ପ୍ରଦ୍ୟୁମ୍ନ ଶତପଥୀ
ପରମ ସମ୍ମାନନୀୟ/ ଆଦରଣୀୟ ବନ୍ଧୁ ବର୍ଗ !
ଆପଣମାନଙ୍କ ସପରିବାର ବର୍ଗଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ, ଶୁଭ ସକାଳ । ଆଜ୍ଞା ! ଆପଣ ମାନେ ଭଲ ଭାବରେ ଅବଗତ ଯେ ଆମେ ଜଣେ ପାନୁଆ , ଏହା ଗର୍ବର ସହିତ ସ୍ବୀକାର କରି ଆମେ ଅନେକ ସମୟରେ ପାନ, ଖିଲିପାନ ଶୀର୍ଷକରେ ଅନେକ କବିତା ମାଧ୍ୟମରେ ସମାଜର ବାସ୍ତବ ସ୍ଥିତି ଆପଣ ମାନଙ୍କ ଦୃଷ୍ଟି ଆକର୍ଷଣ କରିଆସିଛୁ । ହଁ , ଏହା ବି ସ୍ୱୀକାର କରୁଛି ଏହା ଏକ ବଦଭ୍ୟାସ । ଏଥିପାଇଁ ଗତ କିଛିଦିନ ଧରି ଆମେ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳ ବୁଲୁଥିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ । ଭୁବନେଶ୍ୱରର ପବିତ୍ର ମାଟିରେ ପାଦ ଦେବା ମାତ୍ରେ ଆମେ ବରାଦ କରିଥିବା ପାନ ଖଣ୍ଡେ କଳରେ ଯାକି ଯେଉଁ ଆତ୍ମତୃପ୍ତି ପାଉଛୁ, ତାହା ଭାଷାରେ ଅବର୍ଣ୍ଣନୀୟ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଆମେ ଜଣେ ମହାନ୍ ଓଡ଼ିଆ ପରମ୍ପରାର ଉପାସକ ଭାବେ ପାନ ଖାଇଥାଉ, କାରଣ ଆମର ପ୍ରଭୁ ଜଗନ୍ନାଥ ମଧ୍ୟ ପାନ ଖାଆନ୍ତି , ଯଦିଓ ସେ ପାନ ଓ ଆମେ ଖାଉଥିବା ପାନ ଭିତରେ ଆକାଶ ପାତାଳ ପ୍ରଭେଦ । ଏହି ପାନକୁ ଆଧାର କରି ଜଣେ ପୁଞ୍ଜି ଐରାବତର ଗର୍ବ ଖର୍ବ କରାଇଥିଲେ ପ୍ରଭୁ ଜଗନ୍ନାଥ । ଆପଣମାନେ ଜାଣନ୍ତି ଏହି କଥା, କିଭଳି ଜଗନ୍ନାଥ ଙ୍କ ମଣୋହି ପରେ ଗୋଟିଏ ପାନ ନଦେଇ ପାରି ସମ୍ପୃକ୍ତ ଅହଙ୍କାର ଧନୀ ବଣିକଟିର ଅହଙ୍କାର ଭାଙ୍ଗିଥିଲା ଓ ସେ ସର୍ବସ୍ବ ତ୍ୟାଗ କରି ଜଗନ୍ନାଥଙ୍କ ଭକ୍ତ ଭାବରେ ନିଜକୁ ସମର୍ପିତ କରିଥିଲେ । ବିଶେଷ କରି ବିଗତ ଦୁଇ ଦିନ ତଳେ ” ଖିଲି ପାନ” ଶୀର୍ଷକ ରେ ପ୍ରକାଶିତ ଆମର କବିତା ଟି ପଢି ଅନେକ ସମ୍ମାନନୀୟ / ଆଦରଣୀୟ ବ୍ୟକ୍ତି ବିଶେଷଙ୍କ ମତାମତ ଆମକୁ ପ୍ରେରିତ କରିଛି ଆଜି , ବିଶେଷ କରି ଓଡ଼ିଆ ଜାତିର ଜାତୀୟ ପର୍ବ ” ରଜ ମହୋତ୍ସବ ” ର ଅବ୍ୟବହିତ ପୂର୍ବରୁ । ଓଡ଼ିଆଙ୍କ ରଜ କୁ ମଧ୍ୟ ଭଗାରି ମାନେ ଠିକ୍ ଆମର ପୀଠ ପୂଜା ( ଦୁର୍ଗା ପୂଜା) କୁ ନେଇ ମୃଣ୍ମୟ ମୂର୍ତ୍ତି ପୂଜାରେ ରୂପାୟିତ କରିବା ଭଳି ରଜୋ ପାଳନ କରି ତାହା