ପ୍ରଦ୍ୟୁମ୍ନ ଶତପଥୀ
——————–
ହୋ ଚି ମିନ ବା ସାଇଗନ ସହରରେ ଅବସ୍ଥାପିତ ସ୍ବାଧୀନତା ଭବନ ବା ଇଣ୍ଡିପେଣ୍ଡେନ୍ସ ପ୍ୟାଲେସ ସମ୍ମୁଖରେ ଆମେ ଠିଆ ହୋଇଥିବାର ଏହି ସ୍ଥିର ଚିତ୍ର ।ଏହା ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ପ୍ରାସାଦ ଯାହା ,ଭିଏତନାମର ପୁନଃ ଏକତ୍ରୀକରଣର ପ୍ରାମାଣିକ ପ୍ରତୀକ । ଏହାକୁ ମଧ୍ୟ ରି ୟୁନିଫିକେସନ ପ୍ୟାଲେସ ବା ପୁନଃ ଏକତ୍ରିକରଣ ପ୍ରାସାଦ ବୋଲି ମଧ୍ୟ କୁହାଯାଏ । ଭିଏତନାମ ଯୁଦ୍ଧର ସମାପ୍ତି ଏବଂ ଦେଶର ମିଶ୍ରଣ ସହିତ ଏହି ସ୍ଥାନଟି ଗଭୀର ଭାବରେ ଜଡ଼ିତ।୩୦ ଅପ୍ରେଲ ୧୯୭୫ ମସିହାରେ, ଉତ୍ତର ଭିଏତନାମ ସେନାର ଏକ ଟ୍ୟାଙ୍କ ଏହି ପ୍ୟାଲେସର ମୁଖ୍ୟ ଗେଟ୍କୁ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ଏହି ଘଟଣାଟି ଭିଏତନାମ ଯୁଦ୍ଧର ସମାପ୍ତି ଏବଂ ଦକ୍ଷିଣ ଭିଏତନାମର ପତନର ପ୍ରତୀକ ସାଜିଥିଲା।ଉଲ୍ଲେଖଯୋଗ୍ୟ ଯେ ଯୁଦ୍ଧ ସମୟରେ ଏହା ଦକ୍ଷିଣ ଭିଏତନାମର ରାଷ୍ଟ୍ରପତିଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଥିଲା।ଏହି ଆଧୁନିକ ପ୍ରାସାଦର ସ୍ଥାପତ୍ୟ ଶୈଳୀ ପ୍ରସିଦ୍ଧ ଭିଏତନାମୀ ସ୍ଥପତି ନ୍ଗୋ ନଗୋକ୍ ଥୁ (Ngo Ngoe Thu) ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଏଥିରେ ପାରମ୍ପରିକ ଏସୀୟ ପ୍ରତୀକ ଏବଂ ଆଧୁନିକ ପାଶ୍ଚାତ୍ୟ ସ୍ଥାପତ୍ୟର ଏକ ସୁନ୍ଦର ମିଶ୍ରଣ ଦେଖିବାକୁ ମିଳେ।ପ୍ରଥମେ ଏଠାରେ ଫ୍ରେଞ୍ଚ ଗଭର୍ଣ୍ଣରଙ୍କ ପାଇଁ “ନୋରୋଡୋମ ପ୍ୟାଲେସ” ଥିଲା, ଯାହା ୧୯୬୨ରେ ଏକ ବୋମା ବିସ୍ଫୋରଣରେ ନଷ୍ଟ ହୋଇଯାଇଥିଲା। ଏହାପରେ ବର୍ତ୍ତମାନର ଏହି ନୂତନ ପ୍ରାସାଦଟି ନିର୍ମିତ ହୋଇ ୧୯୬୬ରେ ଉଦ୍ଘାଟିତ ହୋଇଥିଲା। ଏଠାରେ ବଡ଼ ବଡ଼ ସରକାରୀ ବୈଠକ ପାଇଁ ଉଦ୍ଦିଷ୍ଟ ଆଲିସାନ ହଲ୍, ବିଦେଶୀ ପ୍ରତିନିଧିଙ୍କ ସ୍ୱାଗତ କକ୍ଷ ଏବଂ ରାଷ୍ଟ୍ରପତିଙ୍କ ବାସଭବନ ରହିଛି, ଯାହାକୁ ୧୯୭୫ ମସିହା ଭଳି ସେମିତି ସୁରକ୍ଷିତ ରଖାଯାଇଛି। ପ୍ରାସାଦ ତଳେ ଏକ ବଡ଼ ବଙ୍କର ବା ଗୁପ୍ତ କକ୍ଷ ଅଛି, ଯେଉଁଠାରୁ ଯୁଦ୍ଧ ସମୟରେ କମାଣ୍ଡ ସେଣ୍ଟର ଭାବେ କାର୍ଯ୍ୟ କରାଯାଉଥିଲା। ଏଠାରେ ପୁରୁଣା ମାନଚିତ୍ର, ଟେଲିଫୋନ୍ ଏବଂ ରେଡିଓ ଉପକରଣ ସବୁ ଦେଖିବାକୁ ମିଳେ।ପ୍ୟାଲେସର ସମ୍ମୁଖ ଭାଗରେ ଥିବା ବଗିଚାରେ ସେହି ଐତିହାସିକ ଟ୍ୟାଙ୍କଗୁଡ଼ିକର ପ୍ରତିକୃତି ରଖାଯାଇଛି, ଯାହା ଯୁଦ୍ଧର ଶେଷ ଦିନ ଗେଟ୍ ଭାଙ୍ଗି ପଶିଥିଲା। ଆଜି ଏହା ଭିଏତନାମର ଏକ ପ୍ରମୁଖ ଜାତୀୟ ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳୀ। ପ୍ରତିଦିନ ହଜାର ହଜାର ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଭିଏତନାମର ଇତିହାସକୁ ପାଖରୁ ଦେଖିବା ପାଇଁ ଏଠାକୁ ଆସିଥାନ୍ତି। ଆମର ସ୍ବଳ୍ପ ଅବଧିର ରହଣି ମଧ୍ୟରେ ଜାଣିବାକୁ ପାଇଲୁ ଯେ
ଭିଏତନାମର ପ୍ରାଚୀନ ଇତିହାସରେ ଚମ୍ପା ରାଜବଂଶ (Champa Kingdom) ଏକ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ସମୃଦ୍ଧ ଅଧ୍ୟାୟ। ଖ୍ରୀଷ୍ଟ ପୂର୍ବ ତୃତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ ଉପନିବେଶବାଦୀ ଓଡ଼ିଆ ମାନଙ୍କ ବଂଶଧର ମାନଙ୍କ ଦାୟାଦ ମାନଙ୍କ ପ୍ରଭାବ ବିସ୍ତାର ଫଳରେ ଏହି ସାମ୍ରାଜ୍ୟ ପ୍ରତିଷ୍ଠା ଲାଭ କରିଥିଲା । ଏପରିକି ସପ୍ତମ ଶତାବ୍ଦୀ ପରେ ୧୮୩୨ ପର୍ଯ୍ୟନ୍ତ ଆଧୁନିକ ମଧ୍ୟ ଓ ଦକ୍ଷିଣ ଭିଏତନାମର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ସାମ୍ରାଜ୍ୟ ବିସ୍ତାର କରିଥିଲା।
ଏହି ରାଜବଂଶର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ଓଡ଼ିଆ ସଂସ୍କୃତି ଓ ହିନ୍ଦୁଧର୍ମ ଗଭୀର ଭାବେ ପ୍ରଭାବିତ ଥିଲା।
