ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ  ଭବ୍ୟ କନ୍ୟା ପୂଜନ ଉତ୍ସବ

ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ ଭବ୍ୟ କନ୍ୟା ପୂଜନ ଉତ୍ସବ

ଭାରତ ବିକାଶ ପରିଷଦ ଭୁବନେଶ୍ବର ସେଣ୍ଟ୍ରାଲ ବ୍ରାଞ୍ଚ ପକ୍ଷରୁ ଏକ ଭବ୍ୟ କନ୍ୟା ପୂଜନ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୩୭ ଜଣ ଛୋଟ ଝିଅଙ୍କୁ ଦେବୀ ଦୁର୍ଗାଙ୍କ ରୂପେ ଝାରପଡ଼ାସ୍ଥିତ ଭାରତୀ ବିଦ୍ୟାମନ୍ଦିର ସ୍କୁଲରେ ପୂଜା କରାଯାଇଥିଲା। ଝିଅମାନଙ୍କୁ ସୁନ୍ଦର ଭାବେ ସଜାଇ ଫୁଲ, ଆଳତି ଓ ଭୋଗ ପ୍ରଦାନ କରାଯାଇଥିଲା। ସଦସ୍ୟମାନେ ଉତ୍ସାହର ସହ ଏହି ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିଥିଲେ। ଝିଅମାନେ କ୍ୟାସେଟର ସଙ୍ଗୀତରେ ମନୋଜ୍ଞ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ଜିଣିଥିଲେ। ପ୍ରତ୍ୟେକ ଝିଅଙ୍କୁ ଆକର୍ଷଣୀୟ ଉପହାର ଦିଆଯାଇ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ଶାଖା ଅଧ୍ୟକ୍ଷ ଡକ୍ଟର ରାଉତ, ଏମବିଏସ ସଂଯୋଜକ ଗୀତା ରାଉତ, ବରିଷ୍ଠ ସଦସ୍ୟା ସଙ୍ଗୀତା ଦାଶ, ପୂର୍ବତନ ଜାତୀୟ କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଏସ.ଏନ. ପଣ୍ଡା ଓ ଗୀତା ପଟ୍ଟନାୟକ ସମେତ ଅନେକ ମହିଳା ସଦସ୍ୟ ଉପସ୍ଥିତ ଥିଲେ। କନ୍ୟା ପୂଜନର ଗୁରୁତ୍ୱ ଓ ଝିଅମାନଙ୍କ ପ୍ରତି ସମ୍ମାନ ସମ୍ପର୍କରେ ସମସ୍ତଙ୍କୁ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା। ଏହି ଉତ୍ସବ ଝିଅମାନଙ୍କୁ ଶକ୍ତି ଓ ପବିତ୍ରତାର ପ୍ରତୀକ ରୂପେ ଉପସ୍ଥାପନ କରି ସମାଜରେ ସ୍ତ୍ରୀ-ପୁରୁଷ ସମାନତାର ବାର୍ତ୍ତା ପ୍ରଚାର କରେ। ଏହା ଝିଅମାନଙ୍କୁ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ପ୍ରଦାନର ଆହ୍ୱାନ ଦେଇଥାଏ।

ସ୍କୁଲର ଶିକ୍ଷକମାନଙ୍କ ସହଯୋଗ ଏହି କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଫଳ ଓ ଅର୍ଥପୂର୍ଣ୍ଣ କରିଥିଲା। ଏହି ଉତ୍ସବ ସମାଜରେ ଝିଅମାନଙ୍କ ପ୍ରତି ସଚେତନତା ଓ ସମ୍ମାନ ବୃଦ୍ଧି କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି। ଏହା ସମାଜକୁ ମହିଳା ଶକ୍ତିର ମହତ୍ତ୍ୱ ବୁଝାଇ ଏକ ସୁନ୍ଦର ଭବିଷ୍ୟତ ଗଠନରେ ସହାୟକ ହେବ।

ଅତିଥିମାନେ କହିଥିଲେ କନ୍ୟା ପୂଜନ ଏହା ଶିକ୍ଷା ଦିଏ ଯେ ଝିଅମାନେ ହେଉଛନ୍ତି ଶକ୍ତି ଓ ପବିତ୍ରତାର ପ୍ରତୀକ। ଏହା ସମାଜକୁ ଝିଅମାନଙ୍କୁ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ଦେବାର ବାର୍ତ୍ତା ଦିଏ।

ହିନ୍ଦୁ ଧର୍ମରେ ଛୋଟ ଝିଅମାନଙ୍କୁ ଦେବୀ ଦୁର୍ଗାଙ୍କ ପବିତ୍ର ରୂପ ବୋଲି ମାନାଯାଏ। କନ୍ୟା ପୂଜନ ମାଧ୍ୟମରେ ସେମାନଙ୍କୁ ସମ୍ମାନ ଦିଆଯାଏ ଓ ଦେବୀଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରାଯାଏ। ଏହା ସମାଜରେ ଝିଅମାନଙ୍କ ଗୁରୁତ୍ୱ ଓ ସମ୍ମାନକୁ ମଧ୍ୟ ଦର୍ଶାଇଥାଏ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ପ୍ରକଳ୍ପ ଓଡ଼ିଶାର ସାମାଜିକ-ଆର୍ଥିକ ବିକାଶକୁ ନୂଆ ଗତି ଦେବ – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ପ୍ରକଳ୍ପ ଓଡ଼ିଶାର ସାମାଜିକ-ଆର୍ଥିକ ବିକାଶକୁ ନୂଆ ଗତି ଦେବ – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସେବା ପର୍ବ -୨୦୨୫’ ଅବସରରେ ଝାରସୁଗୁଡ଼ାରେ ଯୁବ ସମାବେଶରେ ଯୋଗଦେଇ ଓଡ଼ିଶା ସମେତ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରାୟ ୬୦,୦୦୦ କୋଟି ମୂଲ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉନ୍ମୋଚନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ, ଦକ୍ଷତା ବିକାଶ ଓ ଭିତ୍ତିଭୂମି କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଜନସାଧାରଣଙ୍କ ଆକାଂକ୍ଷାକୁ ପୂରଣ କରିବ । ଓଡ଼ିଶା ଏବଂ ଦେଶର ସାମାଜିକ-ଆର୍ଥିକ ବିକାଶରେ ନୂତନ ଗତି ଦେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ରୀବଂ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଆଜି ଆଇଆଇଟି ପାଟନାରୁ ଝାରସୁଗୁଡାରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ସେବା ପକ୍ଷ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ । ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଥିବା ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶା ଏବଂ ଆମ ଦେଶର ବିକାଶ ପଥ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ୩,୦୦୦ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ବୁର୍ଲା ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବ୍ରହ୍ମପୁରକୁ ବିଶ୍ୱସ୍ତରୀୟ ସୁପର ସ୍ପେଶାଲିଟି ଚିକିତ୍ସାଳୟରେ ରୂପାନ୍ତରଣ କରିବା ପାଇଁ ଘୋଷଣା ହୋଇଛି । ଏହି ପଦକ୍ଷେପ ହସ୍ପିଟାଲକୁ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ରରେ ପରିଣତ କରିବା ସହ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବ ।

ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୦୦୦କୋଟି ଟଙ୍କା ନିବେଶରେ ଆଠଟି ଆଇଆଇଟି – ତିରୁପତି, ପଲକଡ଼, ଭିଲାଇ, ଜମ୍ମୁ, ଧାରୱାଡ, ଯୋଧପୁର, ପାଟନା ଏବଂ ଇନ୍ଦୋରର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମ୍ପ୍ରସାରଣ ଆଗାମୀ ଚାରି ବର୍ଷ ମଧ୍ୟରେ ୧୦,୦୦୦ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ କ୍ଷମତା ସୃଷ୍ଟି କରିବ । ଆଠଟି ଅତ୍ୟାଧୁନିକ ଗବେଷଣା ପାର୍କ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ଭାରତର ନବସୃଜନ ଇକୋସିଷ୍ଟମ ସୁଦୃଢ଼ ହେବ ଏବଂ ଗବେଷଣା ଓ ବିକାଶକୁ ବଡ଼ ପ୍ରୋତ୍ସାହନ ମିଳିବ ।