କୁଆଡେ ସେମାନଙ୍କ ହଜାର ହଜାର ବର୍ଷର ସଂସ୍କୃତି ବୋଲି ପ୍ରଚାର ପ୍ରସାର କରିଆସୁଛନ୍ତି, ଠିକ୍ ସେହିପରି ଝାଡ଼ଖଣ୍ଡ ରାଜ୍ୟ ଆମର ଛଉନୃତ୍ୟକୁ ସେମାନଙ୍କ ବୋଲି ପ୍ରଚାର କରୁଛନ୍ତି । କୃଷି ପ୍ରଧାନ ଆମ ରାଜ୍ୟର ଏହି ଜାତୀୟ ପର୍ବର ମହନୀୟତା ସଂପର୍କରେ ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପୂର୍ବରୁ , ଯେହେତୁ ଆମେ ଜଣେ ପାନୁଆ, ସେହେତୁ ପାନ ସହିତ ଏହି ଉତ୍ସବର ନିବିଡ଼ ସମ୍ପର୍କ ଉପରେ ଆଲୋକପାତ କରୁଛୁ । ଆପଣ ମାନେ ଜାଣନ୍ତି ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ’ଲକ୍ଷଣ ଆମ ଶାସ୍ତ୍ରରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ’ଟି ପ୍ରୀତି ଲକ୍ଷଣ ତଥା ଏହା ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ଦ୍ବାରା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବା । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମନ ମୁଗ୍ଧକର କରିଦିଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧନିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ । ଢ଼ଗରେ ଅଛି-
‘ପାନଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ’ ।
ପାନର ଇତିହାସ ପ୍ରାୟ ଦଶ ହଜାର ବର୍ଷ ରୁ ଉର୍ଦ୍ଧ୍ବ ବୋଲି ଏଯାବତ୍ ମିଳିଥିବା ତଥ୍ୟାଧାରରେ ଆମେ କହିପାରୁ । ପୁରାଣ ବର୍ଣ୍ଣିତ ତଥ୍ୟ କୁହେ ପାନ ର ଜନ୍ମ ସହିତ ସମୁଦ୍ର ମନ୍ଥନ ସମୟର କାହାଣୀ ସଂଶ୍ଲିଷ୍ଟ । ଏହି ଲତା ଜାତୀୟ ଉଦ୍ଭିଦ କୁ ପୁରାଣରେ” ନାଗବଲ୍ଲୀ” ବୋଲି ଉଲ୍ଲେଖ ଅଛି ,କାରଣ ସମୁଦ୍ର ମନ୍ଥନ ସମୟରେ ଦେବତା- ରାକ୍ଷସ ଙ୍କ ମଧ୍ୟରେ ଅମୃତ ପ୍ରାପ୍ତି ନିମନ୍ତେ ସଂଘର୍ଷ ଏବଂ ବିଷ୍ଣୁ ଙ୍କ ଚଞ୍ଚକତା , ଅମୃତ ରୁ ଟୋପାଏ ପାତାଳପୁର ରେ ପତିତ ହେବା ଏବଂ ପତିତ ସ୍ଥାନ ନାଗରାଜ୍ୟ ରେ ଠିକ୍ ସେହି ସ୍ଥାନରେ ଏକ ଗୁଳ୍ମଜାତୀୟ ଉଦ୍ଭିଦ ର ଜନ୍ମ ଏବଂ ତା’ର ନାଗବଲ୍ଲୀ ହିଁ ଆଜିର ପାନପତ୍ର ର ଜନ୍ମ ଇତିହାସ । ଏହି ହୃଦୟାକୃତିର ନରମ ପତ୍ର ଟି ଏବେ ପ୍ରେମ ର ସାଙ୍କେତିକ ଚିତ୍ର ଭାବେ ବ୍ୟବହୃତ ।
କ୍ରମଶଃ
