ବର୍ତ୍ତମାନ ବିଶ୍ବ ବଜାରରେ ଲୁହାପଥର, ବକ୍ସାଇଟ୍, କ୍ରୋମାଇଟ୍ ଭଳି କଞ୍ଚାମାଲ୍ର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଖଣି ନିଗମ (ଓଏମ୍ସି) ଏହି ବର୍ଦ୍ଧିତ ଚାହିଦାକୁ ନିରନ୍ତର ଭାବେ ପୂରଣ କରିବା ସହ ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଗମର ୭୧ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ୬୦ ଦଶକରେ ମାତ୍ର ୧ କୋଟି ଟଙ୍କାର ଆର୍ଥିକ କାରବାରରୁ ଯାତ୍ରା ଆରମ୍ଭ କରିଥିବା ଓଏମ୍ସି ୨୦୨୫-୨୬ ଆର୍ଥିକ ବର୍ଷରେ ୨୫ ହଜାର କୋଟି ଟଙ୍କାର କାରବାର କରିଛି। ଏଥି ସହିତ ୪୫ ନିୟୁତ ଟନ ଖଣିଜ ଉତ୍ତୋଳନ ଜରିଆରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ଦେଶର ଏକ ଅଗ୍ରଣୀ ଖଣି ସଂସ୍ଥା ଭାବେ ପ୍ରତିଷ୍ଠା ଲାଭ କରିଛି। ଦେଶର ଅନ୍ୟାନ୍ୟ ରାଜ୍ୟରେ ଖଣିଭିତ୍ତିକ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ନିଗମ ତା’ର କାର୍ଯ୍ୟ ପରିସରକୁ ଆହୁରି ବ୍ୟାପକ କରିବାର ସମୟ ଏବେ ଆସିଛି । ଏଥିସହିତ ଓଏମ୍ସି ଖଣିଭିତ୍ତିକ କାର୍ଯ୍ୟକଳାପ ସହିତ ଶିଳ୍ପାୟନ ପ୍ରତି ଦୃଷ୍ଟିଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦୀର୍ଘ ସାତ ଦଶନ୍ଧିରୁ ଅଧିକ ସମୟ ଧରି ଓଏମ୍ସି ଓଡ଼ିଶାର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ନିଗମ ତାର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରିଆସୁଛି। ରାଜ୍ୟରେ ମୂଲ୍ୟବାନ୍ ଖଣିଜ ସମ୍ପଦକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରି ଓଏମ୍ସି ଆଜି ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରଖୁଛି। କେନ୍ଦୁଝର ଜିଲ୍ଲାର ବାଙ୍ଗୁର କ୍ରୋମାଇଟ୍ ଖଣିରୁ ପ୍ଲାଟିନମ୍ ଗ୍ରୁପ୍ ଏଲିମେଣ୍ଟ ଉତ୍ତୋଳନ କରିବାରେ ଓଏମ୍ସି ଏହାର ପାଇଲଟ୍ ପ୍ଲାଣ୍ଟର ସଫଳ ପରୀକ୍ଷଣ କରିଛି। ଏହାଦ୍ବାରା ଓଡ଼ିଶାରେ କ୍ଲିନ୍ ଏନର୍ଜି, ଇଲୋକ୍ଟ୍ରୋନିକ୍ସ ଓ ଆଧୁନିକ ମୋଟର ଗାଡ଼ି ନିର୍ମାଣ ପାଇଁ ମୌଳିକ ଧାତୁ ଯୋଗାଇ ଦେବାରେ ଓଏମ୍ସି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୨୦୩୬ ସମୃଦ୍ଧ ଓଡିଶା ପରିକଳ୍ପନାକୁ ସାକାର କରିବାରେ ଓଏମ୍ସିର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ମେସିନ୍ ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଖଣି କ୍ଷେତ୍ରରେ ଅଧିକ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଗମକୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ସ୍ଥାନୀୟ ବାସିନ୍ଦାଙ୍କର ଜୀବନ ଜୀବିକା ଆହୁରି ସୁଦୃଢ଼ ହେବ ବୋଲି ସେ ମତ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କାଳିଆପାଣି ଠାରେ ନବନିର୍ମିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ, ଖଣି ଅଞ୍ଚଳବାସୀଙ୍କ ପାଇଁ ୮ଟି ଅତ୍ୟାଧୁନିକ ମୌଳିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ, ସମନ୍ବିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଓ-ସ୍ବାସ୍ଥ୍ୟ ନାମକ ଏକ ଡିଜିଟାଲ୍ ସ୍ବାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏଥି ସହିତ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ରିଜିଅନକୁ ପୁରସ୍କୃତ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି.କେ ସିଂହ ଓଡ଼ିଶାରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଦିଗରେ ଓଏମ୍ସିର ଅତୁଳନୀୟ ଯୋଗଦାନ ରହିଛି ବୋଲି ଉଲ୍ଲେଖ କରିଥିଲେ। ଓଏମ୍ସି ଦ୍ବାରା ପରିଚାଳିତ ଖଣି ଖାଦାନ ଗୁଡ଼ିକ କିଭଳି ରାଜ୍ୟ ଓ ଦେଶର ବିକାଶ କ୍ଷେତ୍ରରେ ଅଧିକ ଉପଯୋଗୀ ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ କହିଥିଲେ। ନିଗମର ଅଧ୍ୟକ୍ଷ ଗିରିଶ୍ ଏସ୍.ଏନ୍ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।



