୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲ ବା ମାଓବାଦୀ ସଂଗଠନକୁ ମୂଳପୋଛ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏହି ଘୋଷଣା ଆଜି ପୂର୍ଣ୍ଣ ହୋଇଛି। ଯଦିଓ ଓଡ଼ିଶାର କନ୍ଧମାଳ ସମେତ ଦେଶର କେତେକ ସ୍ଥାନରେ ନକ୍ସଲ ସକ୍ରିୟ ଅଛନ୍ତି, ତଥାପି ମୋଟାମୋଟି ଭାବେ ଗତ ୬ଦଶନ୍ଧୀ ଧରି ଚାଲିଥିବା ନକ୍ସଲ ଆତଙ୍କ ଶେଷ ହୋଇଛି। ଏହି ସଫଳତା ପଛରେ ନକ୍ସଲ ସଂଗଠନ ବିରୋଧରେ ଓଡ଼ିଶା ପୁଲିସର ଯୋଗଦାନ ନିଶ୍ଚିତ ଭାବେ ଉଲ୍ଲେଖନୀୟ।
ରାଜ୍ୟରେ ୨୦୧୨ ବେଳକୁ ମାଓବାଦୀ କାର୍ଯ୍ୟକଳାପ ଶୀର୍ଷରେ ପହଞ୍ଚିଥିଲା। ରାଜ୍ୟର ୨୧ଟି ଜିଲ୍ଲା ରାଜ୍ୟ ମାଓବାଦୀ ଅଧ୍ୟୁଷିତ ଭାବେ ଘୋଷିତ ହୋଇଥିଲା। ଓଡ଼ିଶା ପୁଲିସର କ୍ରମାଗତ ଉଦ୍ୟମ ଫଳରେ ୨୦୨୫ ବେଳକୁ ସଂଗଠନର କାର୍ଯ୍ୟକଳାପ ୯ଟି ଜିଲ୍ଲାରେ ସମୀତ ହୋଇଥିଲା। ୨୦୨୫ରେ ମାଲକାନଗିରି, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡରୁ ସମ୍ପୂର୍ଣ୍ଣ ଭାବେ ନକ୍ସଲ ସଂଗଠନ ମୂଳପୋଛ ହୋଇଯାଇଥିଲେ। ନକ୍ସଲ ସଂଗଠନ ନିମନ୍ତେ ଓଡ଼ିଶାରୁ କ୍ୟାଡର ସଂଗ୍ରହ ବନ୍ଦ ହୋଇଯାଇଥିଲା। ଗ୍ରାମାଞ୍ଚଳର ଲୋକମାନେ ସଂଗଠନକୁ ସମର୍ଥନ ଦେବା ବନ୍ଦ କରିଦେଇଥିଲେ। ୨୦୨୫-୨୬ ବର୍ଷରେ ଗାର୍ଜ୍ୟାବନ୍ଧ ଠାରେଓଡ଼ିଶା ପୁଲିସର ନକ୍ସଲ ବିରୋଧୀ ଅଭିଯାନରେ ୧୭ଜଣ ନକ୍ସଲଙ୍କ ପ୍ରାଣହାନୀ ଘଟିଥିଲା। ଏହି ବର୍ଷ ୨ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ସମେତ ୨୭ଜଣ ମାଓବାଦୀ ନିହତ ହୋଇଥିଲେ।
୯ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ୪ ରାଜ୍ୟ କମିଟି ସଦସ୍ୟଙ୍କ ସମେତ ୭୮ ମାଓବାଦୀ ଆତ୍ମସମର୍ପଣକରିଛନ୍ତି। ଓଡ଼ିଶାରେ ସକ୍ରିୟ ଥିବା ୨ଜଣ ରାଜ୍ୟ କମିଟି ସଦସ୍ୟଙ୍କ ସମେତ ୪୨ଜଣ ମାଓବାଦୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମୋଟାମୋଟି ଭାବେ ୨୦୨୫ ଓ ୨୦୨୬ରେ ୧୫୬ ମାଓବାଦୀଙ୍କୁ ମାଓବାଦୀ ବ୍ୟବସ୍ଥାରୁ ମୁକୁଳାଇ ଅଣାଯାଇଛି। ଏହା ମଧ୍ୟରେ ୨୭ଜଣ ମାଓବାଦୀ ନିହତ ହୋଇଛନ୍ତି, ୯ଜଣ ଗିରଫ ହୋଇଛନ୍ତି ଓ ୧୨୦ଜଣ ଆତ୍ମସମର୍ପଣ କରିଛନ୍ତି। ଏହି ସଫଳତା ପଛରେ ଓଡ଼ିଶା ପୁଲିସର ଯବାନଙ୍କ ସମେତ ଏସ୍ଓଜି, ଡିଭିଏଫ୍, ସିଆର୍ପିଏଫ୍, ବିଏସ୍ଏଫ୍ ଓ ଏସ୍ଆଇଡବ୍ଲୁର ସହାୟତା ଅତୁଳନୀୟ ବୋଲି ନକ୍ସଲ ବିରୋଧୀ ଅଭିଯାନର ଏଡିଜି ସଞ୍ଜୀବ ପଣ୍ଡାକହିଛନ୍ତି।
ନକ୍ସଲ ବିରୋଧୀ ଅଭିଯାନରେ ୨୩୯ଜଣ ସୁରକ୍ଷା କର୍ମୀଙ୍କ ନିଧନ ହୋଇଛି। ଏହା ମଧ୍ୟରୁ ୧୪୨ଜଣ ଓଡ଼ିଶା ପୁଲିସର ଯବାନ, ୨୫ଜଣ ସିଆର୍ପିଏଫ୍, ୩୮ ଆନ୍ଧ୍ରପ୍ରଦେଶ ପୁଲିସ, ୧୦ ସିଆଇଏସ୍ଏଫ୍, ୯ଜଣ ଛତିଶଗଡ଼ ପୁଲିସ ଅଛନ୍ତି। ଏହାସହ ମାଓବାଦୀଙ୍କ ଆକ୍ରମଣରେ ୩୫୯ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି।