ଏହାବ୍ୟତୀତ ଆଇଆଇଟି ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଏବଂ ଇଏସଡିଏମ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା ପ୍ରଶଂସନୀୟ ପଦକ୍ଷେପ । ଏହାଦ୍ୱାରା ଓଡ଼ିଶାରେ ସେମିକଣ୍ଡକ୍ଟର ଉତ୍ପାଦନ ବଢିବା ସହ ସେମିକଣ୍ଡକ୍ଟର କ୍ଷେତ୍ରରେ ଆନ୍ସିଲାରି ଇଣ୍ଡଷ୍ଟ୍ରିରେ ବ୍ୟାପକ ଅଭିବୃଦ୍ଧି ହେବ ଏବଂ ଓଡ଼ିଶାର ଅର୍ଥନୀତିକୁ ବଡ଼ ଗତି ମିଳିବ । ଭାରତବର୍ଷରେ ୪୨୦୦ କୋଟି ଟଙ୍କା ବ୍ୟୟରେ ମେରିଟ୍ ଯୋଜନା ମାଧ୍ୟମରେ ଇଞ୍ଜିନିୟରିଂ ଏବଂ ପଲିଟେକନିକ୍ ଶିକ୍ଷାନୁଷ୍ଠାନମାନଙ୍କର ଉନ୍ନତୀକରଣ ପ୍ରଶଂସନୀୟ ପଦକ୍ଷେପ । ଓଡ଼ିଶାରେ ଦକ୍ଷତା ବିକାଶକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ୧୯୭୯ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଓ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନା ସହିତ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଏଗ୍ରିଟେକ, ନବୀକରଣ ଉର୍ଜା, ରିଟେଲ, ମେରାଇନ ଏବଂ ଆତିଥେୟତା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ପ୍ରାଧାନ୍ୟ ଦିଆଯିବ, ଯାହା ଦ୍ୱାରା ଆମର ଯୁବପିଢିମାନେ ଅଧିକ କୁଶଳୀ ହେବେ ଏବଂ ରୋଜଗାରର ନୂଆ ସୁଯୋଗ ତିଆରି ହେବ ।

ପ୍ରଧାନମନ୍ତ୍ରୀଙ୍କ କରକମଳରେ ଶିଳାନ୍ୟାସ ହୋଇଥିବା ସମ୍ବଲପୁର ସିଟି-ସରଲା ମଧ୍ୟରେ ୨୭୩ କୋଟି ଟଙ୍କାର ରେଳ ଫ୍ଲାଇଓଭର ଟ୍ରାଫିକ ଭିଡ଼କୁ ନିୟନ୍ତ୍ରଣ କରିବା ସହ ସମ୍ବଲପୁର ଏବଂ ଝାରସୁଗୁଡ଼ା ମଧ୍ୟରେ କୋଇଲା, ଖଣିଜ ପଦାର୍ଥ ଏବଂ ଶିଳ୍ପ ସାମଗ୍ରୀର ପରିବହନକୁ ସହଜ କରିବ । ବିଏସଏନଏଲ ଦ୍ୱାରା ସ୍ୱଦେଶୀ ୪ଜି(୫ଜି ପ୍ରସ୍ତୁତ)ନେଟଓ୍ୱାର୍କର ଶୁଭାରମ୍ଭ ଆମର ଟେଲିକମ କ୍ଷେତ୍ରକୁ ଅଧିକ ମଜଭୂତ୍ କରିବ । ୯୦ କୋଟି ଟଙ୍କା ବ୍ୟୟରେ ରାଜ୍ୟର ୧୩୦ଟି ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଓ୍ୱାଇ-ଫାଇ ସୁବିଧା ଦ୍ୱାରା ୨.୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ । ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଅଧୀନରେ ୫୦ ହଜାର ଘର ନିର୍ମାଣ ନିମନ୍ତେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ବିତରଣ ହୋଇଛି । ଗରିବଙ୍କୁ ସମ୍ମାନର ସହ ପକ୍କା ଘର ଯୋଗାଇଦେବା ଦିଗରେ ଆମ ସରକାର ବଦ୍ଧ ପରିକର । ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଥିବା ସମସ୍ତ ପ୍ରକଳ୍ପ ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବା ସହ ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଓଡ଼ିଶା’ ଗଠନରେ ବେଶ୍ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ।

ମା’ଙ୍କୁ ପୂଜାକଲେ ବୃଦ୍ଧାଶ୍ରମର ଆବଶ୍ୟକତା ରହିବ ନାହିଁ

ମା’ଙ୍କୁ ପୂଜାକଲେ ବୃଦ୍ଧାଶ୍ରମର ଆବଶ୍ୟକତା ରହିବ ନାହିଁ

ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ନବମାତୃକା ପୂଜା



ଭୁବନେଶ୍ୱର, ୨୨.୯ : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟ ସମାଜ ପକ୍ଷରୁ ସୋମବାର ନବରାତ୍ରର ପ୍ରଥମ ଦିବସ ଆଶ୍ୱିନ ଶୁକ୍ଳ ପତିଦାର ପବିତ୍ର ତିଥିରେ ଚନ୍ଦ୍ରଶେଖରପୁର ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଆର୍ଯ୍ୟସମାଜ ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଯାଇଛି।


କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ, ମହର୍ଷି ଦୟାନନ୍ଦ ଭାରତବର୍ଷରେ ୧୫୦ ବର୍ଷ ତଳେ ମହିଳାମାନଙ୍କ ପାଇଁ ଯେଉଁ ସଂଗ୍ରାମର ସୂତ୍ରପାତ କରିଥିଲେ ଆଜି ମଧ୍ୟ ତାହାର ଆବଶ୍ୟକତା ରହିଛି। ସମାଜରେ ଆମେ ଯଦି ମା’ଙ୍କୁ ଠିକଣା ଭାବେ ମର୍ଯ୍ୟାଦା ଦେବା, ତେବେ ଆଉ ବୃଦ୍ଧାଶ୍ରମର ଆବଶ୍ୟକତା ରିହବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଆର୍ଯ୍ୟ ସମାଜର ଏହି କାର୍ଯ୍ୟକ୍ରମକୁ ଭୂରୀ ଭୂରୀ ପ୍ରଶଂସା କରିବା ସହ ନୂତନ ଯୁବପିଢିଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବାକୁ ସେ ଆହ୍ୱାନ ଦେଇଥିଲେ।
ବିଶିଷ୍ଟ ବୈଦିକ ବିଦ୍ୱାନ ଣ୍ଡିତ ବୀରେନ୍ଦ୍ର କୁମାରଙ୍କ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମିଶ୍ର କହିଲେ ଯେ, ଭାରତବର୍ଷରେ ମାତୃପୂଜାର ଏକ ଗୌରବମୟ ଇତିହାସ ରହିଛି। “ମା” ସବୁବେଳେ ସମାଜରେ ଅଗ୍ରପୂଜ୍ୟା, ଏ ବାର୍ତ୍ତା ଦେବା ପାଇଁ ମାତୃପୂଜାର ସୃଷ୍ଟି। ସାଧାରଣ ଲୋକଙ୍କୁ ବୁଝିବା ପାଇଁ ମୂର୍ତ୍ତିପୂଜାକୁ ଅଳଙ୍କାରିକ କରାଯାଇଛି। କିନ୍ତୁ ମା’ କରୁଣାର ଅବତାର। ପୁଣି ଦୁଷ୍ଟ ସଂହାରର ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି। ପ୍ରଫେସର ଡଃ ହରେକୃଷ୍ଣ ଶତଥୀ ମା’ଙ୍କୁ କଲ୍ୟାଣମୟୀ ଓ ଲୋକ କଲ୍ୟାଣ ପାଇଁ ସେ ଆବିର୍ଭୁତା ବୋଲି କହିଥିଲେ। କିନ୍ତୁ ଏହା ସତ୍ୟ ହୋଇଥିଲେ ମଧ୍ୟ ତା’ଭିତରେ ଏକ ଅନ୍ତର୍ନହିତ ଶକ୍ତି ଅଛି। ଏହାକୁ ଚେତାଇ ଦେବା ହିଁ ନବମାତୃକା ପୂଜା।
ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଆର୍ଯ୍ୟସମାଜର ଏହି ଅଭିନବ ପରିକଳ୍ପନାର ପ୍ରଶଂସା କରିବା ସହ ଉପସ୍ଥିତ କନ୍ୟାମାନଙ୍କୁ ଆଶୀର୍ବାଦ ଦେଇ ଭାରତୀୟ ସଂସ୍କୃତିର ମହନୀୟତା ଉପରେ ଜାଣିବା ପାଇଁ ପରାମର୍ଶ ଦେଇଥିଲେ।
ମୁଖ୍ୟବକ୍ତା ୍ରଗତିବାଦୀର ସମ୍ପାଦକ ବୀରୁପାକ୍ଷ ତ୍ରିପାଠୀ ସମାଜରେ ଦେଖା ଦେଇଥିବା ବିଲକ୍ଷଣ ଉପରେ ଆଲୋକପାତ କରିଥିଲେ। ଗୋଟିଏ ପଟେ ଆମେ ଧୁମ୍‌ଧାମରେ ମାତୃପୂଜା କରୁଛୁ, ଅନ୍ୟ ପଟେ ଆମେ କନ୍ୟା ଭ୍ରୁଣହତ୍ୟା କରୁଛେ। ଏଣୁ ଆଜି ସମୟ ଆସିଛି ମଣିଷ ସମାଜକୁ ସତର୍କ କରାଇବା ପାଇଁ ଆଜିର ଏହି ଅଭିନବ ମାତୃପୂଜା। ବିଶିଷ୍ଟ ବକ୍ତା ବାଗ୍ମୀ ପ୍ରଦ୍ୟୁମ୍ନ ଶତଥୀ ଓଡ଼ିଶାରେ ମାତୃପୂଜାର ଆଧାରଶୀଳା ସନ୍ଥ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ବୋଲି ସେ କହିବା ସହ ମହର୍ଷି ଦୟାନନ୍ଦ ୧୫୦ ବର୍ଷ ତଳେ ଯେଉଁ ସଂସ୍କାରବାଦୀ ଆନ୍ଦୋଳନର ସୂତ୍ରପାତ କରିଥିଲେ ଆଜି ତାର ସୁଫଳର ଏକ ନିଦର୍ଶନ ନବମାତୃକା ପୂଜା।
ଏହି ଅବସରରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ବେଦଯଜ୍ଞ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ଡଃ ନିବେଦିତା ପଟ୍ଟନାୟକ ଜଜମାନ ଆସନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ପାଲାଚାର୍ଯ୍ୟ ସୁରେନ୍ଦ୍ରନାଥ ଛୋଟରାୟ, ପାଲାଚାର୍ଯ୍ୟ ନାରାୟଣ ଶୁକ୍ଲ ଓ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଦେବୀସ୍ତୋତ୍ର ପାଠ କରିଥିଲେ। କରବର ଆର୍ଯ୍ୟ ସମାଜର ମା’ ସବିତା ଶୁକ୍ଲ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚିତ୍ତରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ଓ ଜନ୍ମେଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମୁ ନଳିନୀକାନ୍ତ ରାଉତ, ବରୁଣରାଜ ଓ ଭବାନୀକାନ୍ତ ରାଉତ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ପ୍ରଶାସକ ସହଦେବ ଜୟସିଂ, ଧାରା ଶ୍ରୀରାଧା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ର, ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ଡଃ ବିମୋଚପ୍ରଜ୍ଞା ତ୍ରିପାଠୀ, ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ସମ୍ପାଦକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଡଃ ଆଲୋକ ରଥ, ସୀତାବଲ୍ଲଭ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ସମାଜର ବିଭିନ୍ନ ବର୍ଗର ୯ଜଣ ମା’ ସର୍ବଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ଟ୍ଟନାୟକ, କନକଲତା ବିଶ୍ୱାଳ, ପୁଷ୍ପରେଣୁ ଶତଥୀ, ରାଜଶ୍ରୀ ମହାପାତ୍ର, ଜ୍ୟୋତିର୍ମୟୀ ନାୟକ, ଅମ୍ବିକା ପ୍ରଧାନ, ଆରତୀ ଜ୍ଞାନେନ୍ଦ୍ର, ବିୟୋତପ୍ରଜ୍ଞା ତ୍ରିପାଠୀ ଓ ବିଚିତ୍ରା ରଥଙ୍କୁ ମହର୍ଷି ଡିଗ୍ରୀ ମହିଳା ମହାବିଦ୍ୟାଳୟର କନ୍ୟାମାନେ ପୂଜାର୍ଚ୍ଚନା କରିଥିଲେ।