ଚମ୍ପା ରାଜାମାନେ ମୁଖ୍ୟତଃ ହିନ୍ଦୁ ଧର୍ମର ଅନୁଗାମୀ ଥିଲେ ଏବଂ ଭଗବାନ ଶିବଙ୍କୁ ସେମାନଙ୍କର ଆରାଧ୍ୟ ଦେବତା ଭାବେ ପୂଜା କରୁଥିଲେ। ଏଠାରେ ଶିବଲିଙ୍ଗ ପୂଜାର ବ୍ୟାପକ ପ୍ରଚଳନ ଥିଲା। ତେବେ ପରବର୍ତ୍ତୀ ସମୟରେ (ପ୍ରାୟ ୯ମ ଶତାବ୍ଦୀରେ) ବୌଦ୍ଧ ଧର୍ମ ଏବଂ ପରେ ଇସଲାମ ଧର୍ମର ମଧ୍ୟ ପ୍ରବେଶ ହୋଇଥିଲା।ସେମାନଙ୍କର ସରକାରୀ ଓ ଧାର୍ମିକ କାର୍ଯ୍ୟରେ ସଂସ୍କୃତ ଭାଷାର ବହୁଳ ବ୍ୟବହାର ହେଉଥିଲା। ଏହା ସହିତ ସେମାନଙ୍କର ସ୍ଥାନୀୟ ‘ଚାମ’ (Cham) ଭାଷା ପାଇଁ ଭାରତୀୟ ବ୍ରାହ୍ମୀ ଲିପି ଆଧାରିତ ଏକ ସ୍ପେଶାଲ ଲିପି ବ୍ୟବହାର କରାଯାଉଥିଲା।
ଭିଏତନାମରେ ଥିବା ଚମ୍ପା ସଂସ୍କୃତିର କୀର୍ତ୍ତିରାଜି ଆଜି ବି ସେମାନଙ୍କ ର ଉଚ୍ଚକୋଟୀର କଳା ଚାତୁରୀର ପ୍ରମାଣ ଦିଏ।ମାଇ ସନ୍ ସାଙ୍କଚୁଆରୀ (My Son) , ଏହା ଥିଲା ଚମ୍ପା ରାଜବଂଶର ସବୁଠାରୁ ପବିତ୍ର ଧାର୍ମିକ ସ୍ଥଳ, ଯାହା ଭଗବାନ ଶିବଙ୍କୁ ସମର୍ପିତ ଥିଲା। ଇଟାରେ ନିର୍ମିତ ଏହି ସୁନ୍ଦର ମନ୍ଦିରଗୁଡ଼ିକର ଶୈଳୀ ଭାରତୀୟ ମନ୍ଦିର ସ୍ଥାପତ୍ୟ ସହିତ ସାଦୃଶ୍ୟ ରଖେ। ଏହାକୁ ବର୍ତ୍ତମାନ UNESCO ବିଶ୍ୱ ଐତିହ୍ୟ ସ୍ଥଳ (World Heritage Site) ର ମାନ୍ୟତା ମିଳିଛି। ଆମେ ସପରିବାର ଏହି ପବିତ୍ର ସ୍ଥଳରେ ପାଦ ଦେବା ମାତ୍ରେ ଆମ ଭିତରେ ଶୀହରଣ ସୃଷ୍ଟି ହୋଇଥିଲା । ସେହିପରି
ପୋ ନଗର (Po Nagar),ନାତ୍ରାଙ୍ଗ (Nha Trang) ସହରରେ ଥିବା ଏହି ମନ୍ଦିର ଚାମ ଦେବୀ ଭଗବତୀ (ୟାଙ୍ଗ ପୋ ନଗର) ଙ୍କ ପାଇଁ ନିର୍ମିତ ହୋଇଥିଲା।ଭିଏତନାମର ଉପକୂଳରେ ଅବସ୍ଥିତ ଥିବାରୁ ଚମ୍ପା ଏକ ଶକ୍ତିଶାଳୀ ସାମୁଦ୍ରିକ ବ୍ୟାପାରିକ କେନ୍ଦ୍ର ଥିଲା। ଉତ୍କଳ ସମେତ ଭାରତର ଅନ୍ୟ ସମୁଦ୍ର ଉପକୂଳରେ ଥିବା ଅଞ୍ଚଳ, ଏପରିକି ଚୀନ ଏବଂ ଆରବ ଦେଶଗୁଡ଼ିକ ସହିତ ସେମାନଙ୍କର ସାମୁଦ୍ରିକ ବାଣିଜ୍ୟ କାରବାର ବହୁତ ଭଲ ଥିଲା। ସେମାନେ ମୁଖ୍ୟତଃ ମସଲା, ଚନ୍ଦନ କାଠ ଏବଂ ହାତୀଦାନ୍ତ ରପ୍ତାନି କରୁଥିଲେ।