ ଖବର ପଢ଼ି ତୁମକୁ ଧନ୍ୟବାଦ ଦେଉଛି , ତମେ ଵୁଢାଙ୍କୁ ଦେଖାକରି ଦାବି ପତ୍ର ଦିଅ, ଯଦି ୫ ଦିନ ଭିତରେ କିଛି ନ ହେଲା ତେବେ ପ୍ରତିବାଦ କରିବ । ମାତ୍ର ତୁମେ ବୁଢା ପାଖକୁ ଯିବ ନାହିଁ, ବରଂ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କୁ ଇସରା କରି କହିଲେ ତୂମେ ଯିବ । ଏହା କେବଳ କହିଲେ ନାହିଁ , ଅଧିକନ୍ତୁ ଦାବି ପତ୍ର ସଂଶୋଧନ କରି ଅଧିକ ତଥ୍ୟ ସନ୍ନିବେଶିତ କରି ତାକୁ ଟାଇପ୍ କରାଇ ଧରାଇଦେଲେ । ଆମକୁ ବିଜୁ ବାବୁ ଙ୍କ ସମ୍ମୁଖ କୁ ନଯିବାକୁ କହିବାର କାରଣ ଓ ସେ ଆମକୁ ଭଲ ପାଇବାର କାରଣ ଏକ ବିରାଟ ଅଧ୍ୟାୟ, ଯାହା ଅନ୍ୟ ଏକ ଉପସ୍ଥାପନା ରେ ଉଲ୍ଲେଖ କରାଚାଲିଛି । ବିଜୁ ବାବୁ ସ୍ବଭାବ ସୁଲଭ ଢଙ୍ଗରେ ଅରବିନ୍ଦ ,କାଳିପ୍ରସାଦ, ପ୍ରମୋଦ ଦାସ ପ୍ରଭୃତି ଙ୍କୁ ଗାଳି ବର୍ଷଣ କରି ଘଉଡେଇଦେବାପରେ ଆମେ ଏକ ଦାବି ପତ୍ର ପ୍ୟାରୀମୋହନ ମହାପାତ୍ର ଙ୍କ ହାତରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଦେଇ ତା’ର ନକଲ ଦୈନିକ ଖବରକାଗଜ କୁ ପଠାଇଥିଲୁ । ପ୍ରଗତିବାଦୀ ରେ ପ୍ରଥମ ପୃଷ୍ଠାରେ ଏହା ବିସ୍ତୃତ ଭାବରେ ଦାବି ପତ୍ର ରନକଲ ସହ ପ୍ରକାଶ ପାଇଥିବା ବେଳେ ସମ୍ବାଦ, ସମାଜର ଭିତରେ ପୃଷ୍ଠା ରେ, ଇଣ୍ଡିଆନ ଏକ୍ସପ୍ରେସ ରେ ବଡ଼ ଅକ୍ଷର ଶୀର୍ଷକରେ ପ୍ରକାଶ ପାଇବା ପରେ ରାଜ୍ୟରେ ଏକ ପ୍ରମୁଖ ଆଲୋଚନା ହୋଇଥିଲା । ଶୀର୍ଷକ ଥିଲା ଜୟଦେବ ଵିଵାଦ, ବିଜୁ ଜୟନ୍ତୀ ରେ ଜନଚେତନା ପରିଷଦ ଅଧ୍ୟକ୍ଷ ଙ୍କ ଆତ୍ମହୁତି ଘୋଷଣା” । ଦାବି ପତ୍ର ରେ ଉଲ୍ଲେଖ ଥିଲା ଯେ କବିରାଜ ଜୟଦେବ ଓଡ଼ିଆ କବି ବୋଲି ଓଡ଼ିଶା ସରକାର ଘୋଷଣା କରିବା ସହ ପ୍ରସାର ଭାରତୀୟ ସଂଶୋଧନ କରି ଓଡ଼ିଆ ଜାତି ନିକଟରେ କ୍ଷମା ଭିକ୍ଷା ମାଗିବାକୁ ସରକାର ଶୀଘ୍ର ପ୍ରତିବାଦ କରନ୍ତୁ, ଯଦି ନ କରିବେ ନିଜକୁ ଶ୍ରେଷ୍ଠ ଓଡ଼ିଆ, କଳିଙ୍ଗ ଷଣ୍ଢ କରିଆସୁଥିବା ଵିଜୁ ବାବୁ ଙ୍କ ଜନ୍ମ ଦିନ ମାର୍ଚ୍ଚ ୫ ତାରିଖ ରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ସମ୍ମୁଖରେ ଜନ ଚେତନା ପରିଷଦ ସଭାପତି ପ୍ରଦ୍ୟୁମ୍ନ ଶତପଥୀ, ଓଡ଼ିଆ ସ୍ଵାଭିମାନ ହତ୍ୟା ରେ ବିଜୁବାବୁଙ୍କ ପରୋକ୍ଷ ସମର୍ଥନ ପ୍ରତିବାଦ ରେ ଆତ୍ମହୁତି ଦେବେ । ବାହାର କୁ ଯିବା ଆବଶ୍ୟକ ନାହିଁ, ସର୍ବଦା ଓଡ଼ିଶା ଭିତରେ ଓଡ଼ିଆ ଵେଶ ରେ ଓଡ଼ିଆ ର ଶତ୍ରୁ ରହିଆସିଛନ୍ତି ଓ ଏବେ ତ କ୍ଷମତା ମଙ୍ଗ ବାହକ ଭୂମିକା ନିର୍ବାହକାରକ । କେତେକ ଲେଖକ ଆମର ଶସ୍ତା ଲୋକପ୍ରିୟତା ପାଇଁ ତ କେତେକ ପରିଚୟ ସଙ୍କଟ ରୋଗାକ୍ରାନ୍ତ ବିଶେଷଣ ରେ ବିଭୂଷିତ କଲେ । ତଥାକଥିତ ବଡ଼ ବଡ଼ ସାହିତ୍ୟିକ ମାନେ ବଙ୍ଗୀୟ ବୁଦ୍ଧିଜୀବୀ ଙ୍କ ଲେଖା କୁ ଉପଜିଵ୍ୟ କରି ରମେଶ ଚନ୍ଦ୍ର ଦତ୍ତ ମହୋଦୟ ଙ୍କ ବଙ୍ଗ ସାହିତ୍ୟ ନାମକ ଗ୍ରନ୍ଥ ର ତଥ୍ୟାଧାରରେ ଜୟଦେବ ରାଜା ଲକ୍ଷ୍ମଣ ସେନ ଙ୍କ ରାଜ ଦରବାର ର କବି ଓ ସେ ଗୀତ ଗୋବିନ୍ଦ ରଚନା କରି ଜଗନ୍ନାଥ ମନ୍ଦିର କୁ ଦେଇଥିଲେ ବୋଲି ଉଲ୍ଲେଖ କଲେ । ଏହି ସମୟରେ ଗବେଷକ, ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଙ୍କ ଏକ ପ୍ରକାଶିତ ଆଲେଖ୍ୟ କୁ ଇଂରାଜୀ ରେ ଅନୁବାଦ କରି ସାଂସଦ ଅନାଦି ଚରଣ ଦାସ ଙ୍କ ହାତରେ ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ପଠାଇଲୁ । ଅନାଦି ବାବୁ ବିମାନ ବନ୍ଦର ରୁ ସିଧା ପ୍ରଧାନମନ୍ତ୍ରୀ ଙ୍କ ବାସଭବନ କୁ ଯାଇ ନିଜ ମତ ସହ ଏକ ଚିଠି , ପ୍ରକାଶିତ ଆଲେଖ୍ୟ ର ନକଲ, ଆତ୍ମହୁତି ଘୋଷଣା ସମ୍ପର୍କିତ ଇଣ୍ଡିଆନ୍ ଏକ୍ସପ୍ରେସ ର ନକଲ ସଂଲଗ୍ନ କରି ପ୍ରଧାନମନ୍ତ୍ରୀ ଙ୍କୁ ହାତରେ ଦେଇ ଆସିଲେ । ମାର୍ଚ୍ଚ ୩ ତାରିଖ ରେ ଆମକୁ ଗିରଫ କରାଯାଇ ପୁରୀ ଜେଲ୍ ରେ ରଖାଗଲା । ମାର୍ଚ୍ଚ ୪ ତାରିଖ ଦିନ ସଂସଦ ରେ ପ୍ରଧାନମନ୍ତ୍ରୀ ” ସାପ ମରିବ ନାହିଁ କି ବାଡି ଭାଙ୍ଗିବ ନାହିଁ” ନ୍ୟାୟ ଆଧାର ରେ ଘୋଷଣା କଲେ “କବି ଜୟଦେବ ଭାରତର ମହାନ କବି, ସେ ସଂକୀର୍ଣ୍ଣ ଆଞ୍ଚଳିକତା ରୁ ଉର୍ଦ୍ଧ୍ବ ରେ ” । ଆମକୁ ସେ ଦିନ ରାତିରେ ଖଲାସ କରାଗଲା । ଏହା ପରେ ଧାରାବାହିକ ଭାବରେ ଜୟଦେବ ବଙ୍ଗାଳୀ ବୋଲି ଦର୍ଶାଇ ପ୍ରତିଯୋଗିତା ଆଧାର ରେ ପାଣ୍ଡିତ୍ୟ ପ୍ରଦର୍ଶନ ସହ ବଙ୍ଗୀୟ ସାହିତ୍ୟ ରଥୀ ମାନଙ୍କ କୃପା ପ୍ରାର୍ଥୀ ତଥା ପ୍ରତିଭା ନାସ୍ତି ଯଶ କାଙ୍ଗାଳିଆ ମାନେ ଆଲେଖ୍ୟ ପ୍ରକାଶ କରାଇ ଚାଲିଲେ । ପ୍ରଶାସକ ଅଜିତ୍ କୁମାର ତ୍ରିପାଠୀ ଓ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଙ୍କ ଆଲେଖ୍ୟ ର ବିରୋଧ କରି ଲେଖା ପ୍ରତିଯୋଗିତା ବଢିଲା । ଯେହେତୁ ଆମେ ଜଣେ ଗଣିତ ର ଛାତ୍ର, ଯେହେତୁ ଆମର ଜ୍ଞାନ ନଥିଲା ଓ କେଉଁଠୁ ତଥ୍ୟ ପାଇବୁ ବୋଲି ଭାବୁଥିବା ସମୟରେ ଆମ ପତ୍ନୀ ଯେଉଁ ମହାବିଦ୍ୟାଳୟ ରେ ଅଧ୍ୟାପିକା , ସେହି ମହାବିଦ୍ୟାଳୟ ର ଅଧ୍ୟକ୍ଷ , ସେତେବେଳର ଯୁବ ପ୍ରତିଭା, ଅର୍ଥନୈତିକ ଆଲେଖ୍ୟ ସ୍ରଷ୍ଟା , ବର୍ତ୍ତମାନ ଆମର ମୁଖ ପୁସ୍ତକ ବନ୍ଧୁ , ସରକାରୀ ଶିକ୍ଷା ସେବା ନିବୃତ ତଥା ନିଜର ଏହି ପ୍ରତିଭା ଯୋଗୁଁ ଜଣେ ଆଜନ୍ମ ଈର୍ଷାର ଈଶ୍ବରଧର୍ମୀଙ୍କ ଚକ୍ରାନ୍ତ ର ଶିକାର ହୋଇ ନିଜର କନିଷ୍ଠ ଅଧିନରେ ସମଗ୍ର ଶୈକ୍ଷିକ ସେବା ଜୀବନ ନିର୍ବାହୀ ପ୍ରାଧ୍ୟାପକ ଡ଼ ବେଣୁଧର ପାଢ଼ୀ ଆମକୁ ସୂଚନା କେବଳ ଦେଲେ ନାହିଁ ପ୍ରାମାଣିକ ତଥ୍ୟ ସନ୍ନିବେଶିତ ପୁସ୍ତକ ଟି ଦେଲେ , ଯାହା ଆମ ଜୀବନର ଗତିପଥ କୁ ଭିନ୍ନ ମୋଡ଼ ଦେଇଥିଲା , ତାହା ଥିଲା ମହାତ୍ମା ଜଗବନ୍ଧୁ ସିଂହଙ୍କ ” ପ୍ରାଚୀନ ଉତ୍କଳ ” । ଏଥିରେ ଏଭଳି ଅକାଟ୍ୟ ପ୍ରମାଣ ରୂପକ ତଥ୍ୟ ଅସ୍ତ୍ରଶସ୍ତ୍ର ଅଛି, ଯାହାକୁ ଉପଯୋଗ କରି ଏଭଳି ଵୈ।