ନୂଆପଡ଼ା ବିଧାନସଭା ଆସନ ଉପନିର୍ବାଚନରେ ବିଜେପିର ଜିତିବାର ସମ୍ଭାବନା ବେଶୀ

ନୂଆପଡ଼ା ବିଧାନସଭା ଆସନ ଉପନିର୍ବାଚନରେ ବିଜେପିର ଜିତିବାର ସମ୍ଭାବନା ବେଶୀ

ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ହେବ । ବିଜେଡିର ବିଧାୟକ ଥିବା ରାଜେନ୍ଦ୍ର ଢ଼ୋଲକିଆ ଙ୍କ ମୃତ୍ୟୁ ପରେ ଏହି ନିର୍ବାଚନ 6 ମାସ ଭିତରେ କରିବାକୁ ପଡ଼ିବ । ଏହି ଆସନରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେବ ବୋଲି ଆଲୋଚନା ହେଉଛି । କିନ୍ତୁ ବିଜେପି ଏହି ଉପନିର୍ବାଚନ ଜିତିବା ସଂଭାବନା ଅଧିକ ରହିଛି । କାରଣ ସରକାରୀ ଦଳର ସଦସ୍ୟ ସଦାବେଳେ ଉପନିର୍ବାଚନରେ ବିଜୟୀ ହେବା ଦେଖାଯାଇଛି । ତେବେ ବିଜେଡି ଏହି ଆସନର ଢ଼ୋଲକିଆଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାର ସଂଭାବନା ଅଧିକ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା, ବିଜେପିର ଲୋକପ୍ରିୟତା, ସୁଭଦ୍ରା ଯୋଜନା, ଚାଷୀଙ୍କୁ ଏମଏସପି, ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାରେ ସହାୟକ ହୋଇପାରେ ।

2024 ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଏହି ଆସନରୁ ରାଜେନ୍ଦ୍ର ଢୋଲକିଆ ଲଢି 61,822 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ସେ 44,814 ଭୋଟ ପାଇ ତୃତୀୟ ସ୍ଥାନରେ ରହି ହାରି ଯାଇଥିଲେ । କିନ୍ତୁ ଏବେ ବିଜେପି କାହାକୁ ସେଠାରେ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦରେ । ସେହିପରି କଂଗ୍ରେସ ପକ୍ଷରୁ 2024 ନିର୍ବାଚନରେ ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ମାତ୍ର 15,501 ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ । ଘାସିରାମ ମାଝି ଏହି ଆସନରେ ଇଣ୍ଡିପେଣ୍ଡେଣ୍ଟ ପ୍ରାର୍ଥୀ ଭାବେ ଛିଡା ହୋଇ ଦିତୀୟ ସ୍ଥାନରେ ରହିଥିଲେ ।

2024 ନିର୍ବାଚନରେ ସେତେବେଳର ପିସିସି ସଭାପତି ଶରତ ପଟ୍ଟନାୟକ ନିଜେ ନୂଆପଡାରେ କଂଗ୍ରେସରୁ ଲଢ଼ି ହାରିଥିବାରୁ ତାଙ୍କୁ ଆଉଥରେ ଦଳ ଟିକେଟ ଦେବା ସଂଭାବନା କମ । କଂଗ୍ରେସରୁ ଟିକଟ ନ ପାଇ ଘାସିରାମ ମାଝୀ ନିର୍ଦ୍ଦଳୀୟ ଲଢ଼ି 50 ହଜାରରୁ ଅଧିକ ଭୋଟ ପାଇବା ସହ ଦ୍ଵିତୀୟରେ ରହିଥିବାରୁ ଦଳ ତାଙ୍କୁ ଟିକେଟ ଦେଇପାରେ। ଭକ୍ତ ଦାସ ସଭାପତି ହେବା ପରେ ଘାସିରାମ କଂଗ୍ରେସକୁ ଫେରିଛନ୍ତି। ଘାସିରାମଙ୍କ ଗତ ପ୍ରଦର୍ଶନ ଦେଖିଲେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ।

ପିସିସି ସଭାପତି ଭକ୍ତ ଦାସ କହିଛନ୍ତି “ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପୁରା ପ୍ରସ୍ତୁତ ଅଛି । ଆମେ ଏହାକୁ ନେଇ ଆଲୋଚନା ବି କରିଛୁ । ଜଣେ ଭଲ ପ୍ରାର୍ଥୀ ଦେବ କଂଗ୍ରେସ । ଏବେ କଂଗ୍ରେସ ଦଳ ଚଳ ଚଞ୍ଚଳ ହୋଇଛି ।

୨୦୨୪ରେ ବିଜେପି ଓଡ଼ିଶାରେ ୭୮ଟି ଆସନ ଜିତି ସରକାର ଗଠନ କରିଛି। ଏହି ଉପନିର୍ବାଚନକୁ ମୋହନ ମାଝିଙ୍କ ସରକାରର ପ୍ରତି ଲୋକମାନଙ୍କର ଆକଳନର ପରୀକ୍ଷା ଭାବେ ଦେଖାଯାଉଛି, ଯାହା ବିଜେପିଙ୍କୁ ଲାଭ ଦେବାର ସଂଭାବନା ରହିଛି ।

ଓଡ଼ିଶାରେ ମୋଦୀଙ୍କ ବିପୁଳ ଲୋକପ୍ରିୟତା ରହିଛି, ଯାହା ପଶ୍ଚିମ ଓଡ଼ିଶାରେ ବିଜେପିଙ୍କୁ ଆହୁରି ମଜବୁତ କରିବ। ମୋଦିଙ୍କ ନାମରେ ବିଜେପି ପ୍ରାର୍ଥୀ ଏଠାରେ ବିଜୟୀ ହୋଇପାରନ୍ତି ।

୨୦୨୪ରେ ବିଜେଡି 10,881 ମାର୍ଜିନ ଭୋଟରେ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ଜିତିଥିଲା । ଏଥର କଂଗ୍ରେସରୁ ଠିଆ ହେବେ ଘାସୀରାମ ମାଝୀ । ଯାହାକି ବିଜେପିକୁ ସୁହାଇପାରେ ।

 ନୂଆପଡ଼ା ପଶ୍ଚିମ ଓଡ଼ିଶାରେ ଥିବାରୁ ବିଜେପିର ସେଠାରେ ସ୍ଥିତି ଭଲ ରହିଛି । ଲୋକସଭା ଆସନରେ ବିଜେପି ବିପୁଳ ଭୋଟ ପାଇଛି । ଯାହା ଦଳକୁ ଭଲ ଫଳ ଦେବ ।  ନୂଆପଡ଼ାରେ ଆଦିବାସୀ ଓ କୃଷକମାନଙ୍କର ବଡ଼ ସଂଖ୍ୟା ରହିଛି।  ଯେଉଁମାନେ ମୋଦିଙ୍କୁ ପସନ୍ଦ କରନ୍ତି । ବିଜେପିର କେନ୍ଦ୍ରୀୟ ଯୋଜନାଗୁଡ଼ିକ (ଯଥା PM-KISAN) ଏବଂ ରାଜ୍ୟ ସ୍ତରୀୟ ଯୋଜନା, ସୁଭଦ୍ରା ଯୋଜନାର ଲାଭ ବିଜେପିକୁ ମିଳିପାରେ ।

ସବୁଠୁ ବଡ଼ କଥା ହେଲା  ନବୀନ ପଟ୍ଟନାୟକଙ୍କ ଶାସନ ପରେ ବିଜେଡିରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଦଳ ବ୍ୟାକ୍ ଫ୍ରୁଟରେ ରହିଛି । ନୂଆପଡ଼ାରେ ସାଧାରଣ ଲୋକ ଏବେ ବିଜେଡି ପ୍ରତି ଅସନ୍ତୋଷ ପ୍ରକାଶ କରୁଛନ୍ତି ଯାହା ବିଜେପିଙ୍କୁ ଲାଭ ଦେଇପାରେ।

ଓଡ଼ିଶାରେ କଂଗ୍ରେସର ସ୍ଥିତି ସେତେ ଭଲ ନାହିଁ । ଯାହର ଭୋଟ ଭାଗ ଭାଗ ହୋଇପାରେ ।  ରାଜ୍ୟ ସରକାରର ପଶ୍ଚିମ ଓଡ଼ିଶାରେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯାହର ଲାଭ ବିଜେପିକୁ ଯାଇପାରେ । ପଶ୍ଚିମ ଓଡ଼ିଶାରେ ରେଳପଥ, ସଡ଼କପଥ, ସ୍ୱାସ୍ଥ୍ୟ ଓ ଶିକ୍ଷା ଯୋଜନାଗୁଡ଼ିକ ନୂଆପଡ଼ାରେ ଲୋକମାନଙ୍କୁ ପ୍ରଭାବିତ କରିବ ।  ଯାହା ବିଜେପି ପ୍ରାର୍ଥୀଙ୍କୁ ଜିତାଇବାରେ ସହାୟକ ହୋଇପାରେ ।

ନୂଆପଡ଼ା ନିର୍ବାଚନ ମଣ୍ଡଳୀ ରେ 358 ଟି ବୁଥ୍ ଅଛି । ଭୋଟରଙ୍କ ସଂଖ୍ୟା 248256 ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା 122103, ମହିଳା 126132 ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା 21 । ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ 2025, 15 ଅକ୍ଟୋବର ଠାରୁ 29 ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ ।

ବର୍ତ୍ତମାନ ସୁଦ୍ଧା ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ତାରିଖ ଘୋଷଣା ହୋଇନାହିଁ । ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବା ନେଇ ଆଶା କରାଯାଉଥିବା ବେଳେ ସେହି ସମୟରେ ଉପନିର୍ବାଚନ ହୋଇପାରେ ବୋଲି ଆକଳନ କରାଯାଉଛି ।

ଅନ୍ୟପଟେ ଉପନିର୍ବାଚନକୁ ନେଇ କେହି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ରାଜ୍ୟରେ ପ୍ରମୁଖ ତିନି ରାଜନୈତିକ ଦଳରେ ଏବେ ଚାଲିଛି ମାନସ ମନ୍ଥନ । କେଉଁ ଦଳ କାହାକୁ ପ୍ରାର୍ଥୀ ଭାବେ ଉପନିର୍ବାଚନ ଲଢିବାକୁ ମଇଦାନକୁ ଓହ୍ଲାଇବ ସେନେଇ ଚାଲିଛି ଅଙ୍କକଷା । ସରକାରରେ ଥିବା ବିଜେପି ପାଇଁ ଉପନିର୍ବାଚନ ଏକ ବଡ଼ ଚ୍ୟାଲେଞ୍ଜ । କାହିଁକିନା ବିଜେପି ସରକାରରେ ଏହା ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି ।

ସେପଟେ ବିରୋଧୀ ବିଜେଡି ପାଇଁ ବି ଏହି ଆସନ ସମ୍ମାନ ଜନକ । କାରଣ ଏହି ଆସନ ଗତ 15 ବର୍ଷ ହେବ ବିଜେଡି ନିଜ ଅଧିନରେ ରହିଥିଲା । ନୂଆପଡା ଆସନରେ ବିଜେଡି 2009, 2019 ଓ 2024ରେ ବିଜୟୀ ହୋଇଥିଲା । ତେବେ ବିଜେପି ସରକାରରେ ଥିବାରୁ ବିଜେଡି ପାଇଁ ଏଥର ସେତେ ସହଜ ହେବନାହିଁ । ପ୍ରଚାର, ପ୍ରସାରରେ ବିଜେପି ଆଗୁଆ ରହିଛି । ତେଣୁ ଉପନିର୍ବାଚନରେ ପୁଣି ନିଜ ଆସନରେ ବିଜୟୀ ହେବା ବିଜେଡି ପାଇଁ କଷ୍ଟକର ହୋଇପାରେ ।

ବିଜେପି, ବିଜେଡି, କଂଗ୍ରେସ ଏଥର କାହାକୁ ପ୍ରାର୍ଥୀ କରିବେ ତାହା ସବୁଠୁ ବଡ ପ୍ରଶ୍ନବାଚୀ । ବର୍ତ୍ତମାନର ସମୀକରଣ ଅନୁସାରେ ନୂଆପଡ଼ାରେ ବିଜେଡି ଟିକଟ ଢୋଲକିଆ ପରିବାରକୁ ମିଳିବାର ସମ୍ଭାବନା ଅଛି । ବିଧାୟକ ସବୁବେଳେ ନିଜ ପୁଅ ଜୟ ଢୋଲକିଆଙ୍କୁ ରାଜନୀତିରେ ଆଗକୁ ଛାଡ଼ୁଥିଲେ। ତେଣୁ ରାଜେନ୍ଦ୍ରଙ୍କ ପୁଅ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବା ସମ୍ଭାବନା ଅଧିକ। କାରଣ ତାଙ୍କୁ ସହାନୁଭୂତି ଭୋଟ ମିଳିପାରେ ।

2014ରେ ପ୍ରଥମ ଥର ପାଇଁ ବିଜେପି ନୂଆପଡା ବିଜୟୀ ହୋଇଥିଲା । ପୁଣି ଥରେ ବିଜୟର ସ୍ବାଦ ଚାଖିବାକୁ କୌଣସି ସୁଯୋଗକୁ ଦଳ ହାତଛଡା କରିବ ନାହିଁ । କାହିଁକିନା ବିଜେପି ସରାକରାରେ ଏହା ପ୍ରଥମ ଉପନିର୍ବାଚନ । ସେପଟେ ଉପ ନିର୍ବାଚନରେ ବିଜେପି ନିଶ୍ଚୟ ଜିତିବ ବୋଲି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସୋମବାର ଯାଏଁ ଗୃହ ମୁଲତବୀ

ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ।  ସୋମବାର ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୀରମିତ୍ରପୁରର ଦିବ୍ୟଙ୍ଗତ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ବିରୋଧୀ ବିଜେଡିର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମା ଏବଂ ସିପିଏମ୍‍ ବିଧାୟକ ସମର୍ଥନ କରିଥିଲେ । ୧ ମିନିଟ୍‍ ନିରବ ପ୍ରାର୍ଥନା ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା ।

ମାତ୍ର ପ୍ରଶ୍ନକାଳ ଚାଲିବା ପରେ ସାର ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ ବିଜେଡି ବିଧାୟକ । ରାଜ୍ୟରେ ଚାଷୀମାନେ ପର୍ଯ୍ୟାପ୍ତ ପରିମାଣର ସାର ପାଉନଥିବାରୁ ଏହି ପ୍ରସଙ୍ଗକୁ ଦଳ ଏଥର ମୁଦ୍ଦା କରି ରାଜ୍ୟ ସରକାରଙ୍କୁ ଘେରିଥିଲା। ବାଚସ୍ପତିଙ୍କ ପୋଡିୟମ୍‌ ସମ୍ମୁଖରେ ହଟ୍ଟଗୋଳ କରିବାରୁ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନ ୪ଟାରେ ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସାର ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ମାନେ ଗୃହ ମଝିକୁ ଆସି ହଟ୍ଟଗୋଳ କରିଥିଲେ। ଯାହାକୁ ନେଇ ବାଚସ୍ପତି ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ଜର୍ଜ ତିର୍କୀଙ୍କ ବିୟୋଗରେ ସିପିଆଇର ଶୋକ

ଜର୍ଜ ତିର୍କୀଙ୍କ ବିୟୋଗରେ ସିପିଆଇର ଶୋକ


ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗ ରେ ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ଦ୍ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର କହିଛନ୍ତିଯେ, ପ୍ରୟାତ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଚାରିଥର ଓଡିଶାର ବିଧାୟକ ଭାବେ ନିର୍ବାଚିତ ହୋଇ ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ପ୍ରତିବଦ୍ଧତା ସହ ଲଢିଥିଲେ। ମାତ୍ର ୬୭ ବର୍ଷ ବୟସରେ ତାଙ୍କର ବିୟୋଗ ଫଳରେ ଓଡ଼ିଶା ଆଦିବାସୀ ମାନଙ୍କ ଜଣେ ଲତୁଆ ନେତାଙ୍କୁ ହରାଇଲା । ତାଙ୍କର ଶୋକସନ୍ତପ୍ତ ବନ୍ଧୁ ଓ ପରିବାରବର୍ଗଙ୍କ ପ୍ରତି ସିପିଆଇ ସମବେଦନା ଜଣାଉଛି`

ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ତଥା ୪ ଥରର ବିଧାୟକ, ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କୀ ଆଉନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି। ଶନିବାର ବିଧାନସଭା ପରିସରରେ ଜର୍ଜ ତିର୍କୀଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର୍‌। ଏହା ସହିତ ଜର୍ଜ ତିର୍କୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାନସଭାର ଉପସ୍ଥିତ ସମସ୍ତ ସଦସ୍ୟ ମଧ୍ୟ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିଛନ୍ତି।

ଜର୍ଜ ତିର୍କୀ ସୁନ୍ଦରଗଡ ଜିଲା ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୯୯୫,୨୦୦୦,୨୦୦୯ଓ୨୦୧୪ରେ ଓଡ଼ିଶା ବିଧାନସଭାକୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସୁନ୍ଦରଗଡ ଜିଲାର ଆଦିବାସୀ ମାନଙ୍କ ଜଳ,ଜମି ,ଜଙ୍ଗଲ ଅଧିକାର ପାଇଁ ସେ ଲଢ଼େଇ କରି ଆସୁଥିଲେ। ସେ କିଛି ମାସ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିବାରୁ ତାଙ୍କୁ ପ୍ରଥମେ ରାଉରକେଲା ଓ ପରେ ସେଠାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଶେଷକୃତ୍ୟ ବୀରମିତ୍ରପୁର ଝୁନୁମୁରସ୍ଥିତ ତାଙ୍କ ପୈତୃକ ଗ୍ରାମରେ ସମ୍ପନ୍ନ ହେବ। ତାଙ୍କ ପରଲୋକରେ ସୁନ୍ଦରଗଡ ଜିଲା ତଥା ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୮ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ

ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୮ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ


ଭୁବନେଶ୍ୱର : ଓଡ଼ିଶା ପାଚକ ପାଚିକା ମହାସଂଘ ପକ୍ଷରୁ ୮ ଦଫା ଦାବି ନେଇ ସଂଘର ରାଜ୍ୟ ସଭାନେତ୍ରୀ ଜନକ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ୩୦ଗୋଟି ଜିଲ୍ଲାର ପାଚକ ପାଚିକାମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ମହାସଂଘର ରାଜ୍ୟ ଆବାହକ ଦିଗମ୍ବର ଜେନା ଯୋଗଦେଇ ୮ଦଫା ସମ୍ବଳିତ ଦାବି ଖୁବ୍‌ଶୀଘ୍ର ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟ ସାଧାରଣ ସମ୍ପାଦିକା ଜାନକୀ ମାଝୀ, ସମ୍ପାଦିକା ନିରୁପମା ମହାନ୍ତ, କୋକିଳ ମହାନ୍ତ, ଶକୁନ୍ତଳା ରଣା, ବୈଦେହୀ ମହାନ୍ତ, ଗୀତା ନାୟକ, ମୀନାରାଣୀ ନାୟକ, ମଲ୍ଳୀ ନାୟକ, ଶାନ୍ତିଲତା ମହାନ୍ତ, ବୁଦ୍ଧଗିରି, ତିଳ ନାୟକ, ସୁଶାନ୍ତି ମହାପାତ୍ର, ବାସନ୍ତୀ ମହାନ୍ତ, ପ୍ରମିଳା ପାତ୍ର, ଜାନକୀ ସାନ୍ତା, ରଶ୍ମିତା ସାହୁ, କୋଷାଧ୍ୟକ୍ଷା ରଜନୀ କିଷାନ, ଗାୟତ୍ରୀ ନାଗ, ବିଜୟ ପୃସେଟ୍‌, ଈଶ୍ୱର ନାୟକ, ତପନ ପ୍ରସାଦ ସାହୁ, ରାଧାଶ୍ୟାମ ମହାରଣା, ସୁଜାତା ସ୍ୱାଇଁ, ରିତୁ ପାତ୍ର, ବିନ୍ଦୁ ଦାସ, ସରୋଜିନୀ ମଗର, ରାଜେଶ୍ୱରୀ ମାଝି, ସୀତା ଭୋଇ, ପଙ୍କଜିନୀ ମିର୍ଦ୍ଧା, ସରୋଜିନୀ ଜେନା, ଦମୟନ୍ତୀ ଦେହୁରୀ, ପ୍ରେମଶିଳା ନଇ, ସ୍ୱର୍ଣ୍ଣପ୍ରିୟା ମେହେର ଏବଂ ପ୍ରତ୍ୟେକ ଜିଲ୍ଲାର କର୍ମକର୍ତ୍ତାମାନେ ନିଜ ନିଜ ବକ୍ତବ୍ୟମାନ ରଖିଥିଲେ । ସଂଘର ତିନି ଜଣ ପ୍ରତିନିଧି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମାନବ୍ୟର ମନ୍ତ୍ରୀ ଭେଟି ୮ ଦଫା ଦାବି ସମ୍ବଳିତ ସ୍ମାରକ ପ୍ରଦାନ କରିଥିଲେ ।
ଆମ୍ଭେ “ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ”, ସବିନୟ ଦାବି ଜଣାଉଛି ଏହିକିଯେ, ଆଜକୁ ୨୦ ବର୍ଷ ଧରି ଆମ୍ଭେ ଉକ୍ତ କ୍ଷେତ୍ରରେ କାର୍ଯ୍ୟକରି ଆସୁଥିଲେ ମଧ୍ୟ ଆପଣଙ୍କ ଦ୍ୱାରା ଦିଆଯାଇଥିବା ପ୍ରାପ୍ୟ ଆମ୍ଭମାନଙ୍କୁ ସମୁଦ୍ରକୁ ଶଙ୍ଖେ ସଦୃଶ । ଆପଣଙ୍କ ଦ୍ୱାରା ନିର୍ଦ୍ଧାରିତ ପାରିଶ୍ରମିକ ଆମ୍ଭମାନଙ୍କର ଦିନସାରା ପରିଶ୍ରମ ପାଇଁ ଟ.୧୦୦ଙ୍କା ପଡୁଅଛି । ମାତ୍ର ତାହାକୁ ଆମ୍ଭେ ଠିକ୍ ଭାବେ ପାଉନାହୁଁ । କାରଣ ସରକାର ମାସିକ ଟ.୩୦୦୦/- ଦେଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ
ଆମ୍ଭେ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ଟ.୨୭୫/- ଆମ୍ଭ ପାଇଁ ଲାଗୁ କରାଯାଉ । ଉକ୍ତ ପ୍ରକାରେ ମାସିକ ଟ.୮,୨୫୦/- ଦରମା ଲାଗୁ କରାଯାଉ । ଆମ୍ଭ ସମସ୍ତଙ୍କ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଦିଆଯିବା ସହିତ ଡ୍ରେସ୍ କୋର୍ଡ ଲାଗୁ କରାଯାଉ । ଚିକିତ୍ସା ଭତ୍ତା ସହିତ ଜୀବନ ବୀମାର ସୁବିଧା କରାଯାଉ । ୨୦୧୮ ମସିହା ଜାନୁଆରୀ ମାସଠାରୁ ବର୍ତ୍ତମାନ ପ୍ରଚଳିତ ବର୍ଦ୍ଧିତ ଦରମାର ବକେୟା ପାଉଣା ଦିଆଯିବା ସହିତ ମଇ, ଜୁନ୍ ଦୁଇମାସ ଛୁଟିର ଦରମା ପ୍ରଦାନ କରାଯାଉ । ଆମ୍ଭମାନଙ୍କୁ ବାହାର କରିବାର ଏବଂ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସିଧାସଳଖ ନିୟନ୍ତ୍ରଣରେ ରଖାଯାଉ । ଆମ୍ଭମାନଙ୍କୁ ଦୈନିକ ମଜୁରୀଆର ସ୍ୱୀକୃତି ଦେଇ, ଭବିଷ୍ୟନିଧି ଯୋଜନାରେ ସାମିଲ୍ କରାଯାଉ । ଅବସର ସୀମା ୬୦ ବର୍ଷରୁ ୬୨ ବର୍ଷ କରାଯାଉ । କାର୍ଯ୍ୟରତ ସମୟରେ ଆକସ୍ମିକ ବିୟୋଗରେ କ୍ଷତିପୂରଣ ରାଶି ପ୍ରଦାନ କରାଯାଉ ।

