ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଅକଳ୍ପନୀୟ ଅଜ୍ରାମରକନ୍ଦ କୀର୍ତ୍ତି ସ୍ରଷ୍ଟା, କାଳଜୟୀ ସାରସ୍ଵତ ସାଧକ, ଓଡ଼ିଆ ଭାଷା ର ପ୍ରଥମ ବର୍ଣ୍ଣ ପରିଚୟ ପୁସ୍ତକ ” ବର୍ଣ୍ଣବୋଧକ”ର ସ୍ରଷ୍ଟା , ନିର୍ଭୀକ ସାମ୍ବାଦିକ, ଜନାଦୃତ ବ୍ୟଙ୍ଗ ସ୍ରଷ୍ଟା, ଓଡ଼ିଶାର ପ୍ରଥମ ପ୍ରକାଶକ, ପ୍ରଥମ ଭ୍ରମଣ ବୃତ୍ତାନ୍ତ ରଚୟିତା,ଅଗାଧ ପାଣ୍ଡିତ୍ୟ , ବେସାଲିସ୍ ବିଦ୍ରୋହୀ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ପ୍ରାଣ , ଚିର ବନ୍ଦନୀୟ ,ପ୍ରାତଃ ସ୍ମରଣୀୟ ପଣ୍ଡିତ ଗୋବିନ୍ଦ ରଥଙ୍କୁ ପଢ଼ିଲେ ନିଶ୍ଚିତ ଭାବେ ଆମର ପ୍ରତିଭାଵିସ୍ମୃତ,କୃତଘ୍ନ ମାନସିକତାର ଗଭୀରତାକୁ ସହଜରେ ମପା ଯାଇପାରିଵ । ଅଢେଇଶହ ରୁ ଉର୍ଦ୍ଧ୍ବ କାବ୍ୟ କବିତାର ସ୍ରଷ୍ଟାଙ୍କ ଅବର୍ତ୍ତମାନ ର ଶହେ ସାତ (୧୦୭) ବର୍ଷ ପରେ ମଧ୍ୟ ତାଙ୍କ ଅମ୍ଲାନ ଅମୃତ ସୃଷ୍ଟି, କୀର୍ତ୍ତି ଓ ସାମାଜିକ କୃତି ସ୍ବାଧୀନତା ସଂଗ୍ରାମ ସମୟରେ ବହୁବାର କାରାବରଣ ଆଦିର ଇତିହାସ ଅନାଲୋଚିତ । ପଣ୍ଡିତ ଗୋବିନ୍ଦ ରଥଙ୍କ ” ବର୍ଣ୍ଣବୋଧକ” ପ୍ରକାଶନର ବହୁ ଦିନ ପରେ ମଧୁସୂଦନ ରାଓଙ୍କ ” ବର୍ଣ୍ଣବୋଧ” ପ୍ରକାଶ ପାଇ ବିଦ୍ୟାଳୟର ପାଠ୍ୟକ୍ରମରେ ସଂଯୁକ୍ତ କରାଗଲା । ୧୮୪୮ ମସିହା, ଅକ୍ଟୋବର ମାସ ୨୯ ତାରିଖ, କାର୍ତ୍ତିକ ମାସ,ଶୁକ୍ଲ ପକ୍ଷ, ନାଗଲ ଚତୁର୍ଥୀ, ଗୁରୁବାର ଦିନ ବାଙ୍କି ନିକଟବର୍ତ୍ତୀ ପାଟପୁର ମୌଜା ଅନ୍ତର୍ଗତ ପଦ୍ମନାଭପୁର ଶାସନରେ ପିତା ଦୀନବନ୍ଧୁ ରଥ ଓ ମାତା ଆଶୁ କବୟିତ୍ରୀ ସତ୍ୟଭାମାଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ ଓ ୧୯୧୮ ମସିହା,ମେ ମାସ ୨୮ ତାରିଖ ରେ ଇହଲୀଳା ସମ୍ବରଣ କରିଥିଲେ । ପଣ୍ଡିତ ମହାଶୟଙ୍କ ସତୁରୀ ବର୍ଷର ଜୀବନାଲେଖ୍ୟ ପ୍ରତି ସମୟରେ ପିଢ଼ି ପରେ ପିଢ଼ି ପାଇଁ ଏକ ଆଦର୍ଶ ଚେତନା ଓ ମାର୍ଗ ଦର୍ଶନ ର ଅମୂଲ୍ୟ ପଣ୍ୟ ବୋଲି ଆମର ଦୃଢ଼ ମତ । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର କଟକ ଜିଲ୍ଲା ସଭାପତି ତଥା ସାରସ୍ଵତ ସାଧକ, ଆଦର୍ଶ ଶିକ୍ଷକ କବି ସୁନୀଲ ମିଶ୍ର ତାଙ୍କର ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାସୁମନାର୍ପଣ କରିଆସୁଛନ୍ତି । ଅନ୍ୟତ୍ର କୈାଣସି ଠାରେ କୈାଣସି ସମୟରେ ସେ ନୁହନ୍ତି ଆଲୋଚିତ । ଓଡ଼ିଶାର ଦୁଇ ମହାତ୍ମା ତଥା ସର୍ବାନ୍ତକରଣରେ ପ୍ରଭାବଶାଳୀ ଦିବଙ୍ଗତ ଦିଗ୍ ଦର୍ଶକ ବ୍ୟାସକବି ଫକୀରମୋହନ ଓ ଭାରତ ଗୌରବ ମଧୁସୂଦନ ଦାସ ଙ୍କ ଉଦାହରଣୀୟ ମତ, ମନ୍ତବ୍ୟକୁ ପଢିଲେ, ଭାତ ହାଣ୍ଡିରୁ ଗୋଟିଏ ଦୁଇଟି ଚିପିବା ନ୍ୟାୟ ରେ ବୁଝିହେବ । ଏକଦା ବ୍ରିଟିଶ ଶାସନର କଟକ କମିଶନର ବାଙ୍କି ଦେଇ ଖୋର୍ଦ୍ଧା ଯିବା ପାଇଁ ଥିବାରୁ ସେହି ରାସ୍ତା ସର୍ବସାଧାରଣ ଙ୍କ ପାଇଁ ବନ୍ଦ କରାଗଲା । ଏହା ଦେଖି ପଣ୍ଡିତ ଦୁଇଟି ଅମଣୀୟା ଦାମୁଡି ଯୋଚି ଶଗଡ଼ ଗାଡ଼ି ଧରି ଧୂଳି ଉଡ଼ାଇ କମିଶନର ଗାଡ଼ି ଆଗରେ ଶଗଡ଼ ଦଉଡାଇଲେ । ରାସ୍ତା ଜଗିଥିବା ପୋଲିସ ଥରହର । ପଣ୍ଡିତେ ବଡ଼ ପାଟିରେ କହୁଥାନ୍ତି “ରେ ମୋ ବାପା, ଗୋସଵାପା ରାସ୍ତା, ଫିରିଙ୍ଗିର ନୁହେଁ” । କମିଶନର ରାଗି ପାଚି ଧମକ ଦେଲେ ୟୁ ଆର୍ ଅଣ୍ଡର ଆରେଷ୍ଟ । ସେ କହିଲେ କୋଉ ଆଇନ୍ କାନୁନ୍ ଭଙ୍ଗ କଲି ? ମୋ ବୋପା ରାସ୍ତାରେ ଯାଉଛି, ଏ ରାସ୍ତା ତୋ ବୋପାର ନୁହେଁ । ଏହା ପରେ ବିଭିନ୍ନ ମିଥ୍ୟା ଅଭିଯୋଗରେ ବାରମ୍ବାର କାରାବରଣ କରି ନିଜ ପାଇଁ ଓକିଲାତି କରି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏକଦା ବାଙ୍କିର ଭୟଙ୍କର ଦୁର୍ନୀତିଗ୍ରସ୍ତ, ଅତ୍ୟାଚାରୀ ଅଧିକାରୀ ବାଳମୁକୁନ୍ଦ କାନୁନଗୋ ଙ୍କ ଦୁର୍ନୀତି ଅଭିଯୋଗକୁ ଉପଜିବ୍ୟ କରି ଲେଖିଲେ , ସେତେବେଳେ କାନୁନଗୋ ମାନହାନି ମକଦ୍ଦମା କରିବା ପାଇଁ ଉତ୍କଳ ଗୌରବ ମଧୁବାବୁଙ୍କୁ କହିଥିଲେ । ମଧୁବାବୁ କହିଥିଲେ ” ପଣ୍ଡିତ ରଥ ଜଣେ ଉତ୍ତୁଙ୍ଗ ହିମାଚଳ, ଅନ୍ୟାୟ ଅତ୍ୟାଚାର ଶୋଷଣ କଷଣ ବିରୋଧ ରେ ଲଢେଇ କରିବା ତାଙ୍କର ଧର୍ମ, ତାଙ୍କ ବିରୋଧରେ ଦେବତା ଲଢିଲେ ବି ହାରିଯିବ”।