ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର ନୀଳମଣି ବିଦ୍ୟାରତ୍ନଙ୍କ ସମାଧିପୀଠ

ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର ନୀଳମଣି ବିଦ୍ୟାରତ୍ନଙ୍କ ସମାଧିପୀଠ

ମହାନ ସ୍ୱାଧୀନତା ସଂଗ୍ରାମୀ, ବାଙ୍କୀର ବରପୁତ୍ର, ସାମ୍ବାଦିକ ଜଗତ ର ଉଜ୍ବଳ ଜ୍ୟୋତିଷ୍କ, ସାହିତ୍ୟିକ ଉତ୍କଳ ସମ୍ମିଳନୀର ଆଦ୍ୟସ୍ରଷ୍ଟା, ଉତ୍କଳର ଗର୍ବ ଓ ଗୌରବ ବହୁମୁଖୀ ପ୍ରତିଭାଦୀପ୍ତ ନୀଳମଣି ବିଦ୍ୟାରତ୍ନଙ୍କ ସତୀଚଉରା ଠାରେ ଥିବା ସମାଧି ପୀଠ ପରିତ୍ୟକ୍ତ, ଜରାଜୀର୍ଣ୍ଣ ଅବସ୍ଥାରେ ଦୀର୍ଘ ୨୫ ବର୍ଷଧରି ପଡ଼ିରହିଛି ।

୧୯୯୯ ମହାବାତ୍ୟା ପରେ ତାଙ୍କ ସମାଧି ଭଗ୍ନ ଅବସ୍ଥାରେ ରହିଛି । ଏହି ପରିପ୍ରେକ୍ଷୀରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ଶିକ୍ଷାବିତ ସୁନୀଲ କୁମାର ମିଶ୍ର, ପ୍ରବଚକ କୃଷ୍ଣ କେଶବ ଷଡ଼ଙ୍ଗୀ, ରବୀନ୍ଦ୍ର କୁମାର ରଣା ପ୍ରମୁଖ ସମାଧି ସ୍ଥଳ ଯାଇ ସ୍ଥିତି କୁ ଅନୁଧ୍ୟାନ କରିଥିଲେ । ଏ ସମ୍ପର୍କ ରେ ଗତବର୍ଷ ୨୦୨୪ ମେ ମାସରେ ସରକାରଙ୍କୁ ଅବଗତ କରାଇବା ସହିତ ବିଭିନ୍ନ ମୁଦ୍ରିତ ଗଣମାଧ୍ୟମ ରେ ପୁନଃରୁଦ୍ଧାର ନେଇ ଖବର ପ୍ରକାଶିତ ହେଇ ଥିଲା ।୨୨ ନମ୍ବର ରେ ଥିବା ତାଙ୍କ ସମାଧି ଘୋର ପରିତ୍ୟକ୍ତ ରେ ପଡ଼ିରହିଛି । ମାତ୍ର ଏ ପର୍ୟ୍ୟନ୍ତ ସୁରକ୍ଷିତ ସମାଧି ନିର୍ମିତ ହୋଇପାରିଲା ନାହିଁ । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ କ୍ରାନ୍ତି କୁମାର ସକ୍ସେନା, ଓଡିଶା ନାଗରିକ ମହାମଞ୍ଚ ଉପ ସଭାପତି ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, ସଂଯୋଜକ ନାରାୟଣ ଓଝା ଅତିଶୀଘ୍ର ସରକାର, ସଂସ୍କୃତି ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି କରିଛନ୍ତି । କେବଳ ମହାପୁରୁଷ ଙ୍କ ଆବିର୍ଭାବ ଓ ତିରୋଧାନ ରେ ପୁଷ୍ପମାଲ୍ୟ ଅର୍ପଣ ସରକାର ନ କରି ବରପୁତ୍ର ଙ୍କ ସମାଧି ଓ ପ୍ରତିମୂର୍ତ୍ତି ସୁରକ୍ଷା ପ୍ରତି ଯତ୍ନ ନିଅନ୍ତୁ ବୋଲି ଅଭିଯାନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା । ସରକାର ଶୀଘ୍ର ସମାଧିପୀଠ ର ପୁନଃରୁଦ୍ଧାର, ସୁରକ୍ଷା କରନ୍ତୁ ବୋଲି ସାଧାରଣ ରେ ମଧ୍ୟ ଜୋର ଦାବି ଧରିଛି ।