ଦ୍ଧିକ ସଂଘର୍ଷ ହେଲା, ଯାହାର ଫଳଶ୍ରୁତି ହେଲା ସେହି ବଙ୍ଗୀୟ ଗବେଷକ, ଐତିହାସିକ ମାନେ ଆସି ଭୁବନେଶ୍ବର ର ଛାତି ଉପରେ ପ୍ରତିଷ୍ଠିତ ସଂସ୍କୃତି ବିଶ୍ଵବିଦ୍ୟାଳୟ ର ପ୍ରେକ୍ଷାଳୟରେ ଘୋଷଣା କରିଥିଲେ ଯେ କବିରାଜ ଜୟଦେବ ଅବିଭକ୍ତ ପୁରୀ ଜିଲାର ୨୪ ନମ୍ବର ପ୍ରଗଣା କେନ୍ଦୁଲି ରେ ଜନ୍ମ ଗ୍ରହଣ କରିଥିଲେ ଓ ସେ ଓଡ଼ିଆ ଜାତିର ଶ୍ରେଷ୍ଠ କବି । ଚରଣିଆ ମାନଙ୍କ ଲଜ୍ଜ୍ୟା ହୀନ ମୁହଁ ରେ କଳା ବୋଳି ହୋଇଥିଲା ।ଜୟଦେବ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀ ନଦୀ କୂଳରେ ଥିବା କେନ୍ଦୁଲି ଶାସନରେ ୧୨୦୦ ଖ୍ରୀଷ୍ଟାବ୍ଦରେ ଜନ୍ମ ନେଇଥିଲେ । ତାଙ୍କର ପିତାଙ୍କ ନାମ ଥିଲା “ଭୋଜଦେବ” ଓ ମାତାଙ୍କର ନାମ ଥିଲା “ବାମାଦେବୀ”, ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା କୋଣାର୍କ ନିକଟରେ ଥିବା “କୂର୍ମପଟକ”ଠାରେ ହୋଇଥିଲା ।
ଜୟଦେବ ହରିଙ୍କର ଦଶାବତାର, ଦଶକୃତିକୃତେ ଆଦିର ବର୍ଣ୍ଣନା କରିଛନ୍ତି । ଆହୁରି ମଧ୍ୟ ଓଡ଼ିଶୀରେ ବ୍ୟବହାର କରାଯାଉଥିବା ତ୍ରିଭଙ୍ଗୀ ଠାଣିର ବର୍ଣ୍ଣନା ମଧ୍ୟ ତାଙ୍କ ଲେଖାରେ ଦେଖିବାକୁ ମିଳିଥାଏ ।ଜୟଦେବଙ୍କ ରଚିତ ପଦାବଳୀ ଶିଖ ଧର୍ମର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ ଗୁରୁ ନାନକଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦେଇ “ଗୁରୁ ଗ୍ରନ୍ଥ ସାହେବ”ରେ ରଖାଯାଇଅଛି । ଆମେ ଏହି ଅବସରରେ ଗବେଷକ ତଥା ଐତିହାସିକ ଏବଂ ଆମ ସୁବାର୍ତ୍ତା ର ବୟୋଜ୍ୟେଷ୍ଠ ଆଲେଖ୍ୟ ସ୍ରଷ୍ଟା ବରେଣ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଙ୍କ ସୀମା ହୀନ ଅମୂଲ୍ୟ ଅବଦାନର ସ୍ମୃତି ଚାରଣ ସହ ତାଙ୍କର ଦୀର୍ଘ ସାରସ୍ଵତ ଜୀବନ କାମନା କରି ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛୁ ।
(କ୍ରମଶଃ…)
