ଓଡ଼ିଶାରେ କାହିଁକି ଦେଖାଦେଲା ତୈଳ ସଙ୍କଟ? ଯୋଗାଣରେ ତ୍ରୁଟି

ଓଡ଼ିଶାରେ କାହିଁକି ଦେଖାଦେଲା ତୈଳ ସଙ୍କଟ? ଯୋଗାଣରେ ତ୍ରୁଟି

ଗତ ତିନି ଦିନ ହେବ ଓଡ଼ିଶାର କୋଣ ଅନୁକୋଣରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଏବଂ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ରହିବା ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ଏକ ଅଜଣା ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପେଟ୍ରୋଲ, ଡିଜେଲ ବ୍ୟବହାର କମାଇବା ଏବଂ ଇଲେକ୍ଟ୍ରିକ୍ ଗାଡ଼ି (EV) ଆପଣାଇବାକୁ ଆହ୍ୱାନ ଦେବା ପରେ ଏହି ସ୍ଥିତି ଅଧିକ ଜଟିଳ ରୂପ ନେଇଛି। ତେବେ ଏହି ସମସ୍ୟାର ପ୍ରକୃତ କାରଣ କ’ଣ, ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ଏହି ସଙ୍କଟକୁ ନେଇ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ର ସିଜିଏମ୍ କମଲ୍ ସିଲ୍ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ ମତରେ, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ। ଓଡ଼ିଶାରେ ଇଣ୍ଡିଆନ୍ ଅଏଲ୍, ଏଚ୍‌ପିସିଏଲ୍‌ ଏବଂ ବିପିସିଏଲ୍‌ର ୮ଟି ଯୋଗାଣ କେନ୍ଦ୍ର ରହିଛି, ଯାହା ପାରାଦୀପ ରିଫାଇନେରିରୁ ସିଧାସଳଖ ପାଇପ୍‌ଲାଇନ୍ ଦ୍ୱାରା ସଂଯୁକ୍ତ।

ସିଲ୍ ପ୍ରକାଶ କରିଛନ୍ତି ଯେ, ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ହଠାତ୍ ତେଲର ଚାହିଦା ସାରା ଦେଶରେ ସର୍ବାଧିକ ୩୭ ପ୍ରତିଶତ ବୃଦ୍ଧି ପାଇଛି, ଯାହା ସ୍ୱାଭାବିକ ସ୍ଥିତିରେ ମାତ୍ର ୩ ରୁ ୪ ପ୍ରତିଶତ ବଢ଼ିଥାଏ। ପୂର୍ବରୁ ଦୈନିକ ୪ ହଜାର କିଲୋଲିଟର ପେଟ୍ରୋଲ ଚାହିଦା ଥିବାବେଳେ ଏବେ ତାହା ୫.୫ ହଜାର କିଲୋଲିଟର ଏବଂ ଡିଜେଲ ଚାହିଦା ୧୧ ହଜାରରୁ ୧୩ ହଜାର କିଲୋଲିଟରକୁ ବୃଦ୍ଧି ପାଇଛି। ଲୋକମାନେ ଆତଙ୍କିତ ହୋଇ ଅଧିକ ଗାଡ଼ି ତେଲ କିଣିବା ସହ ପ୍ଲାଷ୍ଟିକ୍ ଜାର୍‌ରେ ମହଜୁଦ କରୁଥିବାରୁ ପମ୍ପଗୁଡ଼ିକରେ କିଛି ଘଣ୍ଟା ପାଇଁ ଶୁଖିଲା ପଡ଼ିଯାଉଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ରାତିରେ ମଧ୍ୟ ତୈଳ ପରିବହନ ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇଛି।

ଓଡ଼ିଶାରେ ଦେଖାଦେଇଥିବା ଏହି ତୈଳ ସଙ୍କଟ ପଛରେ ଯୋଗାଣ ଜନିତ ସମସ୍ୟା ସହିତ ସର୍ବସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଭୀତ ହୋଇ ଅଧିକ ତୈଳ କିଣିବା ମୁଖ୍ୟ କାରଣ ସାଜିଛି। ସରକାର ଓ ତୈଳ କମ୍ପାନୀ ପକ୍ଷରୁ ସ୍ଥିତି ସ୍ୱାଭାବିକ କରିବାକୁ ଚେଷ୍ଟା ଚାଲିଥିବା ବେଳେ, ସାଧାରଣ ଲୋକେ ଗୁଜବରୁ ଦୂରେଇ ରହିବା ଆବଶ୍ୟକ।

Posted in ରାଜ୍ୟ.