ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକଙ୍କୁ ସର୍ବସମ୍ମୁଖରେ ପିଟି ପିଟି ହତ୍ୟା କରାଯିବା ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଜଣେ ରେଳବାଇ କନଷ୍ଟେବଲ ସୌମ୍ୟରଞ୍ଜନ ସ୍ପାଇଁଙ୍କୁ ଯେଭଳି ଅମାନୁଷିକ ଭାବେ ହତ୍ୟା କରାଗଲା, ତାହା କେବଳ ଏକ ଅପରାଧ ନୁହେଁ, ବରଂ ଆମ ସାମାଜିକ ବ୍ୟବସ୍ଥା ଓ ମାନବିକତା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ। ଅଭିଯୋଗକାରିଣୀ ଯୁବତୀଙ୍କ ବୟାନ ଅନୁଯାୟୀ, ଦୁର୍ଘଟଣା ପରେ ତାଙ୍କୁ ଓ ତାଙ୍କ ସାଙ୍ଗଙ୍କୁ ଅସଦାଚରଣ କରାଯାଇଥିଲା। ଯୁବତୀଙ୍କୁ ରକ୍ଷା କରିବାକୁ ସ୍ଥାନୀୟ ଲୋକେ ଆଗେଇ ଆସିବା ପ୍ରଶଂସନୀୟ, କିନ୍ତୁ ଏହାର ପରବର୍ତ୍ତୀ ରୂପ ଅତ୍ୟନ୍ତ ଭୟଙ୍କର ଥିଲା। ଜଣେ ବ୍ୟକ୍ତି ଅପରାଧ କରିଥାଇପାରନ୍ତି, କିନ୍ତୁ ତାଙ୍କର ହାତଗୋଡ଼ ବାନ୍ଧି ବିଚ୍ ରାସ୍ତାରେ ପ୍ରାଣ ନେବା ପର୍ଯ୍ୟନ୍ତ ପିଟିବା କୌଣସି ବି ଦୃଷ୍ଟିକୋଣରୁ ଗ୍ରହଣୀୟ ନୁହେଁ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ସୁଦ୍ଧା ସୌମ୍ୟରଞ୍ଜନଙ୍କୁ ଉଦ୍ଧାର କରିପାରିନଥିଲା। ଯଦି ଆଇନର ରକ୍ଷକଙ୍କ ଉପସ୍ଥିତିରେ ଲୋକେ ଆଇନକୁ ହାତକୁ ନେବେ, ତେବେ ସାଧାରଣ ଜନତା କାହା ଉପରେ ଭରସା କରିବେ? ଏହା ପ୍ରଶାସନିକ ବିଫଳତାର ଏକ ନଗ୍ନ ଚିତ୍ର। ଗଣତନ୍ତ୍ରରେ ଦୋଷୀକୁ ଦଣ୍ଡ ଦେବାର ଅଧିକାର କେବଳ ନ୍ୟାୟାଳୟର। ଯଦି ରାସ୍ତାକଡ଼ର ନ୍ୟାୟ ପ୍ରଚଳିତ ହୁଏ, ତେବେ ସମାଜରେ ଅରାଜକତା ବୃଦ୍ଧି ପାଇବ। କୌଣସି ଘଟଣାର ସତ୍ୟାସତ୍ୟ ନଜାଣି କିମ୍ବା ଆବେଗରେ ଆସି କାହାର ପ୍ରାଣ ନେବା ଏକ ସୁସ୍ଥ ସମାଜର ଲକ୍ଷଣ ନୁହେଁ। ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ଲୋକେ ଉଦ୍ଧାର କରିବା ପରିବର୍ତ୍ତେ ଭିଡିଓ କରିବା କିମ୍ବା ଆହୁରି ମାଡ଼ ମାରିବା ମାନବିକତାର ପତନକୁ ସୂଚାଉଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଏବେ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି।
ଅସଦାଚରଣ ଅଭିଯୋଗ ହେଉ ବା ଅନ୍ୟ କିଛି, କୌଣସି ବି ପରିସ୍ଥିତିରେ ହତ୍ୟାକୁ ଯଥାର୍ଥ ଦର୍ଶାଯାଇପାରିବ ନାହିଁ। ଆମକୁ ବୁଝିବାକୁ ହେବ ଯେ ନ୍ୟାୟ ଓ ପ୍ରତିଶୋଧ ମଧ୍ୟରେ ଏକ ସୂକ୍ଷ୍ମ ପାର୍ଥକ୍ୟ ଅଛି। ଏଭଳି ଘଟଣା ସମାଜରେ ପୁନରାବୃତ୍ତି ନହେବା ପାଇଁ ସଚେତନତା ଓ ଆଇନର କଠୋରତା ଉଭୟ ଜରୁରୀ।