ଚମ୍ପା ସାମ୍ରାଜ୍ୟର ଇତିହାସ ନିଜର ପଡ଼ୋଶୀ ରାଜ୍ୟ, ବିଶେଷ କରି ଉତ୍ତର ଭିଏତନାମର ‘ଦାଇ ବିଏତ’ (Dai Viet) ରାଜ୍ୟ ସହିତ ଲଗାତାର ସଂଘର୍ଷରେ କଟିଥିଲା।୧୪୭୧ ଖ୍ରୀଷ୍ଟାବ୍ଦରେ ଦାଇ ବିଏତର ରାଜା ଲେ ଥାନ ତୋଙ୍ଗ (Le Thanh Tong) ଚମ୍ପାର ରାଜଧାନୀ ବିଜୟ (Vijaya) ଉପରେ ଆକ୍ରମଣ କରି ଏହାକୁ ଧ୍ୱଂସ କରିଦେଇଥିଲେ।ଏହାପରେ ଚମ୍ପା ସାମ୍ରାଜ୍ୟ ବହୁତ ଛୋଟ ହୋଇଯାଇଥିଲା ଏବଂ ଶେଷରେ ୧୮୩୨ ଖ୍ରୀଷ୍ଟାବ୍ଦରେ ଭିଏତନାମର ସମ୍ରାଟ ମିନ ମାଙ୍ଗ (Minh Mang) ଏହାକୁ ସମ୍ପୂର୍ଣ୍ଣ ଭାବେ ଭିଏତନାମ ସାମ୍ରାଜ୍ୟରେ ମିଶାଇ ଦେଇଥିଲେ।ଚମ୍ପା ରାଜବଂଶ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯାଇଥିଲେ ମଧ୍ୟ ସେମାନଙ୍କର ବଂଶଧର ‘ଚାମ ଲୋକ’ (Cham people) ଆଜି ବି ଭିଏତନାମ ଏବଂ କାମ୍ବୋଡିଆରେ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ ଭାବେ ବସବାସ କରୁଛନ୍ତି ଏବଂ ନିଜର ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି। ଏବେ ବି ସେଠା ରେ ଆଟୁ ଘର , ଚାଳ ଛପର ,ଧାନ ଚାଷ,କଳେଇ ଗଦା, ପୋଖରୀ,କଇଁ ଫୁଲ, ପଦ୍ମଫୁଲ ଠାରୁ ଓଡ଼ିଆ ଖାଦ୍ୟ ଭାତ, ଡାଲି, ସନ୍ତୁଳା, ଖଟା,ଖି୍ରି, ଏପରିକି କଂସା ବାସନ କୁଶନ ଠାରୁ ଅନେକ ଓଡ଼ିଆ ଚଳଣି ଅବ୍ୟାହତ ରହିଛି । ଆମ ପୁଅ ସଂଘର୍ଷ କଂସା ଥାଳିରେ ଭାତ, କଂସା ବେଲା ରେ ତରକାରୀ ଖାଇଲା ଏବଂ କଂସା ଗିଲାସରେ ପାଣି ପିଇ ଅତ୍ୟନ୍ତ ଆନନ୍ଦିତ ହୋଇଥିଲା ।ଚମ୍ପା ରାଜବଂଶର ସ୍ଥାପତ୍ୟ (Cham Architecture) ଏସିଆର ମନ୍ଦିର କଳା ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହା ମୁଖ୍ୟତଃ ଭାରତୀୟ ହିନ୍ଦୁ ସ୍ଥାପତ୍ୟ କଳା (ବିଶେଷ କରି ଓଡ଼ିଆ ମନ୍ଦିର ନିର୍ମାଣ ଶୈଳୀ) ଏବଂ ସ୍ଥାନୀୟ ଚାମ ସଂସ୍କୃତିର ଏକ ଅପୂର୍ବ ମିଶ୍ରଣ।