ନୀଳମଣି, ୧୮୬୭ ମସିହା ଡିସେମ୍ବର ୧୪ ତାରିଖରେ କଟକ ଜିଲ୍ଲାର ବାଙ୍କୀ ଉପକଣ୍ଠ ବୈଦେଶ୍ୱର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ସୌରୀଚରଣ ମିଶ୍ର ଓ ମାତାଙ୍କ ନାମ ରୋହିଣୀ ଦେବୀ  । ବଡ଼ମ୍ବା-ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରୁ, ନୀଳମଣି ଶିକ୍ଷକତା ଆରମ୍ଭ କରିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟର ସେ ଥିଲେ ଜଣେ ପୃଷ୍ଠପୋଷକ । ତତ୍କାଳୀନ ଓଡ଼ିଶାର ବହୁ ସାହିତ୍ୟିକ ତାଙ୍କଦ୍ୱାରା ପ୍ରେରଣା ପାଉଥିଲେ ଓ ପ୍ରୋତ୍ସାହିତ ହେଉଥିଲେ । ବଡ଼ମ୍ବା ରାଣୀଙ୍କଠାରୁ ତାଙ୍କୁ ମିଳିଥିଲା “ବିଦ୍ୟାରତ୍ନ” ଉପାଧୀ ।

୧୮୮୫ ସମୟରେ ବାମଣ୍ଡାର ରାଜା ବାସୁଦେବ ସୁଢ଼ଳଦେବଙ୍କଦ୍ୱାରା ଏହି ସମ୍ମାନ ପ୍ରତିଷ୍ଠିତ ହୋଇଥିଲା ଓ ସେ ସମ୍ବର୍ଦ୍ଧିତ ହୋଇଥିଲେ । ବଡ଼ମ୍ବା ଅଞ୍ଚଳର ବହୁ କିର୍ତ୍ତୀ ତାଙ୍କଦ୍ୱାରା ପ୍ରତିଷ୍ଠା ଓ ନାମକରଣ କରାଯାଇଥିଲା । ବାମଣ୍ଡାର ରହଣୀ କାଳରେ ସେ ସମ୍ବଲପୁର ହିତୈଷିଣୀ ପତ୍ରିକାର ସମ୍ପାଦନା କରୁଥିଲେ ।  ପରବର୍ତ୍ତୀ ସମୟରେ ଗଞ୍ଜାମର ରମ୍ଭାଠାରେ, ଖଲ୍ଲୀକୋଟ ରାଜ ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ ପ୍ରକାଶ ପାଉଥିବା ପ୍ରଜାବନ୍ଧୁ ପତ୍ରିକାର ସମ୍ପାଦନା କରୁଥିଲେ ।  ଏହି ସମୟରେ, ସେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ କାର୍ଯ୍ୟ କରିଥିଲେ ।

୧୯୦୨ ମସିହାରେ ଗଞ୍ଜାମ ଓଡ଼ିଆ ସଭାର ଆୟୋଜନ କରି, ଉତ୍କଳ ସମ୍ମିଳନୀର ପରିକଳ୍ପନା କରାଇଥିଲେ । ୧୯୦୩ ମସିହାରେ କଟକଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସିଥିଲା ।  ସେ ବଡଖେମୁଣ୍ଡିରେ, ରାଜା କୃପାମୟ ଦେବଙ୍କ ପ୍ରକାଶିତ “ଗଞ୍ଜାମ ଗୁଣଦର୍ପଣ” ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ । ନିଜେ “ଉତ୍କଳମଧୁପ” ନାମକ ପତ୍ରିକା ପ୍ରକାଶ କରୁଥିଲେ । ଜୀବନର ଶେଷ ଭାଗକୁ ଉତ୍କଳ ଦୀପିକା ପତ୍ରିକାର ମଧ୍ୟ ସମ୍ପାଦନା କରୁଥିଲେ । ସମାଜ ସଂସ୍କାରକ ଭାବରେ, ସେ ବିଧବା ବିବାହ ପ୍ରଚଳନ, ବାଲ୍ୟବିବାହର ବିରୋଧରେ କାର୍ଯ୍ୟ କରୁଥିଲେ । ପୁରୀଠାରେ ଏକ ବିଧବା ଆଶ୍ରମ ପ୍ରତିଷ୍ଠା କରିଥିଲେ ।

ତାଙ୍କ ରଚନା ମଧ୍ୟରେ ବିଷବୈରୀ, ରାଜନୀତି, ପଶୁ ଚିକିତ୍ସା, ପରିମଳ, ମଣିମଞ୍ଜୁଷା, କୃତନୀତିପରାଗ ପାଠକଙ୍କ ବେଶ ଆଦର ଲାଭ କରିଥିଲା । ୧୯୨୪ ମସିହା ଜୁଲାଇ ୨୬ ତାରିଖରେ ନୀଳମଣି ବିଦ୍ୟାରତ୍ନଙ୍କର ମହାପ୍ରୟାଣ ଘଟିଥିଲା । ଏହି ମହାପୁରୁଷଙ୍କ ସ୍ମୃତିର ପୁନରୁଦ୍ଧାର ପାଇଁ ଦାବି ଜଣାଇଛି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ।

Posted in ରାଜ୍ୟ.

Leave a Reply

Your email address will not be published. Required fields are marked *