ଉତ୍କଳ ରତ୍ନ ବାରିଷ୍ଟର ବିଶ୍ବନାଥ ମିଶ୍ର
ଆସନ୍ତା କାଲି ପ୍ରଥମ ଓଡ଼ିଆ ବାରିଷ୍ଟର, ପ୍ରଥମ କେନ୍ଦ୍ରୀୟ ସଂସଦୀୟ ବ୍ୟବସ୍ଥାର ସଦସ୍ୟ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କାଣ୍ଡାରୀ, ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ ତଥା ଉତ୍କଳ ରତ୍ନ ବାରିଷ୍ଟର ବିଶ୍ବନାଥ ମିଶ୍ର ଙ୍କ ୯୨ ତମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ( ରାଜଭବନ ସମ୍ମୁଖରେ) ସକାଳ ୯ ଘଣ୍ଟା ସମୟରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ଙ୍କ ସମେତ ସମସ୍ତ ସମର୍ପିତ ସଦସ୍ୟ ମାନେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଛି । ସକଳଙ୍କ ସକଳ ସୁମନାସ କାମନାନ୍ତେ ବନ୍ଦେ ଉତ୍କଳ ଜନନୀ ।ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର ଥିଲେ ଏକ କିମ୍ବଦନ୍ତୀ। ତେଣୁ ତାଙ୍କୁ ଯଥାର୍ଥରେ କୁହାଯାଉଛି ଓଡ଼ିଶା ଇତିହାସର ବହ୍ନିପୁରୁଷ। ତାଙ୍କ ଜୀବନର କିଛି ବିରଳ ଘଟଣାବଳୀକୁ ନେଇ ପ୍ରଫେସର ସୂର୍ଯ୍ୟ କୁମାର ମିଶ୍ରଙ୍କ ଦ୍ଵାରା ଲିଖିତ ଜୀବନୀ ପୁସ୍ତକ “ଓଡ଼ିଶା ଇତିହାସର ବହ୍ନିପୁରୁଷ ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର”।ସାକ୍ଷୀଗୋପାଳ ନିକଟ ସୋମେଶ୍ୱରପୁରରେ ଜନ୍ମିତ ବିଶ୍ୱନାଥ ୧୯୦୪ରେ ଏଫଏ ପାସ କରି ସେହି ବର୍ଷ କୂଳବୃଦ୍ଧ ମଧୁସୂଦନ ଙ୍କ ଉପଦେଶରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଭାଷା ଶିକ୍ଷକ ଭାବରେ ରସୁଲକୋଣ୍ଡା (ଆଧୁନିକ ଭଞ୍ଜନଗର)ଯାଇଥିଲେ। ଏଥିରେ କିନ୍ତୁ ତାଙ୍କର ଅନିସନ୍ଧିତ୍ସୁ ମନ ସନ୍ତୁଷ୍ଟ ହୋଇ ରହି ପାରିନଥିଲା। ଏଣୁ ସେ ଓକିଲାତି ପଢ଼ିବା ପାଇଁ ମାଡ୍ରାସ ଗଲେ। ୧୯୦୬ରେ ଓକିଲାତି ସାରି ସେ ଆସ୍କାରେ ଜଣେ ଉଚ୍ଚକୋଟୀର ଆଇନଜୀବୀ ଭାବେ ନିଜ ଜୀବନ ଆରମ୍ଭ କରିଥିଲେ ଏବଂ ଓଡିଆ ଭାଷାରେ ଆଇନ୍ ଅଦାଲତି କାର୍ଯ୍ୟ କରିବା, ଜବାବ୍ ସୁଆଲ କରିଥିଲେ। ସେ ଚାହିଁଥିଲେ କଟକରେ ମଧ୍ୟ ଓକିଲାତି କରି ପରିଥାନ୍ତେ, କିନ୍ତୁ ଗଞ୍ଜାମ ଛାଡ଼ି