କୃଷିରୁ ସେମିକଣ୍ଡକ୍ଟର, ବିଶ୍ୱ ଦେଖିବ ‘ଆତ୍ମନିର୍ଭର ଓଡ଼ିଶା’ର ରୂପରେଖ
ଭୁବନେଶ୍ୱର : ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡ୍ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପୁଣି ଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଜୟଯାତ୍ରା ଦେଖିବାକୁ ମିଳିବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିଛି। ଚଳିତ ବର୍ଷ ଓଡ଼ିଶାର ମେଢ ‘ସମୃଦ୍ଧିର ମନ୍ତ୍ର: ଆତ୍ମନିର୍ଭର ଭାରତ’ ବିଷୟବସ୍ତୁ ଉପରେ ଆଧାରିତ ହୋଇଛି, ଯେଉଁଥିରେ ରାଜ୍ୟର ପାରମ୍ପରିକ କୃଷିଠାରୁ ଆରମ୍ଭ କରି ଆଧୁନିକ ସେମିକଣ୍ଡକ୍ଟର ପ୍ରଯୁକ୍ତି ପର୍ଯ୍ୟନ୍ତ ସଫଳତାର କାହାଣୀ ପ୍ରଦର୍ଶିତ ହେବ। ଆସନ୍ତା ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥରେ ଓଡ଼ିଶାର ଏହି ପ୍ରଜ୍ଞାପନ ମେଢ ରାଜ୍ୟର ସାଂସ୍କୃତିକ ଗୌରବ ଓ ଆଧୁନିକ ପ୍ରଗତିର ଏକ ବଳିଷ୍ଠ ବାର୍ତ୍ତା ଦେବ। ଏହା ନିଶ୍ଚିତ ଭାବେ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବାକୁ ଯାଉଛି।
ଓଡ଼ିଶାର ଏହି ପ୍ରଜ୍ଞାପନ ମେଢଟି ରାଜ୍ୟର ସାମଗ୍ରିକ ବିକାଶ ମଡେଲକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବ। କୋରାପୁଟର ପ୍ରସିଦ୍ଧ କଫି ଚାଷଠାରୁ ଆରମ୍ଭ କରି ସିଲିକନ୍ ସେମିକଣ୍ଡକ୍ଟର ଚିପ୍ ନିର୍ମାଣ ପର୍ଯ୍ୟନ୍ତ ଓଡ଼ିଶା କିପରି ଆତ୍ମନିର୍ଭର ଭାରତ ଗଠନରେ ନିଜର ଶତପ୍ରତିଶତ ଅବଦାନ ଦେଉଛି, ତାହା ଏହାର ମୁଖ୍ୟ ଆକର୍ଷଣ ସାଜିବ। ଶ୍ରୀଜଗନ୍ନାଥଙ୍କ ରଥ ଶୈଳୀରେ ନିର୍ମିତ ଏହି ମେଢର ସମ୍ମୁଖ ଭାଗରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣର ଝଲକ ଦେଖିବାକୁ ମିଳିବ। ଏଠାରେ ଏକ ପାର୍ଶ୍ୱରେ ସ୍ଥାୟୀ ଜୀବିକାର ପ୍ରତୀକ ‘କୋରାପୁଟ କଫି’ ଏବଂ ଅନ୍ୟ ପାର୍ଶ୍ୱରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରତୀକ ‘ସେମିକଣ୍ଡକ୍ଟର ଚିପ୍’ ସ୍ଥାନିତ ହୋଇଛି। ଓଡ଼ିଶାର କାଳଜୟୀ ସ୍ଥାପତ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ଭବ୍ୟ ପ୍ରତିରୂପ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ। ସମ୍ବଲପୁରୀ ବସ୍ତ୍ରରେ ଆଚ୍ଛାଦିତ ଏହି ମେଢର ଉଭୟ ପାର୍ଶ୍ୱରେ ଜନଜାତି ଚିତ୍ରକଳା ସହ ରୂପା ତାରକସୀ କାମର ନିଖୁଣ କାରୁକାର୍ଯ୍ୟ ଶୋଭା ପାଇବ। କର୍ତ୍ତବ୍ୟ ପଥରେ ମେଢ ଗଡ଼ିବା ସମୟରେ ଓଡ଼ିଶାର ପ୍ରାଚୀନ ଲୋକନୃତ୍ୟ ‘ଚଇତି ଘୋଡ଼ା’ର ତାଳେ ତାଳେ ଶିଳ୍ପୀମାନେ ନୃତ୍ୟ ପ୍ରଦର୍ଶନ କରିବେ। ଷୋଡ଼ଶ ଶତାବ୍ଦୀରୁ ପ୍ରଚଳିତ ଏହି କଳା ମାଧ୍ୟମରେ ଆତ୍ମନିର୍ଭର ଭାରତରେ ଓଡ଼ିଶାର ଭୂମିକାକୁ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ବର୍ଣ୍ଣନା କରାଯିବ। ଗତ ନଭେମ୍ବର ୧୧ରୁ ଡିସେମ୍ବର ୨୨ ମଧ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ବିଶେଷଜ୍ଞ କମିଟିର ପର୍ଯ୍ୟାଲୋଚନା ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ମେଢକୁ ଅନୁମୋଦନ କରିଛି। ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ମେଢ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ସଫଳତାକୁ ଦୋହରାଇବା ପାଇଁ ରାଜ୍ୟ ସରକାର ଓ କଳାକାରମାନେ ଏଥର ମଧ୍ୟ ନୂତନ ଜ୍ଞାନକୌଶଳ ଓ ପରମ୍ପରାର ଅପୂର୍ବ ସମନ୍ୱୟ ରଖିଛନ୍ତି।

ଦିଲ୍ଲୀ କର୍ତ୍ତବ୍ୟ ପଥରେ ଝଲସିବ ଓଡ଼ିଶା ଅସ୍ମିତା
Posted in ରାଜ୍ୟ.