ସହିଦନଗର ଗଣଦୁଷ୍କର୍ମ ମାମଲା:  କାଠଗଡ଼ାକୁ ଆସିବେ ନରପିଶାଚ

ସହିଦନଗର ଗଣଦୁଷ୍କର୍ମ ମାମଲା: କାଠଗଡ଼ାକୁ ଆସିବେ ନରପିଶାଚ

ରାଜଧାନୀର ଛାତି ଉପରେ ଜଣେ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ ଭଳି ଘୃଣ୍ୟ ଘଟଣାକୁ ଏବେ ଅତି ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର। ସହିଦନଗର ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ମାମଲାକୁ ଏବେ ‘ରେଡ୍ ଫ୍ଲାଗ୍’ ଶ୍ରେଣୀଭୁକ୍ତ କରାଯାଇଛି। ଏହାର ଅର୍ଥ ହେଉଛି, ଏହି ମାମଲାର ତଦନ୍ତ ଏବେ ଅଗ୍ରାଧିକାର ଭିତ୍ତିରେ ହେବ ଏବଂ ଅପରାଧୀଙ୍କୁ ଯଥାଶୀଘ୍ର ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପ୍ରଶାସନ କମର କଷିଛି। ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ସହ ଏବେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତରେ ସାମିଲ ହୋଇଛି। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁରା ମାମଲାର ଛାନଭିନ୍ କରାଯିବ। ପୂର୍ବରୁ ଧଉଳି ଗଣଦୁଷ୍କର୍ମ ମାମଲାକୁ ମଧ୍ୟ ‘ରେଡ୍ ଫ୍ଲାଗ୍’ ଘୋଷଣା କରାଯାଇଥିଲା, ଯାହା ସୂଚାଉଛି ଯେ ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ସରକାର କୌଣସି ପ୍ରକାର ଶିଥିଳତାକୁ ବରଦାସ୍ତ କରିବେ ନାହିଁ। ସହିଦନଗର ପୋଲିସ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ ଓ ମୁକୁନ୍ଦପ୍ରସାଦ ଅଞ୍ଚଳର ସାହିଲ ଖାନ। ଏହି ଦୁଇ ଦୁର୍ବୃତ୍ତ ପୀଡ଼ିତାଙ୍କୁ ଚାକିରି ଦେବାକୁ କହି ଏକ ଭଡ଼ା ଘରକୁ ଡାକିଥିଲେ ଏବଂ ସେଠାରେ ତାଙ୍କ ସହ ଏଭଳି ରାକ୍ଷସୀୟ କାଣ୍ଡ ଭିଆଇଥିଲେ। ସାଧାରଣରେ ଏହି ଘଟଣାକୁ ନେଇ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କ ମତରେ, କେବଳ ଗିରଫଦାରୀ ଯଥେଷ୍ଟ ନୁହେଁ। ଏଭଳି ପାପୀଙ୍କୁ ଏମିତି ଦଣ୍ଡ ମିଳିବା ଦରକାର ଯାହା ଆଗାମୀ ଦିନରେ ଅନ୍ୟ ଅପରାଧୀଙ୍କ ପାଇଁ ଚେତାବନୀ ସାଜିବ। ସରକାର ଏହି ମାମଲାରେ ଫାଷ୍ଟ-ଟ୍ରାକ୍ କୋର୍ଟରେ ଶୁଣାଣି କରି ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ଜୋର ଧରିଛି।

Posted in ରାଜ୍ୟ.