(ଲାଟ ଦର୍ଶନ ରେ ଉଲ୍ଲେଖ ରହିଛି) । ସେହିପରି ବ୍ୟାସକବି ଫକୀରମୋହନ ଙ୍କ ଭାଷାରେ ” ଧନ୍ୟ ଧନ୍ୟ ରଥେ ତୁମ କବିତ୍ଵ ପଣିଆ” । ପ୍ୟାରୀମୋହନ ଆଚାର୍ଯ୍ୟ ଥିଲେ ତାଙ୍କର ଘନିଷ୍ଠ ବନ୍ଧୁ । ତାଙ୍କ ସହିତ ମିଶି ସେ ପ୍ୟାରୀମୋହନ ଏକାଡେମୀ ପ୍ରତିଷ୍ଠା କରିଥିଲେ । ଲାଲ୍-ବାଲ୍-ପାଲ୍ ଖ୍ୟାତି ସଂପନ୍ନ ସ୍ଵାଧୀନତା ସଂଗ୍ରାମୀ ତ୍ରିସଖାଙ୍କ ମଧ୍ୟରୁ ବିପିନ୍ ଚନ୍ଦ୍ର ପାଲ୍ ଙ୍କୁ ବିଦ୍ୟାଳୟରେ ଶିକ୍ଷକତା କରିବା ପାଇଁ ଅନୁରୋଧ କରିବାକୁ ଚାନ୍ଦବାଲି ବନ୍ଦର ଦେଇ କଲିକତା ଯାଇ ସଫଳତାର ସହ ତାଙ୍କୁ ସାଙ୍ଗରେ ଧରି ଆସିଥିଲେ ଏବଂ ସେ ଗୋଟିଏ ବର୍ଷ ଶିକ୍ଷକତା କରିଥିଲେ ।୧୮୮୬ ମସିହାରେ ବମ୍ବେରେ ଅନୁଷ୍ଠିତ ଜାତୀୟ କଂଗ୍ରେସ ସଭାରେ ତାଙ୍କର ଓଜସ୍ବିନୀ ବକ୍ତବ୍ୟ ସମସ୍ତଙ୍କୁ ଚକିତ କରିଥିଲା ଏବଂ ତା ପରେ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା । ଏଭଳି ଅନେକ ଅନାଲୋଚିତ ଗୁରୁତ୍ବପୂର୍ଣ୍ଣ ଘଟଣାର ସେ ମହାନାୟକ ।ପ୍ରକାଶ ଥାଉକି ଅତ୍ୟାଚାରୀ ଅଧିକାରୀ ବାଳମୁକୁନ୍ଦ,ଶ୍ରୀନାଥ ବୋଷ, ବଳରାମ ଦାସଙ୍କ ଉତ୍ତରାଧିକାରୀ ମାନେ ସ୍ଵାଧୀନୋତ୍ତର ଓଡ଼ିଶା ରେ ପ୍ରତିଷ୍ଠିତ,ସମ୍ମାନାଷ୍ପଦ,ଜନଗ୍ରହଣୀୟତାରେ ଆଗଧାଡିର ବ୍ୟକ୍ତିତ୍ୱ । ଏହାହିଁ ବୋଧେ ବିଧାତା ର ଚରମ ରସିକତା । ଆଜି ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ ପଣ୍ଡିତେଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ବିଗତ ପାଞ୍ଚ ବର୍ଷ ଧରି ରାଜଧାନୀରେ ତାଙ୍କର ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ରାଜ୍ୟ ସରକାର ଙ୍କୁ ନିବେଦନ, ଆବେଦନ କରିଆସୁଛି, ଅଥଚ ସରକାର ଏପର୍ଯ୍ୟନ୍ତ ନିଷ୍ପତ୍ତି ଗ୍ରହଣ କରିନାହାଁନ୍ତି । ନୂଆ ସରକାରଙ୍କ ନିକଟରେ ଏହି ଦାବି ପୁନଃ ଉପସ୍ଥାପନ କରୁଛୁ ।