ଚମ୍ପା ସ୍ଥାପତ୍ୟର ପ୍ରମୁଖ ବୈଶିଷ୍ଟ୍ୟ, ନିର୍ମାଣ ଶୈଳୀ ଏବଂ କଳିଙ୍ଗ କଳା ଏହାର ସାଦୃଶ୍ୟର ପ୍ରମାଣ ଏବେବି ଉପଲବ୍ଧ ।
ଚମ୍ପା ସ୍ଥାପତ୍ୟର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି ଏହାର ଇଟା ନିର୍ମାଣ କୌଶଳ , ବିଶେଷ କରି ଲାଲ୍ ଇଟାର ଚମତ୍କାରିତା । ସେମାନେ ମନ୍ଦିର ତିଆରି ପାଇଁ ପୋଡ଼ା ହୋଇଥିବା ଲାଲ୍ ଇଟା ବ୍ୟବହାର କରୁଥିଲେ। ବିଶେଷ କଥା ହେଉଛି, ଏହି ଇଟାଗୁଡ଼ିକୁ ଯୋଡ଼ିବା ପାଇଁ କୌଣସି ମୋଟା ସିମେଣ୍ଟ ବା ଚୂନର ସ୍ତର ଦେଖାଯାଏ ନାହିଁ। ସେମାନେ ଏକ ପ୍ରାକୃତିକ ଗଛର ରସ ବା ଅଠା (Tree resin) ବ୍ୟବହାର କରି ଇଟାକୁ ଏଭଳି ଭାବେ ଯୋଡ଼ୁଥିଲେ ଯେ ଆଜି ବି ସେଗୁଡ଼ିକ ମଧ୍ୟରେ ଫାଙ୍କ ଦେଖିବା କଷ୍ଟକର , ଯେପରି ଆମର ସମସ୍ତ ମନ୍ଦିର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନିର୍ମାଣରେ କେନ୍ଦୁ ଫଳ ଅଠା, ଗୁଡ଼ ରସ ସହିତ ଚୂନ ଆଦି ପଦାର୍ଥ ସମ୍ମିଶ୍ରଣରେ ଅଠା ପ୍ରସ୍ତୁତ ହୋଇଥିଲା ।ଇଟା ଉପରେ ଖୋଦେଇ , କାରଣ ପଥର ନଥିବାରୁ ତାହା ବଦଳରେ ସେମାନେ ସିଧାସଳଖ ଇଟାର କାନ୍ଥ ଉପରେ ହିଁ ସୁନ୍ଦର ଦେବାଦେବୀ ଓ ଅପ୍ସରାମାନଙ୍କର ମୂର୍ତ୍ତି ଖୋଦେଇ କରୁଥିଲେ, ଯାହା ଅତ୍ୟନ୍ତ କଷ୍ଟସାଧ୍ୟ।କାଲାନ୍ (Kalan) , ଯାହା ଚମ୍ପା ସ୍ଥାପତ୍ୟରେ ମୁଖ୍ୟ ମନ୍ଦିର ବା ଗର୍ଭଗୃହକୁ ‘କାଲାନ୍’ କୁହାଯାଏ। ଏହା ସାଧାରଣତଃ ଏକ ବର୍ଗାକାର (Square) ଟାୱାର ଆକୃତିର ହୋଇଥାଏ, ଯାହାର ଛାତ ପିରାମିଡ୍ ପରି ଉପରକୁ ଉଠିଥାଏ।
ଏକ ପୂର୍ଣ୍ଣାଙ୍ଗ ଚମ୍ପା ମନ୍ଦିର କମ୍ପ୍ଲେକ୍ସରେ କେବଳ ଗୋଟିଏ ମନ୍ଦିର ନଥାଏ, ବରଂ ଏଥିରେ କେତେକ ନିର୍ଦ୍ଦିଷ୍ଟ ଅଂଶ ଥାଏ , ଯଥା କାଲାନ୍ (Kalan), ଏହା ପ୍ରଧାନ ମନ୍ଦିର, ଯେଉଁଠି ଶିବଲିଙ୍ଗ ବା ମୂର୍ତ୍ତି ପୂଜା ପାଆନ୍ତି। ମଣ୍ଡପ (Mandapa) , ଯାହା ମୁଖ୍ୟ ମନ୍ଦିର ସମ୍ମୁଖରେ ଥିବା ଏକ ବଡ଼ ଗୃହ, ଯେଉଁଠାରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୁଅନ୍ତି ଏବଂ ପୂଜାର୍ଚ୍ଚନା କରନ୍ତି। ସେହିପରି କୋସାଗ୍ରହ (Kosagrha) ବା ସାଡଲ୍-ରୁଫ୍ ଟାୱାର ,ଏହା ଦେଖିବାକୁ ଏକ ପାଲିଙ୍କି ବା ଡଙ୍ଗାର ଓଲଟା ଛାତ ପରି। ଏଠାରେ ଦେବତାଙ୍କର ବସ୍ତ୍ର, ଅଳଙ୍କାର ଓ ରୋଷେଇ ସାମଗ୍ରୀ ରଖାଯାଉଥିଲା ( ଭୋଗମଣ୍ଡପ ପରି)। ଏତଦବ୍ୟତୀତ ଗୋପୁର (Gopura), ଏହା ମନ୍ଦିର ପରିସରକୁ ପ୍ରବେଶ କରିବା ପାଇଁ ଥିବା ମୁଖ୍ୟ ଦ୍ୱାର ବା ତୋରଣ। ମନ୍ଦିର କାନ୍ଥରେ ଭଗବାନ ଶିବ, ଗଣେଶ, କାର୍ତ୍ତିକେୟ, ବ୍ରହ୍ମା ବିଷ୍ଣୁ ଏବଂ ନନ୍ଦୀ ଷଣ୍ଢ ମୂର୍ତ୍ତି ରହିଛି ଏବଂ ସେମାନଙ୍କ ଠାଣି ମଧ୍ୟ ଓଡ଼ିଶୀ ନୃତ୍ୟ ଶାସ୍ତ୍ର ଆଧାରିତ ବୋଲି ଆମେ ଅନୁଭବ କଲୁ ।
ବିଶେଷ କରି ଭିଏତନାମରେ ଓଡ଼ିଆ ଅସ୍ମିତା ଅନ୍ବେଷଣ କରିବାକୁ ହେଲେ ଏହାର ୩୨୬୦ କି.ମି ସମୁଦ୍ର ଉପକୂଳର ଇତିହାସ କୁ ଗର୍ଭାନୁଶୀଳନ କରିବାକୁ ପଡ଼ିବ ।ଭିଏତନାମର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଦା ନାଙ୍ଗ (Da Nang) ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସୁନ୍ଦର ଉପକୂଳବର୍ତ୍ତୀ ସହର। ଏହାର ଇତିହାସ ଯେତିକି ଗୌରବମୟ, ଏହାର ସାମୁଦ୍ରିକ ଏବଂ ପ୍ରାକୃତିକ ସମ୍ପଦ ମଧ୍ୟ ସେତିକି ସମୃଦ୍ଧ। ଦାନାଙ୍ଗର ଇତିହାସ ପ୍ରାଚୀନ ସଭ୍ୟତାଠାରୁ ଆରମ୍ଭ କରି ଆଧୁନିକ ଯୁଦ୍ଧ ପର୍ଯ୍ୟନ୍ତ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି। ଖ୍ରୀଷ୍ଟ ପୂର୍ବ ତୃତୀୟ ଶତାବ୍ଦୀରୁ ଚାମ୍ପା ସାମ୍ରାଜ୍ୟ ଏହି ଅଞ୍ଚଳରେ ହିନ୍ଦୁ ସଭ୍ୟତା, ବିଶେଷ କରି ଓଡ଼ିଆ ସଂସ୍କୃତିର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଥିଲା ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ ।