ବିଭିନ୍ନ ଦାବି ନେଇ ଗୋଷ୍ଠୀ ସହାୟିକା ସଂଘ ପକ୍ଷରୁ ବିଧାନସଭା ଆଗରେ ଧାରଣା

ବିଭିନ୍ନ ଦାବି ନେଇ ଗୋଷ୍ଠୀ ସହାୟିକା ସଂଘ ପକ୍ଷରୁ ବିଧାନସଭା ଆଗରେ ଧାରଣା

ବିଧାନସଭା ଆଗରେ ଆନ୍ଦୋଳନ ପାଇଁ ଏକାଠି ହୋଇଛନ୍ତି ବିଭିନ୍ନ ଜିଲ୍ଲାର ହଜାର ହଜାର ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘର ସଦସ୍ୟ । ବକେୟା ଦରମା ସହ ଗୋଷ୍ଠୀ ସହାୟିକା ସଂଘ ଟିଏ ଡିଏ ଦାବି କରିଛି । ପ୍ରତି ଗ୍ରାମରେ ସିଏଲଏଫ ଗଠନ, ସ୍ଥାୟୀ ନିଯୁକ୍ତି, ଅନଲାଇନ କାମ ପାଇଁ ଲାପଟପ୍, ବୈଠକ ଗୃହ ନିର୍ମାଣ, ପରିଚୟପତ୍ର ପ୍ରଦାନ, ସାମାଜିକ ସୁରକ୍ଷା, ଭିଆରଏଫ ଫଣ୍ଡକୁ 10 ଲକ୍ଷ ପ୍ରଦାନ, ସର୍ବନିମ୍ନ ମଜୁରୀ 26 ହଜାର ଟଙ୍କା ଦାବି କରି ଏହି ଆନ୍ଦୋଳନ କରାଯାଇଛି ।

ଏହି ଆନ୍ଦୋଳନରେ ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ ତମ ସୁପାରିଶ ଭିତିରେ ୱାର୍କର ମାନ୍ୟତା ଦାବି କରିବା ସହ ଦରମା ବୃଦ୍ଧି, ବ୍ୟାଙ୍କ ଖାତାକୁ ଦରମା ପ୍ରଦାନ କରିବା ସହିତ ସ୍ଥାୟୀ ନିଯୁକ୍ତି ଓ ଆଇଡେଣ୍ଟି କାର୍ଡ ଦେବାକୁ ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘ ଦାବି କରିଥିବା ସୂଚନା ମିଳିଛି ।

ବିସ୍ମୃତ ବିସ୍ମୟ ପ୍ରତିଭା

ବିସ୍ମୃତ ବିସ୍ମୟ ପ୍ରତିଭା

ଉତ୍କଳ ରତ୍ନ ବାରିଷ୍ଟର ବିଶ୍ବନାଥ ମିଶ୍ର

ଆସନ୍ତା କାଲି ପ୍ରଥମ ଓଡ଼ିଆ ବାରିଷ୍ଟର, ପ୍ରଥମ କେନ୍ଦ୍ରୀୟ ସଂସଦୀୟ ବ୍ୟବସ୍ଥାର ସଦସ୍ୟ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କାଣ୍ଡାରୀ, ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ ତଥା ଉତ୍କଳ ରତ୍ନ ବାରିଷ୍ଟର ବିଶ୍ବନାଥ ମିଶ୍ର ଙ୍କ ୯୨ ତମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ( ରାଜଭବନ ସମ୍ମୁଖରେ) ସକାଳ ୯ ଘଣ୍ଟା ସମୟରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ଙ୍କ ସମେତ ସମସ୍ତ ସମର୍ପିତ ସଦସ୍ୟ ମାନେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଛି । ସକଳଙ୍କ ସକଳ ସୁମନାସ କାମନାନ୍ତେ ବନ୍ଦେ ଉତ୍କଳ ଜନନୀ ।ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର ଥିଲେ ଏକ କିମ୍ବଦନ୍ତୀ। ତେଣୁ ତାଙ୍କୁ ଯଥାର୍ଥରେ କୁହାଯାଉଛି ଓଡ଼ିଶା ଇତିହାସର ବହ୍ନିପୁରୁଷ। ତାଙ୍କ ଜୀବନର କିଛି ବିରଳ ଘଟଣାବଳୀକୁ ନେଇ ପ୍ରଫେସର ସୂର୍ଯ୍ୟ କୁମାର ମିଶ୍ରଙ୍କ ଦ୍ଵାରା ଲିଖିତ ଜୀବନୀ ପୁସ୍ତକ “ଓଡ଼ିଶା ଇତିହାସର ବହ୍ନିପୁରୁଷ ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର”।ସାକ୍ଷୀଗୋପାଳ ନିକଟ ସୋମେଶ୍ୱରପୁରରେ ଜନ୍ମିତ ବିଶ୍ୱନାଥ ୧୯୦୪ରେ ଏଫଏ ପାସ କରି ସେହି ବର୍ଷ କୂଳବୃଦ୍ଧ ମଧୁସୂଦନ ଙ୍କ ଉପଦେଶରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଭାଷା ଶିକ୍ଷକ ଭାବରେ ରସୁଲକୋଣ୍ଡା (ଆଧୁନିକ ଭଞ୍ଜନଗର)ଯାଇଥିଲେ। ଏଥିରେ କିନ୍ତୁ ତାଙ୍କର ଅନିସନ୍ଧିତ୍ସୁ ମନ ସନ୍ତୁଷ୍ଟ ହୋଇ ରହି ପାରିନଥିଲା। ଏଣୁ ସେ ଓକିଲାତି ପଢ଼ିବା ପାଇଁ ମାଡ୍ରାସ ଗଲେ। ୧୯୦୬ରେ ଓକିଲାତି ସାରି ସେ ଆସ୍କାରେ ଜଣେ ଉଚ୍ଚକୋଟୀର ଆଇନଜୀବୀ ଭାବେ ନିଜ ଜୀବନ ଆରମ୍ଭ କରିଥିଲେ ଏବଂ ଓଡିଆ ଭାଷାରେ ଆଇନ୍ ଅଦାଲତି କାର୍ଯ୍ୟ କରିବା, ଜବାବ୍ ସୁଆଲ କରିଥିଲେ। ସେ ଚାହିଁଥିଲେ କଟକରେ ମଧ୍ୟ ଓକିଲାତି କରି ପରିଥାନ୍ତେ, କିନ୍ତୁ ଗଞ୍ଜାମ ଛାଡ଼ି ସେ ଅନ୍ୟତ୍ର ଯାଇନଥିଲେ କାରଣ ତାଙ୍କୁ ଏଠି ବହୁତ କିଛି କରିବା ପାଇଁ ଥିଲା। ବିଶ୍ୱନାଥ ମିଶ୍ରଙ୍କ ସମୟରେ ଓଡ଼ିଆ ବାରିଷ୍ଟର କେହି ନଥିଲେ। ଏଣୁ ୧୯୦୮ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରେ ପବ୍ଲିକ ପରୀକ୍ଷା ଦେଇ ସଫଳ ହୋଇଥିଲେ। ଅଦମ୍ୟ ଚେଷ୍ଟା ଫଳରେ ସେ ଲଣ୍ଡନ ‘ଗ୍ରେଜ ଇନ’ରେ ବାରିଷ୍ଟରୀ ପଢିବା ପାଇଁ ବିବେଚିତ ହୋଇଥିଲେ। ତେବେ ବାପାଙ୍କ ଆକଟ ଯୋଗୁଁ ବିଶ୍ୱନାଥ ପ୍ରଥମ ଉଦ୍ୟମରେ ବିଲାତ ଯାଇପାରିନଥିଲେ। କିନ୍ତୁ ପରେ ସେ ‘ମିଡଲଟେମ୍ପଲ’ ରେ ନାମ ଲେଖାଇଲେ। ସବୁଠାରୁ ବଡ଼ କଥା ହେଲା ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହପାଠୀ ଥିଲେ। ଏହା ୧୯୧୦-୧୨ର ଘଟଣା। ତା’ ପରବର୍ତ୍ତୀ ବର୍ଷ ପଟେଲଙ୍କ ସହ ବିଶ୍ୱନାଥ ମିଶ୍ର ବି ‘କଲ ଟୁ ଦି ବାର’ ପାଇଥିଲେ ଓ ‘ବାର-ଆଟ-ଲ’ ହୋଇଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ୧୯୩୩ ମସିହା ସେପ୍ଟେମ୍ବର ୧୯ ତାରିଖରେ ତାଙ୍କର ଦେହତ୍ୟାଗ ହୋଇଥିଲା। ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ବିଧିବଦ୍ଧ ଜୀବନୀ ଲିଖନର ଆବଶ୍ୟକତା ଥିବା ବେଳେ ପ୍ରଫେସର ସୂର୍ଯ୍ୟ କୁମାର ମିଶ୍ର ତାହାକୁ ପୂରଣ କରିପାରିଛନ୍ତି। ବିଶ୍ୱନାଥ ମିଶ୍ରଙ୍କ ଜୀବନର ଅସଂଖ୍ୟ ଘଟଣାବଳୀକୁ ନେଇ ଲିଖିତ ଏହି ପୁସ୍ତକରେ କେବଳ ବିଶ୍ୱନାଥ ମିଶ୍ରଙ୍କ ଜୀବନର ବିରଳ ଘଟଣାବଳୀର ଅବତାରଣା ହୋଇଛି ତାହା ନୁହେଁ ସେ ସମୟର ଅନେକ ଦସ୍ତାବିଜ୍ ମଧ୍ୟ ସ୍ଥାନିତ ହୋଇଛି।ସମ୍ପ୍ରତି କାନାଡାରେ ରହୁଥିବା ଲେଖକ ପ୍ରଫେସର ସୂର୍ଯ୍ୟ ମିଶ୍ର ନିଜେ ଜଣେ ସୁନାମଧନ୍ୟ ବିଜନେସ ମ୍ୟାନେଜେମେଣ୍ଟ ପ୍ରଫେସର। ଆମେରିକାର ଫ୍ରାଙ୍କ ବର୍ଟନ ସ୍କୁଲରୁ ଉଚ୍ଚ ଶିକ୍ଷା ଲାଭ କରିଥିବା ଏବଂ ୧୯୮୩ ମସିହାରୁ ଅଧ୍ୟାପନା ଆରମ୍ଭ କରିଥିବା ସୂର୍ଯ୍ୟ ମିଶ୍ର ଓଡ଼ିଶାରେ ବିଭିନ୍ନ ମ୍ୟାନେଜମେଣ୍ଟ କଲେଜ ପ୍ରତିଷ୍ଠାରେ ମଧ୍ୟ ଅବଦାନ ରଖିଛନ୍ତି। ଆଲୋଚ୍ୟ ପୁସ୍ତକରେ ବିଶ୍ୱନାଥ ମିଶ୍ରଙ୍କ ସମଗ୍ର ଜୀବନର ଝଲକ ରହିଛି। ବିଶେଷ କରି ବିଛିନ୍ନାଞ୍ଚଳ ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ବାରିଷ୍ଟର ମିଶ୍ରଙ୍କ କଣ ଭୂମିକା ରହିଥିଲା ତାହାର ଏକ ପ୍ରାଞ୍ଜଳ ବର୍ଣ୍ଣନା ପୁସ୍ତକରେ ପଢ଼ିବାକୁ ମିଳେ।ମୋଟ ୨୫ଟି ଅଧ୍ୟାୟ ବିଶିଷ୍ଟ ଏହି ଜୀବନୀରେ ବିଶ୍ଵନାଥଙ୍କ ପିଲାଦିନ, ତାଙ୍କର ବିଦେଶ ଗସ୍ତ ଓ ଅଧ୍ୟୟନ, ଉତ୍କଳ ସମ୍ମିଳନୀରେ ତାଙ୍କ ଯୋଗଦାନ, ମହାତ୍ମା ଗାନ୍ଧୀଙ୍କ ସହ ଭେଟ, ସାଇମନ କମିସନରେ ତାଙ୍କର ଯୁକ୍ତି, ଫିଲିପ ଡଫ କମିଟି, ଓଡନେଲ କମିଟିରେ ତାଙ୍କର ପ୍ରସ୍ତାବନା, ‘ଆଶା’ ଖବରକାଗଜ ସହ ତାଙ୍କ ସମ୍ପର୍କ, କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ଯୋଗଦାନ, ଭଗତ ସିଂହଙ୍କ ଫାଶୀ ବିରୁଦ୍ଧରେ ତାଙ୍କ ଯୁକ୍ତି ଉପସ୍ଥାପନ, ଶେଷ ସମୟ – ଏସବୁର ସମାହାର ଏହି ଜୀବନୀ। ବିଶ୍ୱନାଥ ମିଶ୍ର ବାରିଷ୍ଟର ହୋଇ ଫେରିବା ପରେ କଲିକତା ହାଇକୋର୍ଟରେ ଯୋଗଦାନ ଅବସରରେ ବ୍ୟାସକବି ଫକୀରମୋହନ ତାଙ୍କ ‘ଉତ୍କଳ ଭ୍ରମଣ’ ପୁସ୍ତକରେ ଲେଖିଥିଲେ:
“ୱେଲ ମିଷ୍ଟର ବିଏନ ମିଶ୍ର ଗୁଡବାଇ ଗୁଡବାଇ
ଭଲ ଆଦର୍ଶଟା ଏକା ଗଲ ତ ଦେଖାଇ
ଯାତ୍ରୀ-ତଣ୍ଟିଚିପା ପଣ୍ଡା ଯିବ ବିଲାତକୁ
ସ୍ୱପ୍ନରେ କେ ଆଣିଥିଲା ଏକଥା ମନକୁ।”
ଲେଖକ ପ୍ରଫେସର ମିଶ୍ରଙ୍କ ମତରେ ସ୍ୱାଭିମାନର ପ୍ରତୀକ ଥିଲେ ବିଶ୍ଵନାଥ। ଓଡ଼ିଆ ଅସ୍ମିତାର ଉଦାହରଣ ଥିଲେ ବିଶ୍ଵନାଥ। ଓଡ଼ିଶାର ଗୌରବ ଗାଥାର ପ୍ରଚାରକ ଥିଲେ ବିଶ୍ୱନାଥ। ଏକାଧାରରରେ ସେଥିଲେ ସଂସ୍କାରକ, ବିଚକ୍ଷଣ ଆଇନଜ୍ଞ, ମହାନ ବିଦ୍ୱାନ ଓ ଦୃଢ଼ ଏବଂ କର୍ମଠ ବ୍ୟବସ୍ଥାପକ। ଶୟନେ, ସପନେ, ଜାଗରଣେ ‘ଓଡ଼ିଶା ଓ ଓଡ଼ିଆ’ ହିଁ ଥିଲା ତାଙ୍କ ଜୀବନର ମୂଳ ଓ ଶେଷ ମନ୍ତ୍ର। ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ଯେ ପ୍ରଥମ ଓଡ଼ିଆ ବାରିଷ୍ଟର ତାହା କେବଳ ଆମେ ଓଡ଼ିଆ ମାନେ କେବଳ ଏହି ତଥ୍ୟ କୁ ଭୁଲି ନଥିଲେ, ତାଙ୍କୁ ମଧ୍ୟ ଭୁଲି ଯାଇଥିଲେ । ଏକଦା ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଲବୀ କବି ମନମୋହନ ମିଶ୍ର ଓ ଆଜୀବନ ସଂଗ୍ରାମୀ , ଗରିବ ମେହନତୀ ମଣିଷର ନେତା ସ୍ବର୍ଗତ ରବି ଦାସଙ୍କ ସହିତ ଗୋଟିଏ ଚତୁର୍ପାଦୀଯାନ ରେ ନୟାଗଡ଼ ଯାଉଥିବା ସମୟରେ କଥାବାର୍ତ୍ତା ସମୟରେ ଚିରବନ୍ଦ୍ୟ ମନମୋହନ ମିଶ୍ର ଆମକୁ ପଚାରିଲେ ” ନେହେରୁ କୁହ, ପ୍ରଥମ ଓଡ଼ିଆ ବାରିଷ୍ଟର କିଏ ?” । ସ୍ବାଭାବିକ ଭାବେ ଆମେ କହିଥିଲୁ ମଧୁସୂଦନ ଦାସ । ରବି ଭାଇ ଖୋର୍ଦ୍ଧା ଖୋର୍ଦ୍ଧା ହସିଲେ, ଯାହା ଆମକୁ ଲାଗିଲା ଯେ ସେ ଆମକୁ ଥଟ୍ଟା କରୁଛନ୍ତି ଓ ଆମର ଅଜ୍ଞତା କୁ କଟାକ୍ଷ କରୁଛନ୍ତି । ଆମେ ଗମ୍ଭୀର ସ୍ୱର ରେ କରିଥିଲୁ ଯେ ପିଲାଦିନରୁ ପଢି ଆସୁଛି ” ଭଲ ପାଠ ପଢିବି,କାଳିଆ ଘୋଡା 🐎 ରେ ପଢିବି, ମଧୁ ବାରିଷ୍ଟର ସଙ୍ଗେ ପଢିବି ” । ତା ପରେ ବାରିଷ୍ଟର ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ଙ୍କ ସମ୍ପର୍କରେ ସେ ବେଗୁନିଆ ଠାରୁ ନୟାଗଡ଼ ପର୍ଯ୍ୟନ୍ତ ଅନେକ କଥା କହିଥିଲେ । ଆମେ ତାଙ୍କୁ ଅନୁରୋଧ କରିଥିଲୁ ଏହି ତଥ୍ୟ ସମୂହ କୁ ପୁସ୍ତକ ଆକାରରେ ପ୍ରକାଶ କରିବାକୁ । ରବି ଭାଇ ଓ ସେ ସମ୍ମତି ସୂଚକ ମୁଦ୍ରାରେ ଆମକୁ ଆଶ୍ଵାସନା ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ” ଜାତି ପ୍ରାଣ ସିନ୍ଧୁ ର ଆଦ୍ୟ ତରଙ୍ଗ” ଶୀର୍ଷକରେ ପୁସ୍ତକ ଲେଖିଥିଲେ ଏବଂ ରବି ଭାଇ ଏହାର ପ୍ରକାଶନ ଓ ବଣ୍ଟନ, ବିକ୍ରି କାର୍ଯ୍ୟ କରିଥିଲେ । ୨୦୦୫ ମସିହା, ସେପ୍ଟେମ୍ବର ୧୯ ତାରିଖରେ ରେଡକ୍ରସ ଭବନ ପ୍ରେକ୍ଷାଳୟରେ ତାଙ୍କର ସ୍ମୃତି ଚାରଣ ସଭା କରାଇବା ସହିତ ପ୍ରଥମ ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ସମ୍ମାନ ରେ ଚିର ବନ୍ଦନୀୟ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଓଡ଼ିଆ ଭାଷା କୋଣାର୍କ “ପୂର୍ଣ୍ଣଚନ୍ଦ୍ର ଭାଷାକୋଷ” ର ପୁନଃ ପ୍ରକାଶନ ପାଇଁ ଅଦାଲତି ସଂଘର୍ଷରେ ବିଜୟୀ ବରେଣ୍ୟ ମହେନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତାପରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯେଉଁ ସଂଘର୍ଷ କରିବାକୁ ପଡ଼ିଥିଲା, ତା’ର ଇତିହାସ ବ୍ୟାପକ । ଶେଷରେ ରାଜଭବନ ସମ୍ମୁଖରେ ପ୍ରତିମୂର୍ତ୍ତି ସ୍ଥାପନ ହେଲା ।
କ୍ରମଶଃ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସମ୍ବଲପୁରରେ ‘ସେବା ପକ୍ଷ’ ପାଳିଲେ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସମ୍ବଲପୁରରେ ‘ସେବା ପକ୍ଷ’ ପାଳିଲେ କେନ୍ଦ୍ରମନ୍ତ୍ରୀ

