ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼,୩ ଘଣ୍ଟା ବନ୍ଦ ରହିବ ଦର୍ଶନ

ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼,୩ ଘଣ୍ଟା ବନ୍ଦ ରହିବ ଦର୍ଶନ



ଜାଣନ୍ତୁ କେତେବେଳେ ଫିଟିବ ମହାପ୍ରଭୁଙ୍କ ଦ୍ୱାର
ଇଂରାଜୀ ନବବର୍ଷ ୨୦୨୬କୁ ସ୍ୱାଗତ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷର ଆରମ୍ଭ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୩୧ ତାରିଖ ରାତି ୧୧ଟାରୁ ଜାନୁଆରୀ ୧ ତାରିଖ ରାତି ୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହଡ଼ ପଡ଼ିବ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ। ରାତି ୨ଟା ପରେ ମନ୍ଦିର ଦ୍ୱାର ଫିଟିବା ସହ ନୂଆବର୍ଷର ପ୍ରଥମ ଦର୍ଶନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ଦର୍ଶନ କରିପାରିବେ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି। ନୂଆବର୍ଷ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁରୀ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସିଂହଦ୍ୱାର ସମ୍ମୁଖରେ ଏବଂ ବଡ଼ଦାଣ୍ଡରେ ଶତାଧିକ ମିଟର ପର୍ଯ୍ୟନ୍ତ ବାରିକେଡ୍ ନିର୍ମାଣ କରାଯାଇଛି। ମନ୍ଦିର ଚତୁଃପାର୍ଶ୍ୱରେ ସିସିଟିଭି କ୍ୟାମେରା ମାଧ୍ୟମରେ କଡ଼ା ନଜର ରଖାଯାଇଛି। ଶ୍ରୀମନ୍ଦିରକୁ ଯାଉଥିବା ପ୍ରମୁଖ ରାସ୍ତାଗୁଡ଼ିକରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି ଏବଂ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି। ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ସମୟାନୁସାରେ ଶେଷ ହେବ ଏବଂ ଭକ୍ତମାନେ ଅଧିକ ସମୟ ଧରି ଦର୍ଶନର ସୁଯୋଗ ପାଇବେ, ସେଥିପାଇଁ ସେବାୟତ ନିଯୋଗ ସହ ପ୍ରଶାସନ ଆଲୋଚନା କରିଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ପାନୀୟ ଜଳ ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ପାଇଁ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି।

Posted in ରାଜ୍ୟ.