ଦା ନାଙ୍ଗ ନିକଟରେ ଥିବା ‘ମାଇ ସନ’ ଏବଂ ସହରର ଚମ୍ପା ସଭ୍ୟତା ସଂଗ୍ରହାଳୟ ଏହାର ମୂକସାକ୍ଷୀ। ଏଠାରେ ମୂର୍ତ୍ତିକଳା ଓ ସଂସ୍କୃତିର ଗଭୀର ଝଲକ ଦେଖିବାକୁ ମିଳେ। ଚମ୍ପା ସାମ୍ରାଜ୍ୟ ପତନ ପରେ ମଧ୍ୟ ପ୍ରାୟ ୧୮୫୮ ପର୍ଯ୍ୟନ୍ତ ଓଡ଼ିଆ ସଂସ୍କୃତି ଜନଜୀବନର ନିଜସ୍ୱ ସଂସ୍କୃତି ଥିଲା ।୧୮୫୮ ମସିହାରେ ଫରାସୀ ସେନା ପ୍ରଥମେ ଦା ନାଙ୍ଗ ଉପରେ ଆକ୍ରମଣ କରି ଏହାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ସେମାନେ ଏହାର ନାମ ‘ଟୁରାନ’ (Tourane) ରଖିଥିଲେ ଏବଂ ଏହାକୁ ଏକ ପ୍ରମୁଖ ବ୍ୟାପାରିକ ବନ୍ଦର ଭାବେ ଗଢ଼ି ତୋଳିଥିଲେ।ଭିଏତନାମ ଯୁଦ୍ଧ ସମୟରେ ଦା ନାଙ୍ଗ ଏକ ପ୍ରମୁଖ ରଣକ୍ଷେତ୍ର ଥିଲା। ୧୯୬୫ ମସିହାରେ ଆମେରିକୀୟ ସେନା ପ୍ରଥମ କରି ଏହି ସହର ଦେଇ ଭିଏତନାମରେ ପ୍ରବେଶ କରିଥିଲେ। ସେଠାରେ ଥିବା ଆମେରିକୀୟ ଏୟାରବେସ୍ ଏବଂ ନୌସେନା ଘାଟି ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।୧୯୭୫ରେ ଯୁଦ୍ଧ ଶେଷ ହେବା ପରେ ଏବଂ ବିଶେଷ କରି ୧୯୯୦ ଦଶକ ପରେ, ଦା ନାଙ୍ଗ ନିଜକୁ ଏକ ଶିଳ୍ପ ଓ ପର୍ଯ୍ୟଟନ ପ୍ରମୁଖ କେନ୍ଦ୍ର ବା ହବ୍ ଭାବେ ପୁନର୍ଗଠିତ କରିଛି। ଆଜି ଏହା ଭିଏତନାମର ସବୁଠାରୁ ଦ୍ରୁତ ଗତିରେ ବିକଶିତ ହେଉଥିବା ସମ୍ଭ୍ରାନ୍ତ ସହର ବା ସ୍ମାର୍ଟ ସିଟି ଭାବେ ମାନ୍ୟତା ପ୍ରାପ୍ତ ।ଦା ନାଙ୍ଗର ଭୌଗୋଳିକ ଅବସ୍ଥିତି ଏହାକୁ ଏକ ବୃହତ୍ ସାମୁଦ୍ରିକ ଅର୍ଥନୀତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟର କେନ୍ଦ୍ରବିନ୍ଦୁ କରିଛି।ଦା ନାଙ୍ଗରେ ଅନେକ ସୁନ୍ଦର ବେଳାଭୂମି ରହିଛି, ଯାହା ମଧ୍ୟରୁ ‘ମାଇ ଖେ’ ବେଳାଭୂମି ଅତ୍ୟନ୍ତ ଆକର୍ଷଣୀୟ , ଯାହା କଳିଙ୍ଗ ସାଗର ବା ମହୋଦଧିସ୍ଥ ପୁରୀ ବେଳାଭୂମି ଭଳି ପ୍ରତୀୟମାନ ହୁଏ ।
ଧଳା ବାଲି ଏବଂ ସ୍ୱଚ୍ଛ ନୀଳ ପାଣି ପାଇଁ ଫୋର୍ବସ ପତ୍ରିକା ଏହାକୁ ବିଶ୍ୱର ସବୁଠାରୁ ଆକର୍ଷଣୀୟ ବେଳାଭୂମି ମଧ୍ୟରେ ସ୍ଥାନ ଦେଇଛି। ଏହା ବ୍ୟତୀତ ନନ ନୁଓକ ଏବଂ ରେଡ୍ ବିଚ୍ ମଧ୍ୟ ପର୍ଯ୍ୟଟକଙ୍କ ପ୍ରଧାନ ଆକର୍ଷଣ। ଦାନାଙ୍ଗର ଉତ୍ତରରେ ଥିବା ସନ ଟ୍ରା ଉପଦ୍ୱୀପ ବା ପେନିନସୁଲା
