ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’

October 5, 2025 · By R P 1 min read
ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’

ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ,ଅମ୍ଲାନ , ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଆମେ ଓଡ଼ିଆ ମାନେ ଗର୍ବିତ ଯେ ମୁକ୍ତି ଆନ୍ଦୋଳନର ପ୍ରଥମ ଶହୀଦ ଜୟୀ ରାଜଗୁରୁ, ପ୍ରଥମ ମହିଳା ସହୀଦ୍ ପରି ବେଓ୍ବା, ସର୍ବ କନିଷ୍ଠ ସହିଦ୍ ବାଜି ରାଉତ ଏବଂ ୧୮୧୭ର ପାଇକ ସଂଗ୍ରାମ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ।

ଅଛପା ସତ୍ୟ ଇତିହାସର ଗର୍ଭାନୁଶୀଳନ କଲେ ଜଣାଯାଏ ଯେ ପୂର୍ବଜ ଓଡ଼ିଆ ମାନେ ୪୧ ଟି କ୍ଷେତ୍ରରେ ବିଶ୍ବଗୁରୁ , ଅନେକ କ୍ଷେତ୍ରରେ ଜାତୀୟ ଗୁରୁ । ହଁ , ଏହା ସତ୍ୟ ଯେ ଆଜିର ଓଡ଼ିଶା ଓ ସାମ୍ପ୍ରତିକ ଓଡ଼ିଆ ଲୋକ ଚରିତ୍ର ସହିତ ସାମାଜିକ ଚିତ୍ର ଦେଖି,ପରଖି ମତାମତ ଦେବାକୁ ଚାହୁଁଥିବା ଅଣ ଓଡ଼ିଆ କ’ଣ , ମାଟି ମନସ୍କ , ଭାଷା ପ୍ରାଣ ଓଡ଼ିଆ ମଧ୍ୟ ଆମକୁ ମିଥ୍ୟାବାଦୀ, ଭାବପ୍ରବଣ, ମତଲବୀ ମଣିଷ ବିଶେଷଣରେ ସ୍ବତଃ ବିଭୂଷିତ କରିବାକୁ କୁଣ୍ଠିତ ହେବେନାହିଁ । କିଏ କାହିଁକି ବିଶ୍ବାସ କରିବ ଯେ ଏ ଜାତି ଦିନେ ବୀରଜାତି ଥିଲା ।

ଏ ଜାତିର ପଦନିକ୍ଷେପ ଦ୍ବାରା ବସୁନ୍ଧରା ଦିନେ କମ୍ପିତ ହେଉଥିଲା । ଏ ଜାତି ସମର ପ୍ରାଙ୍ଗଣରେ ଦିନେ ଅବଲୀଳାକ୍ରମେ ଅସ୍ତ୍ର ଚାଳନାରେ ନିପୁଣ ଥିଲେ । ଏ ଜାତି ଆପଣାର ମାଟିର ସାର୍ବଭୌମ ପାଇଁ ବା ସ୍ବାଧୀନତା ରକ୍ଷା ପାଇଁ ମସ୍ତକୋତ୍ତଳନ କରୁଥିଲା ।ଏ ଜାତିର ବିଜୟ ପତାକା ଦିନେ ଆକାଶମାର୍ଗରେ ଉଡ୍ଡୀୟାନ ହେଉଥିଲା ? ଆଜି ଦୀନ, ହୀନ,ନିର୍ବୀର୍ଯ୍ୟ,ଭୀରୁ ଓ ଦମ୍ଭ ସାହାସ୍ ବିଵର୍ଜିତ । ଆଜି ଓଡ଼ିଆ ଜାତି ବିଜାତି ଦ୍ବାରା ଅପମାନିତ, ଲଜ୍ଜିତ,ଲୁଣ୍ଠିତ, ପ୍ରପୀଡ଼ିତ, ଶୋଷିତ,ପଦଦଳିତ, ତା’ର ସୀମା ଭଗାରି ମାନଙ୍କ ଦ୍ବାରା ଅପହୃତ ।