ସେ ଅନ୍ୟତ୍ର ଯାଇନଥିଲେ କାରଣ ତାଙ୍କୁ ଏଠି ବହୁତ କିଛି କରିବା ପାଇଁ ଥିଲା। ବିଶ୍ୱନାଥ ମିଶ୍ରଙ୍କ ସମୟରେ ଓଡ଼ିଆ ବାରିଷ୍ଟର କେହି ନଥିଲେ। ଏଣୁ ୧୯୦୮ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରେ ପବ୍ଲିକ ପରୀକ୍ଷା ଦେଇ ସଫଳ ହୋଇଥିଲେ। ଅଦମ୍ୟ ଚେଷ୍ଟା ଫଳରେ ସେ ଲଣ୍ଡନ ‘ଗ୍ରେଜ ଇନ’ରେ ବାରିଷ୍ଟରୀ ପଢିବା ପାଇଁ ବିବେଚିତ ହୋଇଥିଲେ। ତେବେ ବାପାଙ୍କ ଆକଟ ଯୋଗୁଁ ବିଶ୍ୱନାଥ ପ୍ରଥମ ଉଦ୍ୟମରେ ବିଲାତ ଯାଇପାରିନଥିଲେ। କିନ୍ତୁ ପରେ ସେ ‘ମିଡଲଟେମ୍ପଲ’ ରେ ନାମ ଲେଖାଇଲେ। ସବୁଠାରୁ ବଡ଼ କଥା ହେଲା ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହପାଠୀ ଥିଲେ। ଏହା ୧୯୧୦-୧୨ର ଘଟଣା। ତା’ ପରବର୍ତ୍ତୀ ବର୍ଷ ପଟେଲଙ୍କ ସହ ବିଶ୍ୱନାଥ ମିଶ୍ର ବି ‘କଲ ଟୁ ଦି ବାର’ ପାଇଥିଲେ ଓ ‘ବାର-ଆଟ-ଲ’ ହୋଇଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ୧୯୩୩ ମସିହା ସେପ୍ଟେମ୍ବର ୧୯ ତାରିଖରେ ତାଙ୍କର ଦେହତ୍ୟାଗ ହୋଇଥିଲା। ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ବିଧିବଦ୍ଧ ଜୀବନୀ ଲିଖନର ଆବଶ୍ୟକତା ଥିବା ବେଳେ ପ୍ରଫେସର ସୂର୍ଯ୍ୟ କୁମାର ମିଶ୍ର ତାହାକୁ ପୂରଣ କରିପାରିଛନ୍ତି। ବିଶ୍ୱନାଥ ମିଶ୍ରଙ୍କ ଜୀବନର ଅସଂଖ୍ୟ ଘଟଣାବଳୀକୁ ନେଇ ଲିଖିତ ଏହି ପୁସ୍ତକରେ କେବଳ ବିଶ୍ୱନାଥ ମିଶ୍ରଙ୍କ ଜୀବନର ବିରଳ ଘଟଣାବଳୀର ଅବତାରଣା ହୋଇଛି ତାହା ନୁହେଁ ସେ ସମୟର ଅନେକ ଦସ୍ତାବିଜ୍ ମଧ୍ୟ ସ୍ଥାନିତ ହୋଇଛି।ସମ୍ପ୍ରତି କାନାଡାରେ ରହୁଥିବା ଲେଖକ ପ୍ରଫେସର ସୂର୍ଯ୍ୟ ମିଶ୍ର ନିଜେ ଜଣେ ସୁନାମଧନ୍ୟ ବିଜନେସ ମ୍ୟାନେଜେମେଣ୍ଟ ପ୍ରଫେସର। ଆମେରିକାର ଫ୍ରାଙ୍କ ବର୍ଟନ ସ୍କୁଲରୁ ଉଚ୍ଚ ଶିକ୍ଷା ଲାଭ କରିଥିବା ଏବଂ ୧୯୮୩ ମସିହାରୁ ଅଧ୍ୟାପନା ଆରମ୍ଭ କରିଥିବା ସୂର୍ଯ୍ୟ ମିଶ୍ର ଓଡ଼ିଶାରେ ବିଭିନ୍ନ ମ୍ୟାନେଜମେଣ୍ଟ କଲେଜ ପ୍ରତିଷ୍ଠାରେ ମଧ୍ୟ ଅବଦାନ ରଖିଛନ୍ତି। ଆଲୋଚ୍ୟ ପୁସ୍ତକରେ ବିଶ୍ୱନାଥ ମିଶ୍ରଙ୍କ ସମଗ୍ର ଜୀବନର ଝଲକ ରହିଛି। ବିଶେଷ କରି ବିଛିନ୍ନାଞ୍ଚଳ ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ବାରିଷ୍ଟର ମିଶ୍ରଙ୍କ କଣ ଭୂମିକା ରହିଥିଲା ତାହାର ଏକ ପ୍ରାଞ୍ଜଳ ବର୍ଣ୍ଣନା ପୁସ୍ତକରେ ପଢ଼ିବାକୁ ମିଳେ।