୪୫ ଦିନ ମଧ୍ୟରେ ବାଂଲାଦେଶ ସୀମା ବାଡ଼ ପାଇଁ ବିଏସ୍ଏଫକୁ ଜମି ହସ୍ତାନ୍ତର କରାଯିବ
ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରାୟ ୪,୦୯୬ କିଲୋମିଟର ଦୀର୍ଘ ସୀମା ରହିଛି, ଯାହା ବିଶ୍ୱର ପଞ୍ଚମ ଦୀର୍ଘତମ ସୀମାରେଖା। ଏହି ସୀମାରେ କଣ୍ଟା ବାଡ଼ ନିର୍ମାଣ କରିବା କେବଳ ଏକ ପ୍ରଶାସନିକ କାର୍ଯ୍ୟ ନୁହେଁ, ବରଂ ଭାରତର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ। ବାଂଲାଦେଶ ସୀମାରୁ ବେଆଇନ ଅନୁପ୍ରବେଶ ଭାରତ ପାଇଁ ଏକ ବଡ଼ ସମସ୍ୟା। କଣ୍ଟା ବାଡ଼ ନିର୍ମାଣ ଦ୍ୱାରା ବେଆଇନ ଭାବେ ସୀମା ପାର ହେଉଥିବା ଲୋକଙ୍କୁ ରୋକାଯାଇପାରିବ, ଯାହା ଦେଶର ଜନସଂଖ୍ୟା ଓ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ସୀମାରେ ସୁରକ୍ଷିତ ବାଡ଼ ନଥିଲେ ଗୋରୁ ଚୋରା ଚାଲାଣ, ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଏବଂ ନକଲି ଭାରତୀୟ ମୁଦ୍ରାର କାରବାର ବୃଦ୍ଧି ପାଇଥାଏ। ଏହି ବେଆଇନ ବ୍ୟବସାୟ ଦେଶର ଅର୍ଥନୀତି ଓ ଶାନ୍ତିକୁ ବିପର୍ଯ୍ୟସ୍ତ କରେ। ବାଡ଼ ନିର୍ମାଣ ଦ୍ୱାରା ବିଏସଏଫ୍ (BSF) କୁ ପାଟ୍ରୋଲିଂ କରିବାରେ ସହଜ ହୁଏ। ଖୋଲା ସୀମାର ଫାଇଦା ଉଠାଇ ଭାରତ ବିରୋଧୀ ଶକ୍ତି ଏବଂ ଆତଙ୍କବାଦୀମାନେ ଅତି ସହଜରେ ଦେଶ ଭିତରେ ପ୍ରବେଶ କରନ୍ତି। ଦେଶର ବଡ଼ ବଡ଼ ସହରରେ ଶାନ୍ତି ରକ୍ଷା କରିବା ପାଇଁ ଏହି ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରିବା ଜରୁରୀ। ପଶ୍ଚିମବଙ୍ଗ, ଆସାମ ଓ ମେଘାଳୟ ପରି ସୀମାନ୍ତ ରାଜ୍ୟଗୁଡ଼ିକରେ ଅନୁପ୍ରବେଶ ଯୋଗୁଁ ସ୍ଥାନୀୟ ସଂସ୍କୃତି ଓ ସଂସାଧନ ଉପରେ ଚାପ ପଡ଼ୁଛି। ସୁରକ୍ଷିତ ବାଡ଼ ସ୍ଥାନୀୟ ଲୋକଙ୍କୁ ନିରାପତ୍ତା ପ୍ରଦାନ କରେ। ଭୂଭାଗର ଜଟିଳତା (ନଦୀ, ପାହାଡ଼ ଓ ଜଙ୍ଗଲ) ଯୋଗୁଁ ସୀମାର କିଛି ଅଞ୍ଚଳରେ ବାଡ଼ ନିର୍ମାଣ କଷ୍ଟକର ହୋଇଥିଲେ ମଧ୍ୟ ସରକାର ଏବେ ‘ସ୍ମାର୍ଟ ଫେନ୍ସିଂ’ ବା ଟେକ୍ନୋଲୋଜିର ସାହାଯ୍ୟ ନେଉଛନ୍ତି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ବାଡ଼ ଭାରତର ସାର୍ବଭୌମତ୍ୱର ଏକ ପ୍ରହରୀ।
ସେପଟେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବା ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେ ଛଅଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ଏବଂ ୪୫ ଦିନ ମଧ୍ୟରେ ବାଂଲାଦେଶ ସୀମା ବାଡ଼ ପାଇଁ ବିଏସ୍ଏଫକୁ ଜମି ଯୋଗାଇବା ଅନ୍ତର୍ଭୁକ୍ତ ରହିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ଅବସରରେ ନିର୍ବାଚନ କମିସନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟରେ ହିଂସାମୁକ୍ତ ଏବଂ ସଫଳ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ଭୋଟର ଏବଂ ଭାରତୀୟ ନିର୍ବାଚନ କମିସନଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ନିର୍ବାଚନ ସମୟରେ ନିର୍ବାଚନ କମିସନଙ୍କ କାର୍ଯ୍ୟ ପ୍ରଶଂସନୀୟ । କ୍ୟାବିନେଟ ବୈଠକରେ ରାଜ୍ୟରେ ବିଜେପି ସରକାର ଗଠନ ସୁନିଶ୍ଚିତ କରିବା ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ୩୨୧ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଛନ୍ତି,ଆମେ ସେମାନଙ୍କ ପରିବାର ପାଇଁ ନ୍ୟାୟ ସୁନିଶ୍ଚିତ କରିବୁ। ଏହି ବିଜେପି କର୍ମୀଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ।
ସେମାନେ ଯେକୌଣସି ମୂଲ୍ୟରେ ନ୍ୟାୟ ପାଇବେ। ଜାତୀୟ ସୁରକ୍ଷା ଏବଂ ସୀମାନ୍ତ ଅଞ୍ଚଳରେ ଜନସଂଖ୍ୟାଗତ ପରିବର୍ତ୍ତନକୁ ଧ୍ୟାନରେ ରଖି, ସୀମାରେ ବାଡ଼ ଦେବା ପାଇଁ ବିଏସ୍ଏଫ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟ ୪୫ ଦିନ ମଧ୍ୟରେ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ନିର୍ବାଚନ ପ୍ରଚାର ସମୟରେ, ବିଜେପି କ୍ଷମତାକୁ ଆସିଲେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଏବେ, ଏହି ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି। ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ରାଜ୍ୟ ଆନୁଷ୍ଠାନିକ ଭାବରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’ ରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି।
ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ସମସ୍ତ ଯୋଜନା ଏବେ ରାଜ୍ୟରେ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ବନ୍ଦ କରାଯାଇଥିବା କେନ୍ଦ୍ରୀୟ ତାଲିମ ଏବଂ ଅମଲାଙ୍କ ନିୟୋଜନକୁ ଅନୁମୋଦନ କରାଯାଇଛି। ଏହା ବ୍ୟତୀତ, ଭାରତୀୟ ଦଣ୍ଡ ସଂହିତା (ବିଏନ୍ଏସ୍), ଯାହା ଏପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟକାରୀ ହୋଇନଥିଲା, ସୋମବାରଠାରୁ କାର୍ଯ୍ୟକାରୀ ହୋଇଛି। ସମସ୍ତ ନୂଆ ମାମଲା ଏବେ ନୂଆ ଆଇନ ଅନୁଯାୟୀ ପଞ୍ଜୀକୃତ ହେବ। ୨୦୧୫ ପରଠାରୁ ରାଜ୍ୟରେ କୌଣସି ବଡ଼ ନିଯୁକ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପ୍ରତିଶ୍ରୁତି ଅନୁଯାୟୀ ଖୁବ୍ ଶୀଘ୍ର ଏକ ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।