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଜନନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନିଜ ସଂସଦୀୟ କ୍ଷେତ୍ର ସମ୍ବଲପୁରରେ ‘ସେବା ପକ୍ଷ’ ପାଳନ କରିବା ସହ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ ଆଜି ପ୍ରଥମେ ସମ୍ବଲପୁର ସୈନିକ ସ୍କୁଲ ପରିସରରେ ‘ସେବା ପକ୍ଷ’ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ନାଗରିକ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନଙ୍କ ସହ ବୃକ୍ଷରୋପଣ କରିଥିଲେ । ପରେ ବିଜେପି ଯୁବ ମୋର୍ଚ୍ଚା ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ସମ୍ବଲପୁର ଦେବେଇପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନରେ ଯୋଗଦେଇ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଡ ଓ ଟିବି ରୋଗୀଙ୍କୁ ପୁଷ୍ଟି କିଟ୍ ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେଠାରେ ଆୟୋଜିତ ସ୍ୱାସ୍ଥ୍ୟସେବା ଶିବିର ଓ ରକ୍ତଦାନ ଶିବିରରେ ସାମିଲ ହୋଇଥିଲେ । ଏହିପରି କାର୍ଯ୍ୟକ୍ରମ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ଲୋକଙ୍କୁ ସେବା କରିବା ପାଇଁ ପ୍ରେରିତ କରିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, “ଏକ୍ ପେଡ୍ ମା’ କେ ନାମ୍” ପ୍ରଧାନମନ୍ତ୍ରୀଙ୍କ ଏକ ଭାବନାତ୍ମକ ବିଚାର । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଏହା କେବଳ ଏକ ଗଛ ନୁହେଁ, ବରଂ ମାଆଙ୍କ ପ୍ରତି ଥିବା ଆମର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ପ୍ରମାଣ । ଏହା ଧରିତ୍ରୀ ମା’ ପ୍ରତି ଆମର ସମ୍ମାନ ଏବଂ ନିବିଡ଼ତାର ପ୍ରତୀକ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଓଡ଼ିଶାରେ ଏକ୍ ପେଡ୍ ମା’ କେ ନାମ ୨.୦ ଅଭିଯାନରେ ୭୫ ଲକ୍ଷ ଚାରାରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ କେବଳ ସାଢେ ୪ ଲକ୍ଷ ଗଛ ଲଗାଯିବ । ସମ୍ବଲପୁରର ସୈନିକ ସ୍କୁଲରେ ମଧ୍ୟ ବନୀକରଣ କରିବା ପାଇଁ ସମସ୍ତେ ଆଜି ଗଛ ଲଗାଇଛନ୍ତି । ଏହି କାମରେ ସହଯୋଗୀ ହୋଇଥିବା ସ୍ୱେଚ୍ଛାସେବୀ, ଜଙ୍ଗଲ ବିଭାଗ, ଶିକ୍ଷାନୁଷ୍ଠାନ ବିଭାଗ ଓ ପ୍ରଶାସନିକ ବିଭାଗକୁ ସେ ଧନ୍ୟବାଦ ଜଣାଇଛନ୍ତି ।
ସେ ଆହୁରି କହିଛନ୍ତି, ସେବା ହିଁ ସର୍ବୋପରି । ସମାଜର ପ୍ରତ୍ୟେକ ବର୍ଗଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିପରି ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରୁଥିବା ସମସ୍ତ ଯୁବ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହଛନ୍ତି, ରକ୍ତଦାନ ମହାପୁଣ୍ୟ । ଏହି ମହାନ କାର୍ଯ୍ୟରେ ଯୋଗଦେଇଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ।

ପ୍ରକାଶ ଥାଉକି, ସମ୍ବଲପୁର ସୈନିକ ସ୍କୁଲ ପରିସରରେ ଶ୍ରୀ ପ୍ରଧାନ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।