ମୋଟ ୨୫ଟି ଅଧ୍ୟାୟ ବିଶିଷ୍ଟ ଏହି ଜୀବନୀରେ ବିଶ୍ଵନାଥଙ୍କ ପିଲାଦିନ, ତାଙ୍କର ବିଦେଶ ଗସ୍ତ ଓ ଅଧ୍ୟୟନ, ଉତ୍କଳ ସମ୍ମିଳନୀରେ ତାଙ୍କ ଯୋଗଦାନ, ମହାତ୍ମା ଗାନ୍ଧୀଙ୍କ ସହ ଭେଟ, ସାଇମନ କମିସନରେ ତାଙ୍କର ଯୁକ୍ତି, ଫିଲିପ ଡଫ କମିଟି, ଓଡନେଲ କମିଟିରେ ତାଙ୍କର ପ୍ରସ୍ତାବନା, ‘ଆଶା’ ଖବରକାଗଜ ସହ ତାଙ୍କ ସମ୍ପର୍କ, କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ଯୋଗଦାନ, ଭଗତ ସିଂହଙ୍କ ଫାଶୀ ବିରୁଦ୍ଧରେ ତାଙ୍କ ଯୁକ୍ତି ଉପସ୍ଥାପନ, ଶେଷ ସମୟ – ଏସବୁର ସମାହାର ଏହି ଜୀବନୀ। ବିଶ୍ୱନାଥ ମିଶ୍ର ବାରିଷ୍ଟର ହୋଇ ଫେରିବା ପରେ କଲିକତା ହାଇକୋର୍ଟରେ ଯୋଗଦାନ ଅବସରରେ ବ୍ୟାସକବି ଫକୀରମୋହନ ତାଙ୍କ ‘ଉତ୍କଳ ଭ୍ରମଣ’ ପୁସ୍ତକରେ ଲେଖିଥିଲେ:
“ୱେଲ ମିଷ୍ଟର ବିଏନ ମିଶ୍ର ଗୁଡବାଇ ଗୁଡବାଇ
ଭଲ ଆଦର୍ଶଟା ଏକା ଗଲ ତ ଦେଖାଇ
ଯାତ୍ରୀ-ତଣ୍ଟିଚିପା ପଣ୍ଡା ଯିବ ବିଲାତକୁ
ସ୍ୱପ୍ନରେ କେ ଆଣିଥିଲା ଏକଥା ମନକୁ।”
ଲେଖକ ପ୍ରଫେସର ମିଶ୍ରଙ୍କ ମତରେ ସ୍ୱାଭିମାନର ପ୍ରତୀକ ଥିଲେ ବିଶ୍ଵନାଥ। ଓଡ଼ିଆ ଅସ୍ମିତାର ଉଦାହରଣ ଥିଲେ ବିଶ୍ଵନାଥ। ଓଡ଼ିଶାର ଗୌରବ ଗାଥାର ପ୍ରଚାରକ ଥିଲେ ବିଶ୍ୱନାଥ। ଏକାଧାରରରେ ସେଥିଲେ ସଂସ୍କାରକ, ବିଚକ୍ଷଣ ଆଇନଜ୍ଞ, ମହାନ ବିଦ୍ୱାନ ଓ ଦୃଢ଼ ଏବଂ କର୍ମଠ ବ୍ୟବସ୍ଥାପକ। ଶୟନେ, ସପନେ, ଜାଗରଣେ ‘ଓଡ଼ିଶା ଓ ଓଡ଼ିଆ’ ହିଁ ଥିଲା ତାଙ୍କ ଜୀବନର ମୂଳ ଓ ଶେଷ ମନ୍ତ୍ର। ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ଯେ ପ୍ରଥମ ଓଡ଼ିଆ ବାରିଷ୍ଟର ତାହା କେବଳ ଆମେ ଓଡ଼ିଆ ମାନେ କେବଳ ଏହି ତଥ୍ୟ କୁ ଭୁଲି ନଥିଲେ, ତାଙ୍କୁ ମଧ୍ୟ ଭୁଲି ଯାଇଥିଲେ । ଏକଦା ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଲବୀ କବି ମନମୋହନ ମିଶ୍ର ଓ ଆଜୀବନ ସଂଗ୍ରାମୀ , ଗରିବ ମେହନତୀ ମଣିଷର ନେତା ସ୍ବର୍ଗତ ରବି ଦାସଙ୍କ ସହିତ ଗୋଟିଏ ଚତୁର୍ପାଦୀଯାନ ରେ ନୟାଗଡ଼ ଯାଉଥିବା ସମୟରେ କଥାବାର୍ତ୍ତା ସମୟରେ ଚିରବନ୍ଦ୍ୟ ମନମୋହନ ମିଶ୍ର ଆମକୁ ପଚାରିଲେ ” ନେହେରୁ କୁହ, ପ୍ରଥମ ଓଡ଼ିଆ ବାରିଷ୍ଟର କିଏ ?” । ସ୍ବାଭାବିକ ଭାବେ ଆମେ କହିଥିଲୁ ମଧୁସୂଦନ ଦାସ । ରବି ଭାଇ ଖୋର୍ଦ୍ଧା ଖୋର୍ଦ୍ଧା ହସିଲେ, ଯାହା ଆମକୁ ଲାଗିଲା ଯେ ସେ ଆମକୁ ଥଟ୍ଟା କରୁଛନ୍ତି ଓ ଆମର ଅଜ୍ଞତା କୁ କଟାକ୍ଷ କରୁଛନ୍ତି । ଆମେ ଗମ୍ଭୀର ସ୍ୱର ରେ କରିଥିଲୁ ଯେ ପିଲାଦିନରୁ ପଢି ଆସୁଛି ” ଭଲ ପାଠ ପଢିବି,କାଳିଆ ଘୋଡା 🐎 ରେ ପଢିବି, ମଧୁ ବାରିଷ୍ଟର ସଙ୍ଗେ ପଢିବି ” । ତା ପରେ ବାରିଷ୍ଟର ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ଙ୍କ ସମ୍ପର୍କରେ ସେ ବେଗୁନିଆ ଠାରୁ ନୟାଗଡ଼ ପର୍ଯ୍ୟନ୍ତ ଅନେକ କଥା କହିଥିଲେ । ଆମେ ତାଙ୍କୁ ଅନୁରୋଧ କରିଥିଲୁ ଏହି ତଥ୍ୟ ସମୂହ କୁ ପୁସ୍ତକ ଆକାରରେ ପ୍ରକାଶ କରିବାକୁ । ରବି ଭାଇ ଓ ସେ ସମ୍ମତି ସୂଚକ ମୁଦ୍ରାରେ ଆମକୁ ଆଶ୍ଵାସନା ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ” ଜାତି ପ୍ରାଣ ସିନ୍ଧୁ ର ଆଦ୍ୟ ତରଙ୍ଗ” ଶୀର୍ଷକରେ ପୁସ୍ତକ ଲେଖିଥିଲେ ଏବଂ ରବି ଭାଇ ଏହାର ପ୍ରକାଶନ ଓ ବଣ୍ଟନ, ବିକ୍ରି କାର୍ଯ୍ୟ କରିଥିଲେ । ୨୦୦୫ ମସିହା, ସେପ୍ଟେମ୍ବର ୧୯ ତାରିଖରେ ରେଡକ୍ରସ ଭବନ ପ୍ରେକ୍ଷାଳୟରେ ତାଙ୍କର ସ୍ମୃତି ଚାରଣ ସଭା କରାଇବା ସହିତ ପ୍ରଥମ ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ସମ୍ମାନ ରେ ଚିର ବନ୍ଦନୀୟ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଓଡ଼ିଆ ଭାଷା କୋଣାର୍କ “ପୂର୍ଣ୍ଣଚନ୍ଦ୍ର ଭାଷାକୋଷ” ର ପୁନଃ ପ୍ରକାଶନ ପାଇଁ ଅଦାଲତି ସଂଘର୍ଷରେ ବିଜୟୀ ବରେଣ୍ୟ ମହେନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତାପରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯେଉଁ ସଂଘର୍ଷ କରିବାକୁ ପଡ଼ିଥିଲା, ତା’ର ଇତିହାସ ବ୍ୟାପକ । ଶେଷରେ ରାଜଭବନ ସମ୍ମୁଖରେ ପ୍ରତିମୂର୍ତ୍ତି ସ୍ଥାପନ ହେଲା ।
କ୍ରମଶଃ