କିମ୍ବା ମାଙ୍କଡ ପାହାଡ଼ ବା ମଙ୍କି ମାଉଣ୍ଟେନ୍ ଏକ ପ୍ରାକୃତିକ ସଂରକ୍ଷିତ ଅଞ୍ଚଳ। ଏହାର ଚାରିପାଖ ସମୁଦ୍ରରେ ବିରଳ ପ୍ରବାଳ ପ୍ରାଚୀର ବା କୋରାଲ ରିଫସ୍ ସାମୁଦ୍ରିକ କଇଁଛ ଏବଂ ଶତାଧିକ ପ୍ରଜାତିର ମାଛ ଦେଖାଯାନ୍ତି, ଯାହା ସ୍ନର୍କେଲିଂ ଓ ସ୍କୁବା ଡାଇଭିଂ ପାଇଁ ଉତ୍କୃଷ୍ଟ। ଦାନାଙ୍ଗ ବନ୍ଦର ହେଉଛି ମଧ୍ୟ-ଭିଏତନାମର ସବୁଠାରୁ ବଡ଼ ସାମୁଦ୍ରିକ ବନ୍ଦର। ଏହା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ସଂଯୋଗ କରୁଥିବା ଏକ ପ୍ରମୁଖ ବ୍ୟାପାରିକ ବା ପ୍ରବେଶ ପଥ ,ଯାହା ଦେଶର ରପ୍ତାନି ଓ ସାମୁଦ୍ରିକ ବାଣିଜ୍ୟକୁ ସମୃଦ୍ଧ କରେ। ଭିଏତନାମର ଏହି ପୂର୍ବ ସମୁଦ୍ର ବା ଇଷ୍ଟ ସି , ଅନ୍ୟ ଭାଷାରେ ସାଉଥ୍ ଚିନ ସି ର ଭୌଗୋଳିକ ସ୍ଥିତି ଆକଳନ କଲେ ତିନି ହଜାର ବର୍ଷ ପୂର୍ବରୁ ଓଡିଆ ବଣିକମାନେ , ଯେଉଁମାନଙ୍କର ଚୀନ ସହିତ ବେପାର ବଣିଜ ଥିଲା , ସେମାନେ ପ୍ରଥମେ ଯାଇଥିବେ ବୋଲି ଅନୁମାନ କରିହୁଏ । ଦାନାଙ୍ଗ କେବଳ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ନୁହେଁ, ବରଂ ଏହାର ସମୁଦ୍ର କୂଳରେ ଥିବା ବିଶାଳ ପାହାଡ଼, ଗୁମ୍ଫା , ଯାହାକୁ ମାର୍ବଲ ପାହାଡ଼ , ଅଧୁନା ମାର୍ବଲ ମାଉଣ୍ଟେନ ଭାବେ ବିଶ୍ବ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି ଏବଂ ସମ୍ପ୍ରତି ଏହାକୁ ଏସିଆର ଏକ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ମିଳିଛି , ସେହି ପାହାଡ଼ ଗୁମ୍ଫାରେ ରହିଛି ଓଡ଼ିଆ ଅସ୍ମିତା , ଯାହା ଆମେ ଅନ୍ବେଷଣ କରି ଦୃଢ଼ ନିଶ୍ଚିତ ହେଲୁ । ସେଠାରେ ସ୍ବର୍ଗ ଅଛି,ନର୍କ ଅଛି , ଶୁଦ୍ଧିକ୍ରିୟା, ମୁଣ୍ଡନ , ମାନସିକ କେଶ ଅର୍ପଣ ପ୍ରଭୃତି ଦେଖିବାକୁ ପାଇଥିଲୁ ।
କ୍ରମଶଃ
See less