ଦିନ ଥିଲା ଓଡ଼ିଆ ଜାତି ଅନ୍ୟ ଦ୍ବାରା ପ୍ରପୀଡ଼ିତ ଜାତିକୁ ଆପଣା କ୍ରୋଡରେ ନିଃଶଙ୍କ ଚିତ୍ତରେ ଆଶ୍ରୟ ପ୍ରଦାନ କରିଥିଲା । ବିଜେତା ମାନେ ଲେଖିଲେ ପରାଜିତର ଇତିହାସ । ଯାହା ଫଳରେ ଜୟୀ ରାଜଗୁରୁ, ବକ୍ସି, କୃତିବାସ ପାଟ୍ଟଶାଣୀ,ବୀର ସୁରେନ୍ଦ୍ର ସାଏ ଙ୍କ ଠାରୁ ମାଧବ ରାଉତରାୟ,ପିଣ୍ଡିକି ବାହୁବଳେନ୍ଦ୍ର ,ମାଧୋ ସିଂ,ଦିନା,ଲୋଚନ କନ୍ଧମାନେ ଭାରତ ଇତିହାସରେ ଯଥୋଚିତ ସ୍ଥାନ ପାଇଲେ ନାହିଁ । ଦେଶ ମୁକ୍ତି ଆନ୍ଦୋଳନର ସର୍ବକନିଷ୍ଠ ଶହୀଦ ଅକ୍ଟୋବର ୫ ତାରିଖ, ୧୯୨୬ ମସିହାରେ ଢେଙ୍କାନାଳ ଜିଲା ନୀଳକଣ୍ଠପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତରେ ଜର୍ଜରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ।

ଏହି ଦୁଇ ଭାଗ ମଧ୍ୟରୁ ଗଡଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା । ଗଡଜାତ ରାଜ୍ୟର ରାଜା ତଥା ପାରିଷଦବର୍ଗଙ୍କ ଯାବତୀୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ବେଗାରି, ଯୋରଜବରଦସ୍ତ ଟିକସ ଅସୁଲ, ମନମୁଖିଶାସନ, ମିଥ୍ୟା ମୋକଦ୍ଦମା ପ୍ରଭୁତିରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣରେ ଫଳସ୍ୱରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣରରୁପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରୁଥିଲେ ।

ଏହିସବୁ ଗଡଜାତ ଆନ୍ଦୋଳନ ସେତେବେଳେ ସମଗ୍ର ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା । ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେ ପ୍ରଜାମଣ୍ଡଳର ସିପାହୀ ସାଜିଛନ୍ତି । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ । ଆଶଙ୍କାକୁ ସତ କରି ପୋଲିସ ମାନେ ପ୍ରଜା ମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ । ମାତ୍ର ସେମାନଙ୍କ ଆଦେଶ ସତ୍ତ୍ୱେ ବାଜି ରାଉତ ଘାଟରୁ ଡ଼ଙ୍ଗା ଫିଟାଇଲେ ନାହିଁ ।

ପୋଲିସର ଧମକ ଚମକ ସତ୍ତ୍ୱେ କିଛି ଲାଭ ନହେବାରୁ, ସେମାନେ ତାଙ୍କୁ ସେଇଠି ଗୁଳି କରି ହତ୍ୟା କଲେ । ବାଜି ରାଉତଙ୍କ ଚିତ୍କାରରେ ସେତେବେଳକୁ ଅନେକ ଲୋକ ଆସିଯାଇଥିଲେ । ସେମାନେ ଡଙ୍ଗା ବାନ୍ଧି ପକାଇ ରଖିଲେ । ପୋଲିସ ମାନେ ଆଉ କିଛି ନକରି ଛୁରୀରେ ଡଙ୍ଗା ଦଉଡି କାଟି ମଝି ନଈକୁ ଡଙ୍ଗା ବୋହିନେଲେ । ଡଙ୍ଗା ମଝି ନଈରେ ଥିବା ବେଳେ ସେମାନେ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କଲେ ।

ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ଆଉ କେତେ ଜଣ – ହୁରୁଷି, ରଘୁ, ଗୁର, ନଟ, ଲକ୍ଷ୍ମଣ ଓ ଫଗୁ । ଦେଶ ପାଇଁ ଛୁଆ ବଡ଼ ମିଶି ସାତ ଜଣ ସହୀଦ ହୋଇଗଲେ । ନିଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆରରେ ଖାନନଗର ମଶାଣିରେ ଗୋଟିଏ ଚିତାରେ ସେମାନଙ୍କୁ ଦାହ କରା ଯାଇଥିଲା । ଶହୀଦ ଙ୍କ ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

Read Next